ଅଛୁଆଁ, ଅଲୋଡ଼ା ଓ ଅଣଦେଖାର ଟ୍ୟାଗ୍‌ଲାଇନ ସହ ସାଂସଦ ଅପରାଜିତା!

Spread the love

ଅଛୁଆଁ, ଅଲୋଡ଼ା ଓ ଅଣଦେଖାର ଟ୍ୟାଗ୍‌ଲାଇନ ଯେମିତି ଲାଗିସାରିଛି ସାଂସଦ ଅପରାଜିତାଙ୍କ ପଛରେ। ଏହି ଟ୍ୟାଗଲାଇନ ଆଉ କେହି ନୁହେଁ, ତାଙ୍କରି ଦଳର ଅନେକ ତୁଙ୍ଗ ନେତା ହିଁ ଲଗାଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁରୀରେ ଯେଭଳି ବାଗରେ ପାଓ୍ୱାର ସୋ ଦେଖାଇଲେ ଅପରାଜିତା, ତାକୁ ବି ସହଜରେ ଗ୍ରହଣ କରିପାରିଲାନି ଦଳ। ସେଥିଲାଗି ତ ବୁଲେଇ ବାଙ୍କେଇ କିଏ ଅପରାଜିତାଙ୍କ ଏଭଳି କାର୍ଯ୍ୟକଳାପ ସହ ଦଳ ନାହିଁ ବୋଲି କହିଲାଣି ତ କିଏ ସାମାଜିକ ଗଣମାଧ୍ୟମରେ ଅଣ ଓଡ଼ିଆ କହି ତାତ୍ସଲ୍ୟ କଲାଣି। ବଡ଼ କଥା ହେଲା, ଏ ସବୁ କହୁଛନ୍ତି ଓ କରୁଛନ୍ତି ନିଜ ଦଳର ନେତାଏ। ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପତିଆରା ଲଢେଇର ଏ ଯେ ପ୍ରତିଫଳନ, ତାକୁ ବି ଫେସବୁକ୍ ପୋଷ୍ଟରେ ପରୋକ୍ଷରେ ସ୍ପଷ୍ଟ କରିସାରିଲେଣି ଦଳୀୟ ନେତା ଓ କର୍ମୀ। 

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ନିମନ୍ତ୍ରଣ କରାନଯିବା ପ୍ରତିବାଦରେ ବି ଏକାକୀ ଥିଲେ ସାଂସଦ। ରାଜ୍ୟ ସରକାରଙ୍କୁ ସୌଜନ୍ୟତାର ପାଠ ପଢାଇବା ସହ ସମ୍ମାନ ହାନି କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆକ୍ସନ ନ ହେଲା ଯାଏ ଚୁପ୍ ବସିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ହେଲେ ସାଂସଦଙ୍କୁ ଅପମାନ କିନ୍ତୁ ବିଜେପିକୁ ବାଧିଲାନି। ସମସ୍ତେ ଚୁପ୍ ରହିଲେ। କେହି ମୁହଁ ଖୋଲିଲେନି। ବିକାଶରେ ଦଳ ନାହିଁ ବୋଲି ଦେଇଥିବା ମନ୍ତବ୍ୟରେ ବି ଚୁଟକିନା କିଛି ନେତା ଫେସବୁକ ପୋଷ୍ଟ କରି ସମାଲୋଚନା କରିବାକୁ ପଛାଇଲେନି। ଏକଲା ଚଲୋ ନୀତିରେ ଏମିତି କେତେ ଦିନ ଯାଏ ଚାଲିବେ ଅପରାଜିତା, ଦେଖିବାର କଥା। ଦଳ ପାଇଁ କାମ କର ଓ ଜିତାଅ। ଗ୍ରୁପିଜିମ୍ ଛାଡ଼। ନଚେତ ଦଳ ଛାଡିଦିଅ। ତାଙ୍କର କୌଣସି ଗ୍ରୁପ୍ ନାହିଁ କି କେବେ ବି ନିର୍ଦ୍ଦିଷ୍ଟ ଗ୍ରୁପରେ ରହିବେନି ବୋଲି ୨୦୧୮ରେ ଦଳୀୟ କର୍ମୀଙ୍କୁ ଦେଇଥିବା ମନ୍ତବ୍ୟର ଭିଡିଓ ଭାଇରାଲକୁ ମନେ ପକାଇଲେ ଲାଗୁଛି , ଏ ଦଶା ଅପରାଜିତାଙ୍କ ଉପରେ ପଡିନି ତ। ସେତେବେଳେ ବି କେହି ପାଟି ଖୋଲିନଥିଲେ।  ଅବଶ୍ୟ ସୁବାଷ ଚୌହ୍ୱାନ କଟାକ୍ଷରେ ଉତ୍ତର ଦେଇଥିଲେ, ଏବେ ଏବେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି। ଆଗ ଶିଖନ୍ତୁ। ବିଜେପିର ସଂଗଠନ ସଂରଚନା ଓ ରୂପରେଖ ଜାଣି କୁହନ୍ତୁ।

ବିରୋଧ ଭିତରେ ବଡ଼ଦାଣ୍ଡରେ ପଦଯାତ୍ରା କରି ସରକାରଙ୍କଠୁ ନେଇ ପୁରୀ ସାଂସଦଙ୍କ ଯାଏ ସମସ୍ତଙ୍କୁ ଅଭିଯୋଗର କାଠଗଡ଼ାକୁ ଟାଣିନେଲେ ଅପରାଜିତା। ଏପରିକି ଗଜପତି ମହାରାଜାଙ୍କ ଆଶ୍ରୟ କାହିଁକି ନେବାକୁ ପଡିଲା ବୋଲି ପ୍ରଶ୍ନବାଣରେ ଛନ୍ଦି ଦେଇଥିଲେ। କିନ୍ତୁ ପ୍ରତିପକ୍ଷ ଦଳର ଶାଣିତ କାଉଣ୍ଟରଠୁ ବଳିଗଲାଣି ନିଜ ଦଳର ଅସହଯୋଗ ମନୋଭାବ। ଆଗକୁ ଦେଖିବାର କଥା ବିଜୟ ମହାପାତ୍ରଙ୍କ ଭଳି ଅପରାଜିତା ବି ଦଳରେ ରହି ନ ରହିଲା ଭଳି ପରିସ୍ଥିତି ଉପୁଜିବ କି।

Leave a Reply

Your email address will not be published. Required fields are marked *