ତେଲେଙ୍ଗାନାରେ ତେଜିଲାଣି ଭତ୍ତା ରାଜନୀତି, ରାହୁଲ ଗାନ୍ଧୀଙ୍କ ମାସକୁ ୪ ହଜାର ଟଙ୍କା ଭତ୍ତା ଘୋଷଣା ପରେ ତେଲେଙ୍ଗାନା ରାଜନୀତି ଉଷ୍ମ

Spread the love

ଭୁବନେଶ୍ୱର : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମାବେଶରେ ବାର୍ଦ୍ଧ୍ୟକ ଭତ୍ତାକୁ ମାସକୁ ୪ ହଜାର କରିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ତେଲେଙ୍ଗାନା ରାଜନୀତିକୁ ଉଷ୍ମ କରିଛି । ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ସରକାର ଭାରତବର୍ଷର ପ୍ରଥମ ରାଜ୍ୟ ଯିଏକି, ଦିବ୍ୟାଙ୍ଗ ମାନଙ୍କୁ ମାସକୁ ୪ ହଜାର ଲେଖାଏଁ ଭତ୍ତା ଦେଉଛନ୍ତି । ମାତ୍ର ରାହୁଲ ଗାନ୍ଧୀ କେ.ସି.ଆରଙ୍କ ଏହି ରାଜନୀତିକୁ ମୁକାବିଲା କରିବା ପାଇଁ କେବଳ ଦିବ୍ୟାଙ୍ଗ ନୁହେଁ, କଂଗ୍ରେସ ସରକାର ଆସିଲେ ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ମାସକୁ ୪ ହଜାର ଲେଖାଏଁ ଟଙ୍କା ଦିଆଯିବ ବୋଲି କଂଗ୍ରେସ ସମାବେଶରେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତବର୍ଷରେ ଅଧିକାଂଶ ରାଜ୍ୟ ନିଜ ଅର୍ଥରେ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ୧୫ଶହରୁ ୨ ହଜାର ଲେଖାଏଁ ଭତ୍ତା ଦେଉଛନ୍ତି । ଆମ ପଡ଼ିଶା ଆନ୍ଧ୍ରପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ୨୭୫୦ ଟଙ୍କା, ଆନ୍ଧ୍ର ସରକାରଙ୍କର ଆର୍ଥିକ ସ୍ଥିତି ସଙ୍ଗୀନ ଥାଇ କର୍ମଚାରୀଙ୍କୁ ଦରମା ଦେଇ ନପାରିଲା ବେଳେ ଏହି ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ୨୬୫୦ ଟଙ୍କା ଦେଉଛନ୍ତି । ମାତ୍ର ଓଡ଼ିଶାରେ କୌଣସି ପ୍ରକଳ୍ପ ପାଇଁ ଅର୍ଥର ଅଭାବ ନଥିଲା ଓ ୫-ଟି ସଚିବ ପାଣ୍ଡିୟାନ ପ୍ରତିଦିନ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ଘୋଷଣା କଲାବେଳେ ବାର୍ଦ୍ଧକ୍ୟ ଭତ୍ତାଧାରୀ ମାନଙ୍କ ସର୍ବନିମ୍ନ ମୌଳିକ ଆବଶ୍ୟକତା ପ୍ରତି ଆଖି ବୁଜି ଦିଆଯାଇଛି । ବିଗତ ବିଧାନସଭା ଅଧିବେଶନରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ବିଭିନ୍ନ ଦଳର ବିଧାୟକମାନେ ଦାବି କରିଥିଲେ ହେଁ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏବେ ଭତ୍ତା ରାଶି ବୃଦ୍ଧି ହେବାର ନାହିଁ ବୋଲି ରୋକଠୋକ ମନା କରିଥିଲେ । ପଡ଼ିଶା ରାଜ୍ୟମାନଙ୍କରେ ଭତା ପରିମାଣ ଢେର ଅଧିକ ଥଲାବେଳେ ଓଡ଼ିଶାରେ ମାତ୍ର ନଗଣ୍ୟ ୫ଶହ ଟଙ୍କା ଦିଆଯାଉଛି । ଏହାକୁ ନେଇ ନବନିର୍ମାଣ କୃଷକ ସଂଗଠନ ତରଫରୁ ଭତ୍ତା ପରିମାଣ ୨ ହଜାର ଟଙ୍କା କରିବା ପାଇଁ ବଡ଼ମ୍ବା, ଭାପୁର, ଓଡ଼ପଡ଼ା, ଖଣ୍ଡପଡ଼ା ଭଳି ଅଞ୍ଚଳରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଶୋଭାଯାତ୍ରା କରାଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦିଆଯାଇଛି । ହେଲେ ସରକାରର ବଡ଼ପଣ୍ଡାମାନେ ଏହି ପାଖାପାଖି ୫୦ଲକ୍ଷ ହିତାଧିକାରୀମାନଙ୍କର ପେଟ କଥା ବୁଝିବାକୁ ଆଜି ପର୍ଯ୍ୟନ୍ତ ଇଚ୍ଛାପ୍ରକାଶ କରିନାହାଁନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୧ ହଜାର କୋଟି ପାଣ୍ଠି ବରାଦ ହେଲାବେଳେ ୫୦ ଲକ୍ଷ ଭୋଟ ମାଲିକ ଏହି ବରିଷ୍ଠ ବାପା, ମା’, ମଉସା ଓ ମାଉସୀଙ୍କ ପ୍ରତି ଉପେକ୍ଷା ଓ ହତାଦର ଅତ୍ୟନ୍ତ ଲଜ୍ଜାଜନକ ଓ ଅମାନବୀୟ ବୋଲି ନବନିର୍ମାଣ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଏହା ସହ ଖୁବ ଶୀଘ୍ର ୨୦ ଲକ୍ଷ ପ୍ରଚାର ପତ୍ର ଛପାଯାଇ ପ୍ରତ୍ୟେକ ବରିଷ୍ଠଙ୍କୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ସେମାନଙ୍କୁ କିଭଳି ଅବହେଳା କରୁଛନ୍ତି ଏ ନେଇ ଅବଗତ କରାଯିବ ବୋଲି ନନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *