ବିନା କମିଟି ବିନା ରିପୋର୍ଟରେ ପ୍ରସ୍ତୁତ ହୋଇଥିଲା ଅଜାଦୀ କା ଅମୃତ ମହୋତ୍ସବ ପୋଷ୍ଟର- ହେମନ୍ତ ପଣ୍ଡା

Spread the love

ବଲାଙ୍ଗୀର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ସକାଶେ ପ୍ରସ୍ତୁତ କରାଯାଥିବା ପୋଷ୍ଟରର ଡିଜାଇନ ପାଇଁ କୌଣସି କମିଟୀ ଗଠନ କରାଯାଇ ନଥିଲା କି କୌଣସି ରିପୋର୍ଟ ପ୍ରସ୍ତୁତ କରାଯାଇ ନଥିଲା ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଧିନସ୍ଥ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର୍‌) ର ଜନସୂଚନା ଅଧିକାରୀ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ ପଣ୍ଡାଙ୍କୁ ସୂଚନା ପ୍ରଦାନ କରିବା ସହ ନେହେରୁଙ୍କ ନାମକୁ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ହଟାଇ ଦେବା ପାଇଁ କୌଣସି ପ୍ରସ୍ତାବ ନଥିବା ତଥ୍ୟ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମରେ ନେହେରୁଙ୍କ ଭୂମିକାକୁ ପ୍ରମୁଖତାର ସହ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇ ଥିବା ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ସୂଚନା କର୍ମି ପଣ୍ଡା ୨୦୨୧ ମସିହାରୁ ଭାରତ ସରକାରଙ୍କ ଆଜଦୀ କା ଅମୃତ ମହୋତ୍ସବ ପାଇଁ ପୋଷ୍ଟର ପ୍ରସ୍ତୁତକାରୀ ସଂସ୍ଥା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦକୁ (ଆଇସିଏଚ୍‌ଆର୍‌)କୁ ସୂଚନା ଅଧିକାର ଆଇନ ବଳରେ ଏସଂକ୍ରାନୀୟ କେତେକ ତଥ୍ୟ ମାଗିଥିଲେ ମଧ୍ୟ ପଣ୍ଡଙ୍କୁ କୌଣସି ତଥ୍ୟ ଦିଆଯାଇନଥିଲା । ଏହାକୁ ନେଇ ପଣ୍ଡା ଜାତୀୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଜାତୀୟ ସୂଚନା କମିଶନ ହୀରାଲାଲ ସିମାରିୟା ସୂଚନା କର୍ମି ପଣ୍ଡାଙ୍କ ଆବେଦନର ବିଚାର କରି ଆଇସିଏଚ୍‌?ଆର୍ ର ତତ୍କାଳୀନ ଜନସୂଚନା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ ଓ ୧୫ ଦିନ ଭିତରେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆଜାଦୀ କା ଅମୃତ ମହୋସ୍ରବକୁ ମହା ଆଡମ୍ବରରେ ୧୨ ମାର୍ଚ୍ଚ ୨୦୨୧ରୁ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଏହି ଅବସରରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର୍‌) ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ପୋଷ୍ଟର ପ୍ରସ୍ତୁତ କରାଯାଇଥିଲା । ଏହି ପୋଷ୍ଟରରେ ୮ ଜଣ ଜାତୀୟ ହୀରୋଙ୍କ ଫଟୋ ରହିଥିବା ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋକୁ ସ୍ଥାନୀତ କରାଯାଇ ନଥିଲା । ଏହି ପୋଷ୍ଟରରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ବି ଆର୍ ଆମ୍ବେଦକର, ଭଗତ ସିଂ. ସରଦାର ବଲ୍ଲଭ ଭାଇ ପଟେଲ, ଡଃ ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବ୍ୟ, ଓ ବୀର ସବରକରଙ୍କ ଫଟୋକୁ ସ୍ଥାନ ଦିଆଯାଇଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଅନ୍ୟତମ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନେହେରୁଙ୍କ ଫଟୋକୁ ଉକ୍ତ ପୋଷ୍ଟରରେ ସ୍ଥାନ ଦିଆଯାଇ ନଥିବାରୁ ଏହି ପୋଷ୍ଟରକୁ ନେଇ ଦେଶବ୍ୟାପି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ବିଦ୍ୱେଶ ମୂଳକ ରାଜନିତୀ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ । ବିନା କମିଟୀ ଓ ବିନା କୌଣସି ରିପୋର୍ଟରେ ଦେଶର ଏତେ ବଡ କାର୍ଯ୍ୟକ୍ରମ ପାଇଁ କିଭଳି ଭାବେ ଏହି ପୋଷ୍ଟରକୁ ପ୍ରସ୍ତୁତ କରାଯାଇଥିଲା ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *