ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ରେଖା ଗୁପ୍ତା

ଦିଲ୍ଲୀରେ ଆଜିଠୁ ଆରମ୍ଭ ହେଲା ରେଖା ରାଜୁତି। ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମାଙ୍କ ସମେତ ୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ଭିକେ ସକ୍ସେନା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିଲେ। ରାମଲୀଳା ମୈଦାନରେ ବିଶାଳ ଜନସମାବେଶ ଭିତରେ ଶପଥ ସମାରୋହ ପର୍ବ ହୋଇଥିଲା। ଶପଥ ଗ୍ରହଣ ପରେ ରେଖା କହିଛନ୍ତି, ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବୁ। ମୋଦିଙ୍କ ଭିଜନକୁ ସାକାର କରିବୁ। ପରବେଶ ବର୍ମା କହିଛନ୍ତି, ଦିଲ୍ଲୀବାସୀ ଅନେକ ଦାୟିତ୍ୱ ବିଜେପି ସରକାର କାନ୍ଧରେ ଦେଇଛନ୍ତି। କେନ୍ଦ୍ରର ସମସ୍ତ ଯୋଜନା ଦିଲ୍ଲୀକୁ ଆସିବ। ଲୋକେ ତାହାର ସୁଫଳ ପାଇବେ। ଏହି ଅବସରରେ ଏନଡିଏର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ।

ଏକତାର ମେଗା ସୋ ରେ ଦିଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ରେଖା। ମ୍ୟୁନିସିପାଲିଟି କାଉନସିଲରରୁ ରାଜନୈତିକ ଇନିଂସ ଆରମ୍ଭ କରିଥିବା ରେଖା ଆଜି ଦିଲ୍ଲୀ ଶାସନର ମଙ୍ଗ ଧରିଛନ୍ତି। ୨୦୧୫ ଓ ୨୦୨୦ରେ ବିଧାନସଭା ନିର୍ବାଚନ ହାରିଯାଇଥିଲେ। ଏଥର ଭାଗ୍ୟ ପୁରା ତାଙ୍କ ସହ ସାଥ୍ ଦେଇଥିଲା। ଆପ୍‌ର ବନ୍ଦନା କୁମାରୀଙ୍କଠୁ ଦୁଇ ଥର ହାରିଥିବା ରେଖା ଏଥର ବନ୍ଦନାଙ୍କୁ ୨୯ହଜାରରୁ ଉର୍ଦ୍ଧ୍ୱ ଭୋଟରେ ହରାଇଛନ୍ତି। ପ୍ରଥମ ଥର ଶାଲିମାରବାଗ୍ ଆସନରୁ ବିଧାୟକ ହୋଇ ସିଧା ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜିଲେ। ୨୦୨୨ ମେୟର ନିର୍ବାଚନରେ ଅଳ୍ପକେ ଆପ୍ ର ସେଲି ଓବରଏଙ୍କଠୁ ହାରିଯାଇଥିଲେ ରେଖା। ୨୭ ବର୍ଷ ପରେ ଦିଲ୍ଲୀର ଶାସନଡୋରି ଧରିଛି ବିଜେପି। ଆରଏସଏସ ବ୍ୟାକଗ୍ରାଉଣ୍ଡର ରେଖାଙ୍କ ନେତୃତ୍ୱ ଉପରେ ଭରସା କରିଛି ଶୀର୍ଷ ନେତୃତ୍ୱ। ଦିଲ୍ଲୀ ଶାସନର ମଙ୍ଗ ଧରିବା ପରେ ରେଖାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶୀ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ ବିଜେପି ସରକାର। ଦିଲ୍ଲୀ ବିକାଶରେ ରେଖା ସରକାରଙ୍କୁ ଆମ୍ ଆଦମୀ ଦଳର ପୁରା ସହଯୋଗ ମିଳିବ ବୋଲି କହିଛନ୍ତି ଅତିଶୀ। ସେପଟେ ମୁଖ୍ୟମନ୍ତ୍ରୀ ବଛା ହେବା ଆଗରୁ ଶପଥ ସମାରୋହର ନିମନ୍ତ୍ରଣପତ୍ର ବଣ୍ଟନକୁ ନେଇ ଆପ୍ ସମାଲୋଚନା କରିଥିଲା। ବିଜେପି ସମସ୍ତ ପରମ୍ପରା, ମର୍ଯାଦା ଓ ନିୟମକୁ ଭାଙ୍ଗିଥିଲା।

ଶପଥ ନେବା ପରେ ନିଜ ମନ୍ତ୍ରୀଙ୍କ ସହ ସଚିବାଳୟ ଯାଇଥିଲେ ରେଖା। ସେଠାରେ ମୁଖ୍ୟମନ୍ତ୍ରୀ ଚୌକିରେ ବସି ବିଧିବଦ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *