ନବୀନଙ୍କ ଭବ୍ୟ ସମ୍ୱର୍ଦ୍ଧନା ପାଇଁ ଦଳ ପ୍ରସ୍ତୁତ, ବିରୋଧୀ କହିଲା ପ୍ରଚାର ସର୍ବସ୍ବ

ଭୁବନେଶ୍ବର: ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ପାଇ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଭବ୍ୟ ସ୍ୱାଗତ କରିବାରେ ଲାଗି ପଡ଼ିଛି ବିଜେଡ଼ି । ପ୍ରାୟ ୫୦ ହଜାର ଲୋକଙ୍କକୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିବାକୁ ବିଜେଡ଼ି ପ୍ରସ୍ତୁତ । ଏପଟେ ପ୍ରାୟୋଜିତ ପୁରସ୍କାରରେ କାହିଁକି ଆତ୍ମ ପ୍ରଚାର କହି ଟାର୍ଗେଟ କଲେଣି ବିରୋଧୀ।
ଉତ୍ସାହିତ ବିଜେଡି ଶିବିର । ରାଜଧାନୀରେ ଛାଇ ଗଲାଣି ନବୀନଙ୍କ ପୋଷ୍ଟର । ନବୀନଙ୍କ ୨୫ ବର୍ଷ ସଫଳତାର ପୁରସ୍କାର କହି ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଲାଗି ପୁରା ଶଙ୍ଖ ଶିବିର ପ୍ରସ୍ତୁତ। ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ବିମାନବନ୍ଦରରୁ ନବୀନ ନିବାସ ଯାଏ ନବୀନଙ୍କୁ ପାଛୋଟି ନେବେ ପ୍ରାୟ ୫୦ ହଜାର ଲୋକ। ସେଥିଲାଗି ବିମାନ ବନ୍ଦରରୁ ନବୀନ ନିବାସ ଯାଏ ବଡ଼ ବଡ଼ ପୋଷ୍ଟର, ହୋର୍ଡିଂ ଛାଇଯାଇଛି। ଏହା କେବଳ ଏକ ପୁରଷ୍କାର ନୁହେଁ। ଏ ହେଉଛି ନବୀନଙ୍କ ଜୀବନ ବ୍ୟାପି ସାଧନାର ପୁରଷ୍କାର। ରାଜନୀତି ନୁହେଁ, ସେବାନୀତି ଲାଗି ଏ ସମ୍ମାନ।

ଏପଟେ ନବୀନଙ୍କ ସ୍ୱାଗତ ସମ୍ୱର୍ଦ୍ଧନାକୁ ନେଇ କଟାକ୍ଷ କରିଛନ୍ତି ବିରୋଧି । ବିଜେପି କହିଛି ପୁରସ୍କାର ସମ୍ପୁର୍ଣ୍ଣ ପ୍ରାୟୋଜିତ । ତେଣୁ ଏଥିରେ ଆତ୍ମପ୍ରଚାର କରିବାର କୌଣସି ମାନେ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସଂସ୍ଥା ସମ୍ମାନିତ କରିଛି ତାହା କୌଣସି ଜାତୀୟ କିମ୍ୱା ଆନ୍ତର୍ଜୀତୀୟ ସଂସ୍ଥା ନୁହେଁ ବୋଲି କଂଗ୍ରେସ କହିଛି । ଦିଲ୍ଲୀରେ ଶହ ଶହ ଏମିତି ସଂସ୍ଥା ରହିଛି । ତେଣୁ ଏ ସବୁ ପ୍ରଚାରସର୍ବସ୍ୱ କହିଛନ୍ତି ବିରୋଧି।
ସେପଟେ ୫୦ ହଜାର ଲୋକଙ୍କ ସମାଗମକୁ ଆଖି ଆଗରେ ରଖି ଟ୍ରାଫିକ ନିୟନ୍ତ୍ରଣ, ରୁଟ୍ ଲାଇନିଂ ଆରେଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣ ଲାଗି ୮ଜଣ ଅତିରିକ୍ତ ଡିସିପି ଓ ୧୬ ଏସିପି ରହିବେ। ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ୩ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି।
୨୨ ବର୍ଷ ଧରି କ୍ଷମତାରେ ରହିଲା ପରେ କାହିଁକି ଏମିତି କାର୍ଯ୍ୟକ୍ରମ ବୋଲି ଆଲୋଚନା ହେଉଛି । ଆଗରୁ ବି ଶ୍ରେଷ୍ଠ ପ୍ରଶାସକ ଓ ନମ୍ୱର ଓ୍ୱାନ ମୁଖ୍ୟମନ୍ତ୍ରୀ ପୁରଷ୍କାର ଓ ସମ୍ମାନର ଅଧିକାରୀ ବେଳେ ନବୀନଙ୍କୁ ଏଭଳି ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନାରେ କମ୍ପିଥିଲା ବିମାନବନ୍ଦରରୁ ନବୀନ ନିବାସ। ଆଉ ମଙ୍ଗଳବାର ଏହି ଦୃଶ୍ୟପଟ୍ଟର ପୁନରାବୃତ୍ତି ହେବ। ବିଜେଡି ଏହି ପୁରଷ୍କାରକୁ ଆଧାର କରି ଭୋଟ ବ୍ୟାଙ୍କ ଅଧିକ ମଝଭୁତ କରିବାକୁ ପ୍ରୟାସ କରିବ ବୋଲି ଆକଳନ ହେଉଛି ତ ବିରୋଧୀ ସମାଲୋଚନାର ତୀରରେ ଶାଣିତ ଟାର୍ଗେଟ କରି ନିଜର ଦାୟିତ୍ୱ ତୁଲାଉଛି ଯେମିତି।
ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ