୨୬ ଲଢ଼େଇ ପାଇଁ ମାସେ ଯାତ୍ରା- ବଙ୍ଗ ଅସ୍ମିତାର ଦ୍ୱାହି ଦେଇ ବାହାରିଲେ ଅଭିଷେକ ବାନାର୍ଜୀ

ଆଉ ମାତ୍ର କେଇଟା ମାସ ରହିଲା। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ଏପ୍ରିଲ ମାସ ଆଡ଼କୁ ଭୋଟ୍ ପଡ଼ିପାରେ। ମୁଖ୍ୟ ବିରୋଧୀ ଦଳ ବିଜେପି ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୩ଦିନିଆ ଗସ୍ତରେ ଯାଇ ମମତା ସରକାରଙ୍କୁ ଟାର୍ଗେଟ କରିବା ସହ ଦଳର ସଂଗଠନ ସ୍ୱରୂପକୁ ଅନୁଧ୍ୟାନ କରିଥିଲେ। ଦଳୀୟ ନେତାଙ୍କ ସହ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ବି କରିଥିଲେ।  ସେପଟେ ଲଗାତାର ଚତୁର୍ଥ ଥର କ୍ଷମତାକୁ ଆସିବାକୁ ଟିଏମସି ବି ଅଣ୍ଟା ଭିଡ଼ିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏଥିଲାଗି ବଡ଼ ପ୍ରସ୍ତୁତି ଓ ରଣନୀତି କରିଛନ୍ତି। ପୁରା ବଙ୍ଗରେ ମାସେ ଧରି ପଦଯାତ୍ରା କରିବେ। ଏହାର ଶୁଭାରମ୍ଭ ଆଜିଠୁ ହୋଇଛି। ଏବର ଜିତବେ ବାଙ୍ଗଲା ନାଁରେ ଦକ୍ଷିଣ ୨୪ ପ୍ରଗଣାରୁ ଆରମ୍ଭ କରିଛନ୍ତି ଯାତ୍ରା। ଏହି ଯାତ୍ରାରେ ସେ ପୁରା ବଙ୍ଗାଳର ସମସ୍ତ ଜିଲ୍ଲାକୁ ଯିବେ। ଅନେକ ରୋଡ୍ ସୋ ଓ ଜନସଭାକୁ ସମ୍ୱୋଧିତ କରିବେ। ଲୋକଙ୍କୁ ହିସାବ ଦେବ ଦଳ। ଗଲା ୩ ଥରର କାର୍ଯ୍ୟକାଳ ଭିତରେ ସରକାର କଅଣ କରିଛନ୍ତି ଓ ଆଗକୁ କଅଣ କରିବେ, ସେ କଥା ଲୋକଙ୍କ ପାଖରେ ଥୋଇବ। କେମିତି ଟିଏମସି ବଙ୍ଗର ସଂସ୍କୃତି, ଭାଷା ଓ ପରିଚୟର ରକ୍ଷା କରିଛି ବୋଲି ଦର୍ଶାଇବ। ନିର୍ବାଚନରେ ବଙ୍ଗଳା ଅସ୍ମିତାକୁ ଯୋଡ଼ିବ। ଅଭିଷେକ ଲୋକସଭା ନିର୍ବାଚନ ପୂର୍ବରୁ ବି ଏକ ଯାତ୍ରା ବାହାର କରିଥିଲେ। ୨୦୨୩ରେ ଏହି ଯାତ୍ରା ବାହାରିଥିଲା। ଏହାର ଫାଏଦା ପଞ୍ଚାୟତ ନିର୍ବାଚନରେ ଦଳ ପାଇଥିଲା। ଲୋକସଭା ନିର୍ବାଚନରେ ବି ଦଳର ସ୍ଥିତିରେ ସୁଧାର ଆସିଥିଲା। ୟୁସୁଫ ପଠାନ୍ ଓ ଜଗଦୀଷ ଚନ୍ଦ୍ର ବର୍ମାଙ୍କ ଭଳି ନେତାଙ୍କୁ ଟିକଟ ଦେବାରେ ଅଭିଷେକଙ୍କ ଭୂମିକା ପ୍ରମୁଖ ଥିଲା। ଯାତ୍ରାକୁ ଶୁଭାରମ୍ଭ କରି ବିଜେପି-ସିଇସି ଜ୍ଞାନେଶ କୁମାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ଅଭିଷେକ। ପଶ୍ଚିମବଙ୍ଗକୁ ସୁନା କରିଦେବି ବୋଲି ଅମିତ ଶାହା ଦେଇଥିବା ବିବୃତ୍ତିକୁ ସମାଲୋଚନା କରିଛନ୍ତି। ବିହାର, ତ୍ରିପୁରା ଓ ଆସାମକୁ ଆଜି ଯାଏ କାହିଁକି ସୁନାର ରାଜ୍ୟ କରିପାରିଲନି। ବିଜେପି ଶାସିତ ମଧ୍ୟପ୍ରଦେଶ ଇନ୍ଦୋରରେ ଦୂଷିତ ପାଣି ପିଇ ୧୧ ମଲେଣି। ଲୋକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିପାରୁନଥିବା ବିଜେପି ଲୋକଙ୍କ ଅଧିକାର ବାବଦରେ କହିବାର କୌଣସି ନୈତିକତା ନାହିଁ ବୋଲି କହିଛନ୍ତି ଅଭିଷେକ। ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ଶରଣ ଦେବାର ଆରୋପ ଲଦି ମମତା ସରକାରଙ୍କ ଛବିକୁ ମଳିନ କରିବାକୁ ଅପପ୍ରୟାସ ହେଉଛି। ମତଦାତା ସୂଚୀରୁ କେମିତି ରୋହିଙ୍ଗ୍ୟା ଓ ବାଂଲାଦେଶୀ ହଟୁଛନ୍ତି ବୋଲି ପଚାରିବାରୁ ତାଙ୍କ ଆଡ଼କୁ ଅଙ୍ଗୁଳି କରିଥିଲେ ସିଇସି ଜ୍ଞାନେଶ କୁମାର। ଅଙ୍ଗୁଠି ତଳକୁ କର କହି ସେ ଜ୍ଞାନେଶଙ୍କୁ ସ୍ମରଣ କରାଇଥିଲେ ଯେ, ସେ ହେଉଛନ୍ତି ଜଣେ ମନୋନୀତ ସଦସ୍ୟ। କିନ୍ତୁ ଅଭିଷେକ ହେଉଛନ୍ତି ନିର୍ବାଚିତ ସଦସ୍ୟ। ଏଥର ସେ ଦିଲ୍ଲୀ ଯାଇଛନ୍ତି। ଆରଥରକୁ ମମତା ଯିବେ। ତା ପରେ କଅଣ ହେବ କହି ଜ୍ଞାନେଶଙ୍କୁ ଚେତାଇ ଦେଇଥିଲେ। ଏହି ନିର୍ବାଚନ କେବଳ ବିଜେପିକୁ ହରାଇବା ପାଇଁ ନୁହେଁ। ବରଂ ବଙ୍ଗଳା ବିରୋଧୀ ତତ୍ତ୍ୱକୁ ପାନେ ଦେବୁ ବୋଲି ରଣହୁଂକାର ଛାଡ଼ିଛନ୍ତି ଅଭିଷେକ। ବାରୁଇପୁରରୁ ବାହାର କରିଛନ୍ତି ୨୬ ନିର୍ବାଚନ ପାଇଁ ମାସେ ବ୍ୟାପୀ ଯାତ୍ରା। ଏଭଳି ଯାତ୍ରାକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ବଙ୍ଗଳାରେ ଚାକିରୀ ନାହିଁ। ଲକ୍ଷ ଲକ୍ଷ ଦାଦନ ସାଜି ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଆଉ ମମତାଙ୍କ ପୁତୁରା ଏଭଳି ଯାତ୍ରା କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ଯେହେତୁ ପିଉସୀ ମମତାଙ୍କ ନାଁରେ ଅନେକ ମାମଲା ରୁଜୁ ହୋଇଛି। ସେଥିଲାଗି ପୁତୁରାକୁ ଆଖି ଆଗରେ ରଖି ଏଭଳି ନାଟକବାଜି କରୁଛନ୍ତି। ବିଜେପି ନେତ୍ରୀ ପ୍ରିୟଙ୍କା ଟିବ୍ରେଓ୍ୱାଲ କହିଛନ୍ତି, ଜଣେ କଂଗ୍ରେସର ପପୁ ଦିଲ୍ଲୀରେ ବସିଛନ୍ତି। ଆଉ ଜଣେ ଟିଏମସିର ପପୁ ବଙ୍ଗରେ ବସିଛନ୍ତି। ଆଇନଗତ ଉପାୟରେ ବେଆଇନ କାମକୁ ରୋକିପାରିବାର ବିଫଳତା ଲାଗି  ତୁଛାରେ ଡ୍ରାମା କରୁଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସୁରକ୍ଷାକବଚ ସାଜିଛନ୍ତି। କାରଣ ଏମାନଙ୍କୁ ଜାଲି ଦସ୍ତାବିଜ୍ ଦେଇ ନିଜର ଭୋଟବ୍ୟାଙ୍କ ସଜାଇ ଦେଇଛନ୍ତି। ହେଲେ ଏସଆଇଆରକୁ ଅଟକାଇପାରିବେନି। ସେଥିଲାଗି ବିଜେପି ଓ ସିଇସିକୁ ଟାର୍ଗେଟ ଛଡ଼ା ସେମାନଙ୍କ ଅନ୍ୟ ଚାରା ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *