ଯାହା ହେଲେ ବି ଆମ ପାଇଁ ବିଧାୟକ ବଡ଼, ତାଙ୍କ ତୁଳନାରେ ଗୁରୁତର ଶିଶୁଟି କିଛି ନୁହେଁ

Spread the love

ଆମ ପାଇଁ ବିଧାୟକ ବଡ଼। ତାଙ୍କ ତୁଳନାରେ ଗୁରୁତର ଶିଶୁ କିଛି ନୁହେଁ। ଏଭଳି କିଛି ଆଚରଣରେ ଦେଖାଇ ଦେଇଛନ୍ତି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ।  ନିଆଁରେ ପୋଡ଼ି ହୋଇ ଶୀତତାପ ନିୟନ୍ତ୍ରିତ ରୁମରେ ଚିକିତ୍ସା ହେଉଥିବା ୭ ବର୍ଷର ଝିଅଟିକୁ ଅନ୍ୟତ୍ର ସ୍ଥାନାନ୍ତର କରି ବିଧାୟକଙ୍କୁ କିଭଳି ଏହି ରୁମ୍ ଦିଆଗଲା, ତାକୁ ନେଇ ଦେବଗଡ଼ ରାଜନୀତି ତେଜିବାରେ ଲାଗିଛି।

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୀତତାପ ନିୟନ୍ତ୍ରିତ କକ୍ଷରେ ଥିଲେ ବିଧାୟକ ସୁବାଷ ପାଣିଗ୍ରାହୀ। ତିଳେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ବିଧାୟକ ଅସୁସ୍ଥ ହେବାରୁ ଏଠାରେ ଭର୍ତ୍ତି ହୋଇଥିଲେ। ତେବେ ବିଡ଼ମ୍ୱନାର କଥା ହେଲା କି, ଏହି ଏସି ରୁମ୍ ରେ ଚିକିତ୍ସା ହେଉଥିଲା ୭ ବର୍ଷର ଝିଅଟି। ଯିଏ କି ନିଆଁରେ ପୋଡ଼ି ହୋଇ ଗୁରୁତର ଥିଲା। ବିଧାୟକଙ୍କୁ ଏସି ରୁମ୍ ଦେବାକୁ ଯାଇ ଝିଅଟିକୁ ରାତାରାତି ସ୍ୱତନ୍ତ୍ର କ୍ୟାବିନରୁ ସ୍ଥାନାନ୍ତର କରିଦିଆଗଲା। ଯାହା ହେଲେ ବି ଆମ ପାଇଁ ବିଧାୟକ ବଡ଼। ତାଙ୍କ ତୁଳନାରେ ଗୁରୁତର ଶିଶୁଟି କିଛି ନୁହେଁ କହି କେମିତି ଅମାନବିୟତାର ପରିଚୟ ଦେଲେ କହି ହସ୍ପିଟାଲ କର୍ତ୍ତୃପକ୍ଷ ବୋଲି ବିଜେଡି ଓ କଂଗ୍ରେସ ନିନ୍ଦା କରିଛି। ଏଭଳି କ୍ଷମତା ଆଗରେ ଯେ ସବୁ ତୁଛ ଜାଣି, କାହାକୁ କହିବେ ଓ କିଏ ଶୁଣିବେ ସେ ଚିନ୍ତାରେ ଝିଅଟିର ପରିବାର। ନାତୁଣୀର ଏଭଳି ଦୁର୍ଦଶା ଦେଖି ନୀରବ ରହିବା ଛଡ଼ା ଉପାୟ ବି ନାହିଁ ।

ସେପଟେ ଏଡିଏମଓ କହିଛନ୍ତି କି, ଝିଅଟି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। କୁଲରର ବ୍ୟବସ୍ଥା କରାଯାଇଛି। ବିବାଦ ଜଟିଳ ଆକାର ଧାରଣ କରୁଥିଲା ବେଳେ ବିଧାୟକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ବିଜେପି ବି ପ୍ରତିକ୍ରିୟା ରଖିଛି।

ଆସନ୍ତା ୭ ତାରିଖରେ ବିଧାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ଲାଗି ତାରିଖ ଧାର୍ଯ୍ୟ ହୋଇଛି। ବିଧାୟକ ଅଧିକ ଅସୁସ୍ଥ ଅନୁଭବ କରିବାରୁ ବୁର୍ଲାକୁ ସ୍ଥାନାନ୍ତର ହୋଇସାରିଲେଣି। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଲାଗିଥିବା ଆମାନବୀୟତାର ଅପବାଦ ଯେ ଏତେ ସହଜେ ପୋଛିହେବନି, ଏ କଥା ବି ଜଳଜଳ କରି ଦିଶୁଛି।

Leave a Reply

Your email address will not be published. Required fields are marked *