ଦିଲ୍ଲୀ ହେବ କାହାର ?

ଭୋଟ ଦେଲା ଦିଲ୍ଲୀ। ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ପଡ଼ିଲା ଭୋଟ। ମୋଟ୍ ୧୩ହଜାର୭୬୬ କେନ୍ଦ୍ରରେ ଦେଢ଼ କୋଟିରୁ ଅଧିକ ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି। ମୈଦାନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିଥିଲା ଭୋଟ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡାକ୍ତର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଉପ-ରାଷ୍ଟ୍ରପତି ଜଗଦୀପ ଧନକଡ଼ ନିଜ ପତ୍ନୀଙ୍କ ସହ ମତଦାନ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ ଦେଇଛନ୍ତି। ଏଲଜି ଭିକେ ସକ୍ସେନା, ମୁଖ୍ୟମନ୍ତ୍ରୀ ଅତିଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ନିଜ ପତ୍ନୀ ଓ ବାପା ମାଆଙ୍କ ସହ ଯାଇ ଭୋଟ୍ ଦେଇଛନ୍ତି। ନୂଆ ଦିଲ୍ଲୀ ବିଧାନସଭା ଆସନରୁ କେଜ୍ରିଓ୍ୱାଲଙ୍କ ସହ ବିଜେପିର ପ୍ରବେଶ ବର୍ମା ଓ କଂଗ୍ରେସର ସନ୍ଦୀପ ଦିକ୍ଷିତ ଲଢୁଛନ୍ତି। ସିଜେଆଇ ସଞ୍ଜୀବ ଖାନ୍ନା, ନିର୍ବାଚନ କମିଶନର ରାଜୀବ କୁମାର, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ନିଜ ସ୍ୱାମୀ ଓ ପୁଅ ସହ ଯାଇ ମତସାବ୍ୟସ୍ତ କରିଥିଲେ। ରବର୍ଟ ଭଦ୍ରା କହିଛନ୍ତି, ସବୁଜିମାର ଦିଲ୍ଲୀ ଏବେ ଜରୁରୀ। ଲଗାତାର ୨ଥର ଦିଲ୍ଲୀର ଶାସନରେ ରହିଥିବା ଆପ୍ ଚଳିତ ଥର ହାଟ୍ରିକ୍ ବିଜୟ ଲକ୍ଷ୍ୟରେ ଅଛି। ସେପଟେ ୨୭ ବର୍ଷ ପରେ କ୍ଷମତାକୁ ଫେରିବାକୁ ସବୁ ପ୍ରକାର ପ୍ରୟାସ କରିଛି ବିଜେପି। ଆଉ ଲଗାତାର ୧୫ ବର୍ଷ ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ପାଇଁ ବି ଚଳିତ ନିର୍ବାଚନ ସମ୍ମାନର ପ୍ରସଙ୍ଗ ପାଲଟିଛି। ଗଣତନ୍ତ୍ରର ବଡ଼ ପର୍ବରେ ସାମିଲ ହୋଇ ଦିଲ୍ଲୀର ଉଜ୍ଜ୍ୱଳ ଭବିଷ୍ୟତ, ଉତ୍ତମ ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜରୁରୀକାଳୀନ ଆବଶ୍ୟକତାକୁ ଦେଖି ଭୋଟ ଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ। ଏହା ଧର୍ମଯୁଦ୍ଧ ବୋଲି କହିଛନ୍ତି ଅତିଶୀ। କୌଣସି ଗୁଜବ, ମିଛ ପ୍ରଚାରରେ ନ ପଡ଼ି ବିକାଶର ମୁଦ୍ଦାକୁ ନେଇ ଭୋଟ ଦେବାକୁ କହିଛି ଆପ୍। ସତ, କାମ ସପକ୍ଷରେ ଛିଡ଼ା ହେବେ ଦିଲ୍ଲାବାସୀ ଆଉ ଗୁଣ୍ଡାଗର୍ଦ୍ଦିକୁ ପରାସ୍ତ କରିବେ। ବିଜେପି କହିଛି, ଭ୍ରଷ୍ଟାଚାର ହଟାଇବାକୁ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ଦିଲ୍ଲୀବାସୀ। କଂଗ୍ରେସ କହିଛି, ଗଲା ୧୦ ବର୍ଷ ଧରି ଏଲଜି ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଝଗଡ଼ା ହିଁ କେବଳ ଦିଲ୍ଲୀର ମୁଖ୍ୟ ମୁଦ୍ଦା ସାଜିଛି। ଏମିତି ସ୍ଥିତି କଂଗ୍ରେସ ଅମଳରେ ହୋଇନଥିଲା। ଦିଲ୍ଲୀବାସୀ ଆଶା, ଆକାଙ୍କ୍ଷା ଓ ବିକାଶକୁ ନେଇ ଭୋଟ ଦେବେ। ନିର୍ବାଚନ ପ୍ରଚାର ଲାଗି ପାରୋଲରେ ଆସି ପୁ଼୍ଣି ଜେଲ୍ ଫେରିଥିବା ତାହିର ହୁସେନଙ୍କ ପତ୍ନୀ କାନ୍ଦି କାନ୍ଦି ନିଜ ପତିଙ୍କୁ ଜିତାଇବାକୁ ଅପିଲ୍ କରିଥିଲେ। ଏଆଇଏମଆଇଏମ ପ୍ରାର୍ଥୀ ଅଟନ୍ତି ତାହିର।

ସେପଟେ ଭୋଟିଂ ବେଳେ ଅନେକ ଅନିୟମିତତାକୁ ନେଇ ଆରୋପ ପ୍ରତ୍ୟାରୋପ ତେଜିଥିଲା। ମୁଖ୍ୟମନ୍ତ୍ରୀ ଅତିଶୀ କିଛି ଭୋଟରଙ୍କୁ ଉସୁକାଇ ଝଗଡ଼ା କରିବା ସହ ଆକ୍ରମଣ କରିବାକୁ ପଠାଇଥିଲେ ବୋଲି ଭିଡ଼ିଓ ଭାଇରାଲ ହୋଇଛି। ଏଜେଣ୍ଟଙ୍କ ବିନା ଉପସ୍ଥିତିରେ ମକ୍ ପୋଲିଂକୁ ନେଇ ତିଳକମାର୍ଗ ମତଦାନ କେନ୍ଦ୍ରରେ ଆପ୍ ଏଜେଣ୍ଟ ପ୍ରତିବାଦ କରିଥିଲେ। ସେପଟେ ବୁଥରେ ବିଜେପିର ପ୍ରଚାର ସାମଗ୍ରୀ ରଖିବାକୁ କେନ୍ଦ୍ର କରି ଝାମେଲା ହୋଇଥିଲା। ଅତି ସମ୍ୱେଦନଶୀଳ ବୁଥ୍ ରାଷ୍ଟ୍ରପତି ଭବନ ପାଖରେ ୨୭ ନମ୍ୱର ବୁଥର ଏନ୍‌ ବ୍ଲକରେ ଟଙ୍କା ବଣ୍ଟାର ଆରୋପ ଲଦିଥିଲା ଆପ୍। ଆଉ କିଛି ଭୋଟରଙ୍କ ଅଙ୍ଗୁଳିରେ ଭୋଟ ଦେବା ବହୁ ଆଗରୁ ଭୋଟର କାଳି ଚିହ୍ନ ଲାଗିସାରିଥିଲା। ଅସଲ ଭୋଟରଙ୍କ ବଦଳରେ ନକଲି ଭୋଟରଙ୍କୁ ଠାବ କରିଥିଲା ପୁଲିସ। ଆପ୍‌ର ଦୁଇ ବିଧାୟକଙ୍କ ବିରୁଦ୍ଧରେ ଏତଲା ହୋଇଛି। ବିଧାୟକ ଦିନେଶ ମୋହନିଆ ଜଣେ ମହିଳାଙ୍କୁ ଫ୍ଲାଇିଂ କିସ୍ ଦେବା ଆରୋପରେ ସଙ୍ଗମ ବିହାର ଥାନାରେ ଏତଲା ହୋଇଥିଲା ବେଳେ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ବିରୁଦ୍ଧରେ ଆଚାର ସଂହିତା ଉଲ୍ଲଂଘନ ନେଇ ଏତଲା ହୋଇଛି।

ଦିଲ୍ଲୀରେ ଭୋଟ ଚାଲିଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦି ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି। ଗଙ୍ଗା ଆଳତୀ କରିବା ପରେ ଦିଲ୍ଲୀ ଫେରିଥିଲେ ମୋଦି। ଦିଲ୍ଲୀରେ ସବୁବେଳେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଛି। ଏଥର ଦିଲ୍ଲୀବାସୀଙ୍କ ମୁଡ୍ କଅଣ, ଫେବୃଆରୀ ୮ରେ ଇଭିଏମ ଖୋଲିଲେ ସ୍ପଷ୍ଟ ହେବ। ଆମ୍ ଆଦମୀ ଦଳର ସରକାର ପ୍ରଥମ କାର୍ଯ୍ୟକାଳରେ ମେଣ୍ଟ ସହଯୋଗୀ କଂଗ୍ରେସର ହାତ ଛାଡ଼ିଦେଇଥିଲା ମାତ୍ର ୪୮ ଦିନରେ। କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କୁ କ୍ଷମା ମାଗି ଆଉ ଏକ ମଉକା ଦେବାକୁ ଅପିଲ୍ କରି ୨୦୧୫ରେ ନିର୍ବାଚନ ଜିତିଥିଲେ। ସେବେଠୁ ଆପ୍ ସରକାର ଦିଲ୍ଲୀରେ ରାଜ୍ କରିଆସୁଛି। ଗଲା ୨୦୨୦ ବିଧାନସଭା ନିର୍ବାଚନରେ ୬୨.୫୯ ପ୍ରତିଶତ ଭୋଟର ଭୋଟ୍ ଦେଇଥିଲା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ୍ ପଡ଼ିଥିଲା ମାତ୍ର ୫୬ ପ୍ରତିଶତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *