ଭଦ୍ରକ ବିଧାୟକଙ୍କ ସହାୟତାରେ ୭୩ ଜଣ ହଜ୍ଯାତ୍ରୀ ବସ୍ ରେ କୋଲକାତା ହଜ୍ ହାଉସକୁ ଗଲେ

Spread the love

ଭଦ୍ରକ : ଚଳିତବର୍ଷ ଭାରତବର୍ଷରୁ ପ୍ରାୟ ୮୫ ହଜାର ହଜ୍ ଯାତ୍ରୀ ସାଉଦି ଆରବକୁ ହଜ୍ ପାଇଁ ଯାଉଥିବାବେଳେ ଓଡ଼ିଶାରୁ ୮୮୮ ହଜ୍ ଯାତ୍ରୀ ରାଜ୍ୟ ସରକାରଙ୍କ ସହାୟତା କ୍ରମେ ସେଠାକୁ ଯାଉଛନ୍ତି । ତନ୍ମଧ୍ୟରୁ ଭଦ୍ରକ ଜିଲାରୁ ୯୬ ଜଣ ଯାଉଥିବାବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ୭୩ ଜଣଙ୍କ ମଧ୍ୟରୁ ମହିଳା ୧୭ ଓ ପୁରୁଷ ୫୬ ସେଠାକୁ ଯାଉଛନ୍ତି । ତେବେ ଭଦ୍ରକରୁ ଯାଉଥିବା ହଜ୍ଯାତ୍ରୀମାନଙ୍କ ପାଇଁ ପୂର୍ବରୁ ଟ୍ରେନ୍ରୁ ସୁବିଧା କରାଯାଇଥିବା ସ୍ଥଳେ ବାଲେଶ୍ୱର ଜିଲା ବାହାନଗା ଠାରେ ଗତ ୨ ତାରିଖରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ସେମାନଙ୍କ ଯାତାୟତରେ ବାଧା ଉପୁଜିଥିଲା । ଏବଂ ସମସ୍ତ ଟିକେଟ୍ ବାତିଲ ହୋଇଥିଲା । ଏ ସଂପର୍କରେ ହଜ୍ଯାତ୍ରୀମାନେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ନିଜ ବ୍ୟକ୍ତିଗତ ପାଣ୍ଠିରୁ କୋଲକତାସ୍ଥିତ ହଜ୍ ହାଉସ ପର୍ଯ୍ୟନ୍ତ ଯିବାପାଇଁ ଆଜି ୨ଟି ଏସି ବସ୍ ଯୋଗାଇଦେଇଛନ୍ତି । ଆଜି ଭଦ୍ରକ ସହରର ଖାନକାହା ଠାରେ ଏହି ହଜଯାତ୍ରୀମାନଙ୍କୁ ବିଧାୟକ ଶ୍ରୀ ମଲ୍ଲିକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରି ସେମାନଙ୍କର ଫେରିବା ପର୍ଯ୍ୟନ୍ତ ଶୁଭ ମନାସିଥିଲେ । ଏଥିସହ ଦୁର୍ଘଟଣାଗ୍ରସ୍ତ ମୃତାହତଙ୍କ ପାଇଁ ସେଠାରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ । ଆଜି ଏହି ବସ୍ ଯାତ୍ରା ସମୟରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ବ୍ୟତୀତ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ୍ ଚେୟାରମେନ ଉର୍ମିଳା ନାୟକ, ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ଉପଦେଷ୍ଟା ତାହେରା ଖାତୁନ, ଜୀବନବିନ୍ଦୁର ଅଜୟ ନାୟକ, ବିଜେଡି ନେତା ତାହେର ମହମ୍ମଦ, ରାଜ୍ୟ ଶିକ୍ଷକ ନେତା ତବରେଜ ଖାଁ, କାଉନ୍ସିଲର ଜୁଲଫୁକାର ଅଲ୍ଲୀଙ୍କ ସମେତ ବହୁ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *