ଓଡ଼ିଶା ମିଲେଟ୍ ମିଶନର ପୋଷଣୀୟ ଭବିଷ୍ୟତର ରୂପରେଖ ନେଇ କର୍ମଶାଳା

Spread the love

ଭୁବନେଶ୍ୱର : ଓଡ଼ିଶା ମିଲେଟ୍ ମିଶନର ଉଦ୍ଦେଶ୍ୟ କେବଳ ମାଣ୍ଡିଆର ଉପକାରିତା ଓ ଲାଭ ନିମନ୍ତେ ଏହାକୁ ପ୍ରୋତ୍ସାହିତ କରିବା ନୁହେଁ । ବୃଷ୍ଟିପୁଷ୍ଟ ଉଚ୍ଚ ଜମିର ଚାଷୀମାନଙ୍କୁ ସମାନ ସୁଯୋଗ ଓ ନ୍ୟାୟ ପ୍ରଦାନ ନୀତିରେ ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

କୃଷି ଭବନଠାରେ ଓଡ଼ିଶା ମିଲେଟ୍ ମିଶନ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ସେଂଟର ଫର ସଷ୍ଟେନେବୁଲ୍ ଏଗ୍ରିକଲଚରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶା ମିଲେଟ୍ ମିଶନର ପୋଷଣୀୟ ଭବିଷ୍ୟତର ରୂପରେଖ ପ୍ରଦାନ ସଂପର୍କିତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମିଲେଟ୍ କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ବ୍ୟବସ୍ଥାର ରୂପାନ୍ତରଣ ଦିଗରେ ଓଡ଼ିଶା ମିଲେଟ୍ ମିଶନର ନେତୃତ୍ୱ ପ୍ରଦାନ ଓ ଚାଷୀମାନଙ୍କୁ ଭିତିଭୂମିର ସହାୟତା ଯୋଗାଇଦେବା ସଂପର୍କରେ ଡ. ପାଢ଼ୀ ଆଲୋଚନା କରିଥିଲେ । ୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ସୋନାଲ ଚୌଧୁରୀ ଓ ସିଏସ୍ଏର ଡ. ରମଣ ଜାନେୟୁଲୁ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବା ସହିତ କର୍ମଶାଳାରେ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଉପସ୍ଥାପନ କରିଥିବାବେଳେ ଅଂଶୀଦାରଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ତର୍ଜମା କରାଯାଇ ମିଶନକୁ ଅଧିକ ଫଳପ୍ରଦ କରାଯିବ ବୋଲି ଡ. ପାଢ଼ୀ କହିଥିଲେ ।

କର୍ମଶାଳାରେ ଓଡ଼ିଶା ମିଲେଟ୍ ମିଶନ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସଂପର୍କରେ ସମୀକ୍ଷା କରାଯାଇ ଏହାର ପୋଷଣୀୟ ପ୍ରଦର୍ଶନ ନିମନ୍ତେ ଉପଲବ୍ଧ ତଥ୍ୟର ବିଶ୍ଳେଷଣ, ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଯୋଗାଣ ଶୃଙ୍ଖଳ, ଉତମ ପ୍ରଥାର ସମୀକ୍ଷା ଏବଂ ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ବ୍ୟବସାୟିକ ମଡେଲ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।

ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକାରୀ ହେବା ପୂର୍ବରୁ ମିଲେଟ୍ ର ମୂଲ୍ୟଶୃଙ୍ଖଳର ବିଭିନ୍ନ ଦିଗ ଉପରେ କୌଣସି ଜନସଚେତନତା ନଥିଲା ଏବଂ ମାଣ୍ଡିଆର ଦର ମଧ୍ୟ କମ୍ ଥିଲା । ଏହା ଦ୍ୱାରା ଚାଷୀମାନଙ୍କ ମଧ୍ୟରେ ମିଲେଟ୍ ଚାଷ ନିମନ୍ତେ ଅନାଗ୍ରହ ପରିଲକ୍ଷିତ ହେଉଥିଲା । ମିଶନ କାର୍ଯ୍ୟକାରୀ ହେବା ପରେ ମିଲେଟ୍ ର ସଂପର୍କରେ ବ୍ୟାପକ ଜନସଚେତନତା ବୃଦ୍ଧି ପାଇଛି ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ୍ ସଂଗ୍ରହ ଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରୁଛନ୍ତି ଏବଂ ଲୋକଙ୍କର ଖାଦ୍ୟାଭ୍ୟାସର ମଧ୍ୟ ପରିବର୍ତନ ଆସିଛି ବୋଲି କର୍ମଶାଳରେ ଯୋଗଦେଇଥିବା କୃଷକ ଉତ୍ପାଦକ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶୀଦାରମାନେ ମତ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ରବି ଋତୁରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀମାନେ ପ୍ରସ୍ତାବ ଦେଇଥିଲେ ।

ଭିତ୍ତିଭୂମିର ବିକାଶ ବ୍ୟତୀତ ମାଣ୍ଡିଆର ପ୍ରକ୍ରିୟାକରଣ ଦ୍ୱାରା ଏହାକୁ ଅଧିକ ମୂଲ୍ୟଯୁକ୍ତ କରିବା ଓ ହିସାବ ରକ୍ଷଣ ଦିଗରେ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ବୋଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନେ ମତ ଦେଇଥିଲେ । ଏହି କ୍ରମରେ ଗୋଷ୍ଠୀର ସଦସ୍ୟାମାନଙ୍କୁ ମାଣ୍ଡିଆ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ନେବା ଏବଂ ମଦର କିଚେନ୍ ସୁବିଧା ଯୋଗାଇଦେବା ପାଇଁ କହିଥିଲେ । ସ୍କୁଲ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ, ହସ୍ପିଟାଲ୍, ସେନା କ୍ୟାଂଟିନ୍, ରେଳବାଇ, ବିମାନବନ୍ଦର ଆଦି ସ୍ଥାନଗୁଡ଼ିକରେ ମିଲେଟ୍ସକୁ ଅନ୍ତର୍ଭୁକ୍ତ କରାଯାଇପାରିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଅଧିକ ବଜାର ସୃଷ୍ଟି ହୋଇପାରିବ ବୋଲି ପ୍ରତିନିଧିମାନେ କହିଥିଲେ ।

ସାଂପ୍ରତିକ ସମୟରେ ମାଣ୍ଡିଆ କ୍ଷେତ୍ରରେ ହେଉଥିବା ବିଭିନ୍ନ ଗବେଷଣା ଓ ଉନ୍ନତି ସଂପର୍କରେ କର୍ମଶାଳାରେ ଯୋଗଦେଇଥିବା ବୈଷୟିକ ବିଶେଷଜ୍ଞମାନେ ଆଲୋଚନା କରିବା ସହିତ ଓଡ଼ିଶା ମିଲେଟ୍ ମିଶନ ଦ୍ୱାରା କିଭଳି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ସଂପର୍କରେ ମତ ଦେଇଥିଲେ ।

ଏଥି ସହିତ ବେସରକାରୀ ରେଷ୍ଟୁରାଣ୍ଟ, କମ୍ପାନୀ ଓ କାଫେ, ଉଦ୍ୟୋଗ ଏବଂ ଉତ୍ପାଦ ନିମନ୍ତେ ଏକକ ମାନକ ସ୍ଥିର କରିବା, ଗ୍ରାମାଂଚଳରେ ଷ୍ଟାର୍ଟଅପ୍ ପ୍ରତିଷ୍ଠା ପାଇଁ ଇନ୍କ୍ୟୁବେସନ୍ କେନ୍ଦ୍ର ସ୍ଥାପନ, ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ ଓ ପ୍ୟାକେଜିଂ ଦିଗରେ ଚାଷୀ ଓ କୃଷକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ପ୍ରଦାନ, ପେଶାଦାର ଢଙ୍ଗରେ ବଜାର ପରିଚାଳନା, କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ ନିମନ୍ତେ ତାଲିମ ପ୍ରଦାନ, ମାଣ୍ଡିଆର ରପ୍ତାନୀର ଦୃଷ୍ଟିକୋଣରୁ ସହରାଂଚଳ ଓ ଗ୍ରାମାଞ୍ଚଳର ବଜାର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ଏବଂ ମାଣ୍ଡିଆ ଚାଷର ସ୍ୱଦେଶୀ ଜ୍ଞାନକୌଶଳର ଡକୁମେେଂଟସନ୍ ଆଦିକୁ ମିଶନ ମୋଡରେ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବାହ୍ନରେ କର୍ମଶାଳାକୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉଦ୍ଘାଟନ କରିଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଓଡ଼ିଶା ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ଏହି କର୍ମଶାଳାରେ ମିଶନ ଶକ୍ତି, ଯୋଜନା ଓ ସଂଯୋଜନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ଏମସ୍, ଓୟୁଏଟି, ଆଇସିଏଆର-ଏନ୍ଆରଆରଆଇ, ଆଇସିଏଆର-ଆଇଆଇଏମ୍ଆର, ଆଇସିଏଆର-ସିଆଇଡବ୍ଲ୍ୟୁଏ, ଓଡ଼ିଶା ଷ୍ଟେଟ୍ ବାୟୋଡାଇଭରସିଟି ବୋର୍ଡ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଂଟ, ଆଇଟିସିର ଏକ୍ଜିକ୍ୟୁଟିଭ୍ ସେଫ୍, ଚିଫ୍ ମାଇକେଲ୍, ବିଓସିସିଏ କାଫେ, ମିଲେଟ୍ ଫ୍ରେସ୍ ଏବଂ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *