ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷ ଭାବେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ : ସୂରଜ ସୂର୍ଯ୍ୟବଂଶୀ

Spread the love

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶା ସରକାର ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସ୍କୁଲ ଓ କଲେଜ ଆଦିକୁ ସବୁଜ ରଙ୍ଗ କରିବା ପରେ ଏବେ ସ୍କୁଲ ୟୁନିଫର୍ମର ରଙ୍ଗ ସବୁଜ କରିବା ପାଇଁ ଚିନ୍ତା କରିବା ଦୁଃଖର ବିଷୟ । ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷ ଭାବେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଟ୍ୱିଟ୍ କରି କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶା ସରକାର ଗତ ୧୦ ତାରିଖରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳାଇବା ନେଇ ଏକ ଆଡଭାଇଜାରୀ ଜାରି କରିଛନ୍ତି, ଯାହା ହାସ୍ୟାସ୍ପଦ । ଆଡଭାଇଜାରୀ ଅନୁସାରେ ସରକାର ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ଧଳା ଓ ଘନନୀଳ ବଦଳରେ ‘ହଂଟର ଗ୍ରିନ୍‌’ ରଙ୍ଗର ପୋଷାକ କରିବାକୁ ଯାଉଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ “ସମଗ୍ର ଶିକ୍ଷା” ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ ୟୁନିଫର୍ମ ପାଇଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ମିଳୁଛି । ରାଜ୍ୟ ସରକାର କେଉଁ ଆଧାରରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଅର୍ଥରେ ନିଜସ୍ୱ “ମୁଖ୍ୟମନ୍ତ୍ରୀ ପରିଧାନ” ଯୋଜନା ଘୋଷଣା କରିଛନ୍ତି ? କେନ୍ଦ୍ର ଦେଉଥିବା ଅର୍ଥ ଉପରେ ରାଜ୍ୟ ସରକାର ନିଜର ଷ୍ଟିକର ମାରିବାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ପର ଘର ତିଅଣରେ ଅତିଥି ସତ୍କାର ସଦୃଶ ।

ରାଜନୈତିକ ଉଦ୍ଦେଶ୍ୟ ରଖି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ରାଜ୍ୟ ଭାଗ ନ ଦେଇ କେନ୍ଦ୍ର ଉପରେ ଦୋଷ ଲଦିବା, ବର୍ଷାରେ ପିଲା ମାନଙ୍କୁ ବାଧ୍ୟ ବାଧ୍ୟକତା କରି ୫ଟି ସଚିବଙ୍କୁ ସ୍ୱାଗତ କରାଇବା ଏବଂ କୋମଳମତି ଶିଶୁ ଓ କିଶୋର ମାନଙ୍କୁ ସବୁଜ ରିବନ ଓ ସବୁଜ ଗାମୁଛା ପକେଇ ଦଳୀୟ କାର୍ଯ୍ୟକ୍ରମରେ ନେତା ମନ୍ତ୍ରୀଙ୍କୁ ସ୍ୱାଗତ କରିବାର ନଜିର ରହିଥିଲା । ଏବେ ଆଉ ଗୋଟେ ପାଦ ଆଗକୁ ଯାଇ ଓଡ଼ିଶା ସରକାର ଦଳୀୟ ଭାବନାରେ ପିଲାଙ୍କ ସମ୍ପୂର୍ଣ୍ଣ ୟୁନିଫର୍ମକୁ ସବୁଜ କରିବା ପାଇଁ ଚିନ୍ତା କରିବା ଏବଂ ତା’ ଉପରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ମାରିବା ଦୁଃଖଦାୟକ । ସବୁଜ ରଙ୍ଗ ପଛରେ ଲୁଚି ରହିଥିବା ସତ ସାଧାରଣ ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏକ କୁଠାରାଘାତ ସଦୃଶ ।

ରାଜ୍ୟର ଅନେକ ସ୍ଥାନରେ ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ହୋଇଥିବା ସ୍କୁଲର ଛାତରୁ ପାଣି ପଡୁଥିବା ବେଳେ କେଉଁଠି କେଉଁ ସ୍କୁଲର ପାଚେରି ଭାଙ୍ଗିଯାଉଛି । ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜେଡି ସରକାର ଯେଉଁ ରାଜନୀତି କରୁଛି, ଓଡ଼ିଶାବାସୀ କ୍ଷମା ଦେବେ ନାହିଁ । ଯେଉଁ ଓଡ଼ିଶାରେ ୧୯ ପ୍ରତିଶତ ନବଜାତ ଶିଶୁଙ୍କ ଓଜନ କମ ରହିଛି ଏବଂ ୩୧ ପ୍ରତିଶତ ଶିଶୁ ପୁଷ୍ଟିହୀନର ଶୀକାର ଏବଂ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶିଶୁ ରକ୍ତହୀନତାରେ ପୀଡିତ, ସେହି ଶିଶୁ ଏବଂ କିଶୋର କିଶୋରୀଙ୍କ ଉପରେ ରାଜ୍ୟ ସରକାର ଧ୍ୟାନ ନ ଦେଇ ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରିବା ଚିନ୍ତାର କାରଣ ।

୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ରିପୋର୍ଟ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ– ୨.୦ ରେ ଓଡ଼ିଶା ମାତ୍ର ୫୧୭.୧ ସ୍କୋର ହାସଲ କରି ଦଶମ ସ୍ଥାନରୁ ଖସି ୨୪ ତମ ସ୍ଥାନରେ ପହଁଚିଛି, ଯାହା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନା ଆସିଛି । ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରିବା ପରିବବର୍ତେ ଶିକ୍ଷା କ୍ଷେତ୍ରରେ ଥିବା ଅବ୍ୟବସ୍ଥାକୁ ସଜାଡିଲେ ଭଲ ହେବ । ରାଜ୍ୟ ସରକାର କେବଳ ପୋଷାକର ରଙ୍ଗ ପରିବର୍ତନ କଲେ ଚଳିବ ନାହିଁ, ଗୁଣାତ୍ମକ ଶିକ୍ଷା ସହ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ସହ ସେମାନଙ୍କର ଉତମ ସ୍ୱାସ୍ଥ୍ୟ କିପରି ରହିବ, ତା’ ଉପରେ ଧ୍ୟାନ ଦେଲେ ଓଡ଼ିଶାବାସୀ ଖୁସି ହେବେ ବୋଲି ଧାମନଗର ବିଧାୟକ ଟ୍ୱିଟ୍ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *