୨୦୧୯: କେଉଁଠି ହୋଇଥିଲା କ୍ଲୋଜ୍ ଫାଇଟ୍?

Spread the love

୧୪୭ରୁ ୧୧୨ ଆସନରେ ଜିତିଥିଲା ବିଜେଡି। ୨୦୧୪ ତୁଳନାରେ ୨୦୧୯ରେ ୫ଟି ସିଟ୍ ହରାଇଥିଲା ବିଜେଡି। ୧୪୬ ଆସନରେ ଲଢ଼ିଥିଲା ଦଳ। ସେହିଭଳି ବିଜେପି ଲଢ଼ିଥିବା ୧୪୬ ଆସନରୁ ୨୩ଟିରେ ବାଜିମାତ୍ କରିଥିଲା। ୨୦୧୪ ତୁଳନାରେ ୧୦ଟି ଆସନ ଅଧିକ ଜିତିଥିଲା। ଆଉ କଂଗ୍ରେସ ଲଢ଼ିଥିବା ୧୩୮ ଆସନରୁ ୯ଟିରେ ବିଜୟୀ ହୋଇଥିଲା। ୨୦୧୪ ତୁଳନାରେ ୭ଟି ଆସନ ହାତଛଡ଼ା ହୋଇଯାଇଥିଲା। ବଣାଇରୁ ସିପିଆଇଏମର ଲକ୍ଷ୍ମଣ ମୁଣ୍ଡା ଓ ରାୟଗଡ଼ାରୁ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ଜିତିଥିଲେ। ଗଲାଥର ହିଞ୍ଜିଳି ଓ ବିଜେପୁରରେ ଏକାଥରରେ ଦୁଇଟି ଆସନରୁ ଲଢ଼ିବା ଭଳି ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ଲଢ଼ିଛନ୍ତି। ଚଳିତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠର ରେକର୍ଡ ବଜାୟ ରଖିପାରିବ ତ ବିଜେଡି। ନା ସରକାର ବିରୋଧୀ ହାଓ୍ୱାରୁ ଫାଏଦା ଗୋଟାଇ ପରିବର୍ତ୍ତନର ସ୍ୱରକୁ ଶାଣିତ କରିଥିବା ବିଜେପି ପ୍ରଥମ ଥର ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର କରିବାକୁ ସକ୍ଷମ ହେବ। ନା ଏ ଉଭୟ ଦଳକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଗ୍ୟାରେଣ୍ଟିକୁ ବିଶ୍ୱାସ କରି କରିସ୍ମା ଦେଖାଇବେ ଓଡ଼ିଶା ଭୋଟର। ଏ ସବୁର ଉତ୍ତର ଇଭିଏମରେ ଦେଇସାରିଲେଣି ଭୋଟର। ଜୁନ୍ ୪ରେ ଇଭିଏମ୍ ସିଲ୍ ଖୋଲିଲେ ସ୍ପଷ୍ଟତା ଆସିବ। ତେବେ ୨୦୧୯ରେ କେଉଁ ଆସନରେ ସବୁଠୁ କ୍ଲୋଜ୍ ଫାଇଟ୍ ହୋଇଥିଲା। ଆଉ କେଉଁ ଆସନରେ ବୃହତ ବ୍ୟବଧାନରେ ଜିତି ରେକର୍ଡ ରଚିଥିଲେ ପ୍ରାର୍ଥୀ, ନଜର ପକାଇଦେବା। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆସନରେ ସବୁଠୁ ବିଜୟ ବ୍ୟବଧାନ କମ୍ ଥିଲା। କଂଗ୍ରେସର ସନ୍ତୋଷ ସିଂ ସାଲୁଜା ବିଜେପିର ଲକ୍ଷ୍ମଣ ବାଗଙ୍କୁ ମାତ୍ର ୧୨୮ ଖଣ୍ଡ ଭୋଟରେ ହରାଇଥିଲେ। ବିଜେଡିର ଅଜୟ ଦାସ ୧୦ହଜାର ଭୋଟ ବ୍ୟବଧାନରେ ତୃତୀୟ ସ୍ଥାନରେ ପଡ଼ିଯାଇଥିଲେ। ଏଥର ସାଲୁଜାଙ୍କୁ ମୈଦାନରେ ଟକ୍କର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ଲଢ଼ୁଛନ୍ତି ନବୀନ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବିଜେଡି ପ୍ରାର୍ଥୀ ପ୍ରଭୂ ଜାନୀଙ୍କ ବିଜୟ ବ୍ୟବଧାନ ଥିଲା କମ୍। ମାତ୍ର ୨୨୯ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ କୈଳାସ କୁଲେସିକାଙ୍କୁ ହରାଇଥିଲେ ପ୍ରଭୂ। ଏଥର ବି ଏହି ଆସନରେ ପ୍ରଭୂ ଓ କୈଳାସ ପ୍ରତିଦ୍ୱନ୍ଦୀ। କିନ୍ତୁ ସମୟକ୍ରମେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କୈଳାସ। କିନ୍ତୁ ଟିକଟ ନ ମିଳିବାରୁ ପଦ୍ଣ କ୍ୟାମ୍ପରେ ମିଶି ବିଜେଟି ଟିକଟରେ ଫାଇଟ୍ କରିଥିଲେ।

ସେତେବେଳେ ମନ୍ତ୍ରୀ ଥିବା ନୃସିଂହ ସାହୁ ପର୍ଜଙ୍ଗ ଆସନରୁ ମାତ୍ର ୭୪୦ ଖଣ୍ଡ ଭୋଟରେ ଜିତିଥିଲେ। ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା ୯୪୬ ଖଣ୍ଡ ଭୋଟରେ ବିଜେଡିର ହେଭିଓ୍ୱେଟ୍ ମଙ୍ଗଳା କିଷାନଙ୍କୁ ହରାଇଥିଲେ।  ତେବେ ସବୁଠୁ ଅଧିକ ମାର୍ଜିନରେ ଜିତିଥିବା ରେକର୍ଡ ବିଜେପୁର ବିଧାୟିକା ରୀତା ସାହୁଙ୍କ ନାଁରେ ଅଛି। ବିଜେପୁରରୁ ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ଲଢି ୫୭ହଜାର ଭୋଟରେ ଜିତିଥିଲେ। କିନ୍ତୁ ବିଜେପୁର ଆସନକୁ ଛାଡ଼ିବା ପରେ ଉପନିର୍ବାଚନରେ ରୀତା ସାହୁ ଏଠାରେ ଜିତିବା ବ୍ୟବଧାନର ସମସ୍ତ ରେକର୍ଡ ଭାଙ୍ଗିଦେଇଥିଲେ। ୯୭ହଜାର୯୯୦ ଖଣ୍ଡ ଭୋଟରେ ହରାଇଥିଲେ ରୀତା।

ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବାର ରେକର୍ଡ ଆଗରୁ ଏବେକାର ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ରେକର୍ଡ ଥିଲା। ୨୦୦୦ ମସିହାରେ ଭୁବନେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ମହାପାତ୍ରଙ୍କୁ  ୯୪ହଜାର୫୫୫ ଭୋଟରେ ହରାଇଥିଲେ ବିଶ୍ୱଭୂଷଣ। ଗଲା ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାରୁ ବିଜେଡି ବିଧାୟକ ଭାବେ ଜିତିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଜିତିବା ବ୍ୟବଧାନର ରେକର୍ଡ ଭାଙ୍ଗିଥିଲେ। ୮୧ହଜାର୪୩୦ ଭୋଟ ବ୍ୟବଧାନରେ ଜିତିଥିଲେ ସୌମ୍ୟ। ସମୟସୁଅରେ ଜନବିରୋଧୀ କାମ ଲାଗି ବିଜେଡିରୁ ବିଦା ପରେ ଏଥର ଘସିପୁରାରୁ ସ୍ୱାଧୀନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ସୌମ୍ୟ।

ହିଞ୍ଜିଳିରୁ ନବୀନ ୬୦ହଜାର ୧୬୦ ବ୍ୟବଧାନରେ ଜିତିଥିଲେ। ନବୀନଙ୍କ ପଛକୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ପ୍ରାର୍ଥୀଙ୍କ ଭିତରେ ଥିଲେ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଳିରୁ ପ୍ରତାପ ଦେବ, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ ଓ କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ। ରାଜା ସ୍ୱାଇଁ ୫୭ହଜାର୯୯୫ ଭୋଟ, ପ୍ରତାପ ଦେବ ୫୫ହଜାର ୬୦୧, ରଘୁନନ୍ଦନ ୫୪ହଜାର୫୮୩, ପ୍ରଣବ ବଳବନ୍ତରାୟ ୫୨ହଜାର ୭୩୯ ଓ  ଲତିକା ପ୍ରଧାନ ୪୯ହଜାର ୨୮ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର କିଏ  ବିଜୟୀ ବ୍ୟବଧାନର ରେକର୍ଡ ରଚିବେ। କିଏ ଅଳ୍ପ ଭୋଟରେ ହାରିବାର ଗ୍ଳାନିରେ ସନ୍ତୁଳିତ ହେବେ। ଜୁନ୍ ୪କୁ ଅପେକ୍ଷା।

ପ୍ରଦୀପ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *