୯ ବର୍ଷର ନୀତିହୀନ ମୋଦୀ ସରକାର : ଶରତ ପଟ୍ଟନାୟକ

Spread the love

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ୯ବର୍ଷର ମୋଦୀ ଶାସନର ଗୁଣଗାନ ଚାଲିଛି । ମାତ୍ର ଏହି ୯ ବର୍ଷରେ ଦେଶର ସାଧାରଣ ଜନତା ତଳିତଳାନ୍ତ ହୋଇପଡ଼ିଛନ୍ତି । “ମୋଦୀ ମାର୍କା ବିକାଶ”ଟି କ’ଣ ତାହା ଭାରତର ଜନସାଧାରଣ ଆଜି ଅନୁଭବ କଲେଣି । ମହଙ୍ଗା ମାଡ଼ରେ ଦେଶର ଜନତା ଆଜି ହନ୍ତସନ୍ତ । ଖାଇବା ତେଲ, ଅଟା ଓ ଡାଲି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆଜି ଆକାଶ ଛୁଆଁ ।  ନରେନ୍ଦ୍ର ମୋଦୀଙ୍କୁ ଦରଦାମ ବୃଦ୍ଧିର ପ୍ରତୀକ ବୋଲି ଅତ୍ୟୁକ୍ତି ହେବ ନାହିଁ ।

ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତାରିତ କରିଛନ୍ତି । ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବେ ବୋଲି ୨୦୨୨ ସୁଧା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରକୃତରେ ଚାଷୀର ଆୟ ୨୦୧୪ ଠାରୁ ବହୁ ପରିମାଣରେ କମିଯାଇଛି ।  

ସଂସଦରେ ମୋଦୀ ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । କେବଳ ରେଳବାଇରେ ୨ ଲକ୍ଷ ୯୦ ହଜାର ପଦବୀ ଖାଲି ପଡ଼ିଛି । ୨୦୧୪ ମସିହା ପୂର୍ବରୁ ବିଭିନ୍ନ ନିର୍ବାଚନୀ ସଭାରେ ବିଜେପି ଦଳ ଓ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଲେ ଯେ, ବର୍ଷକୁ ୨ କୋଟି ନିଯୁକ୍ତିର ବ୍ୟବସ୍ଥା କରିବେ । ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହେଲା ।  ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ୪୦ ପ୍ରତିଶତ ପଦବୀ ଖାଲି ପଡ଼ିଥିବାବେଳେ ଏଠାରେ ଚିକିତ୍ସା ବ୍ୟବସ୍ଥା କିପରି ଥିବ ତାହା ସ୍ପଷ୍ଟ ବୁଝାପଡ଼ିଯାଉଛି । 

ମୋଦୀଙ୍କ ରାଜତ୍ୱରେ ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ ତଥ୍ୟ ଅନୁଯାୟୀ ୧୨୧ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭ । ବିମୁଦ୍ରୀକରଣ ଏବଂ ଜିଏସ୍‌.ଟି ଦ୍ୱାରା ୪ କୋଟିରୁ ଅଧିକ ଲୋକ ନିଜର ଜୀବିକା ହରାଇଲେ ଏବଂ ସେମାନେ ଅଧିକ ଗରୀବ ହୋଇଗଲେ । ୬୨ ଲକ୍ଷରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମବର୍ଗ ଶିଳ୍ପ ସଂସ୍ଥା ସବୁ ବନ୍ଦ ହୋଇଗଲା । କଂଗ୍ରେସ ସରକାର ଦେଶରେ ଯେଉଁ ସଂପତି ସୃଷ୍ଟି କରିଥିଲା ଏହି ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେଗୁଡ଼ିକୁ ତାଙ୍କର ବନ୍ଧୁ ଶିଳ୍ପପତିଙ୍କ ହାତରେ ଟେକି ଦେଇଛନ୍ତି । ରେଳବାଇ, ସ୍ଥଳ ଓ ଜଳ ବନ୍ଦର, ମୂଲ୍ୟାବାନ ଖଣି, ଜୀବନ ବୀମା ଓ ବ୍ୟାଙ୍କ ପ୍ରଭୁତି ଆଜି ମୋଦୀଙ୍କର ଅନ୍ତରଙ୍ଗ ପୁଞ୍ଜିପତିମାନଙ୍କ ହାତରେ । ‘ମୋଦୀ-ଅଦାନୀ’ ମଧୁ ଚନ୍ଦ୍ରିକାରେ ଏଲ.ଆଇ.ସି., ଷ୍ଟେଟବ୍ୟାଙ୍କ ଓ ଅନ୍ୟାନ୍ୟ ଅର୍ଥଲଗାଣକାରୀ ସଂସ୍ଥାର ଅବସ୍ଥା ଆଜି ଶୋଚନୀୟ ।

ଦେଶର ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଶିକ୍ଷା ବ୍ୟବସ୍ଥାରେ ଧର୍ମୀୟ ଭାବନା ଭର୍ତି କରିଦିଆଯାଇଛି । ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ ଦିଆଯାଉଛି ।  ଏବେ ଗାନ୍ଧୀ, ନେହେରୁକୁ ଛୋଟ କରିବା ପାଇଁ ବିଜେପି ଦଳର ଆଇଟିସେଲ୍ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଖୋଦ୍ ପ୍ରାଧନମନ୍ତ୍ରୀ ମଧ୍ୟ ଲାଗିପଡ଼ିଛନ୍ତି । ବେଟି ପଢ଼ାଓ, ବେଟି ବଚାଅ ନାରା ସଂପୂର୍ଣ୍ଣ ଏକ ପ୍ରହସନରେ ପରିଣତ ହୋଇଛି । ଭାରତ ବର୍ଷର ମହିଳାମାନେ ଅତ୍ୟନ୍ତ ଭୟ, ଦୁଃଖ ଓ ଅସହ୍ୟ ଯନ୍ତ୍ରଣା ଦେଇ ଗତି କରୁଅଛି । ଅଧିକାଂଶ ବିଜେପି ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତେ ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମରେ ସଂପୃକ୍ତ । ଏ ହେଉଛି ୯ ବର୍ଷର ନୀତିହୀନ ମୋଦୀ ସରକାର ବୋଲଇ ପିସିସି ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *