ବାଂଲାଦେଶରେ ବିଏନପିର ବଡ଼ ଜିତ୍- ତାରିକ୍ ପରବର୍ତ୍ତୀ ପିଏମ୍

ବାଂଲାଦେଶରେ ବିଏନପିର ବଡ଼ ଜିତ୍। ତାରିକ ରେହେମାନ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ଡବଲ ସେଞ୍ଚୁରୀ ମାରିଲା ବିଏନପି। ଦୁଇ ତୃତୀୟାଂଶ ଆସନରେ ଜିତି ବାଂଲାଦେଶ ଜନତାଙ୍କ ସମ୍ପୂର୍ଣ୍ଣ ଭରସାର କେନ୍ଦ୍ର ପାଲଟିଛି ବିଏନପି। ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶ ଛାଡ଼ିବାର ପ୍ରାୟ ଦେଢ଼ ବର୍ଷ ପରେ ହୋଇଥିବା ସାଧାରଣ ନିର୍ବାଚନରେ ଲ୍ୟାଣ୍ଡସ୍ଲାଇଡ୍ ଭିକଟ୍ରି ହାସଲ କରିଛି ବିଏନପି। ଜମାତ-ଏ-ଇସଲାମିକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ୩ଶହ ସଦସ୍ୟ ବିଶିଷ୍ଟ ସଂସଦରେ ୨୧୧ ସିଟ୍ ଜିତି ବିଏନପି ମେଣ୍ଟ ବାଂଲାଦେଶର କ୍ଷମତା ଚୌକି ଦଖଲ କରିଛି। ବିଏନପି ଅଧ୍ୟକ୍ଷ ତାରିକ ରେହେମାନ ଦୁଇଟି ଆସନରେ ଲଢ଼ିଥିଲେ। ଉଭୟ ଢାକା-୧୭ ଓ ବୋଗୁରା-୬ ସିଟରୁ ଜିତ୍ ହାସଲ କରିଛନ୍ତି ତାରିକ୍।୧୭ ବର୍ଷର ନିର୍ବାସନ ପରେ ଗଲା ବର୍ଷ ଡିସେମ୍ୱରରେ ଦେଶକୁ ଫେରିଥିଲେ ତାରିକ୍।  ୩୫ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ ପାଇବ ବାଂଲାଦେଶ। ୧୯୮୮ରେ କାଜି ଜାଫର ଅହମ୍ମଦ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରଠୁ ୧୯୯୧ରୁ ୨୦୨୪ ଯାଏ ଦେଶର ରାଜନୀତିରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଖାଲିଦା ଜିୟାଙ୍କ ଦବଦବା ରହିଥିଲା। ବାଂଲାଦେଶରେ ତାରିକଙ୍କ ଦଳର ବୃହତ ବିଜୟକୁ ନେଇ ପ୍ରଥମେ ଆମେରିକା ଶୁଭେଛା ଜଣାଇଛି। ତାରିକଙ୍କ ବଡ଼ ଜିତକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି। ଗଣତାନ୍ତ୍ରିକ, ପ୍ରଗତିଶୀଳ ଓ ସମାବେଶୀ ବାଂଲାଦେଶର ସମର୍ଥନରେ ଭାରତ ସବୁବେଳେ ଛିଡ଼ା ହେବ। ସେ ତାରିକଙ୍କ ସହ ମିଶି ଭାରତ-ବାଂଲାଦେଶ ଭିତରେ ସମ୍ପର୍କକୁ ଅଧିକ ମଝଭୁତ୍ କରିବେ ବୋଲି କହିଛନ୍ତି ମୋଦି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାରିକଙ୍କୁ ଏଭଳି ଐତିହାସି ବଡ଼ ବିଜୟର ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ବି ତାରିକଙ୍କୁ ଶୁଭେଛା ଜଣାଇଛନ୍ତି। ଶରିଫ୍ କହିଛନ୍ତି, ସେ ବାଂଲାଦେଶ ସହ ସମ୍ପର୍କକୁ ଅଧିକ ମଝଭୁତ୍ କରିବେ। ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ନିଜ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ନୂଆ ବାଂଲାଦେଶରେ ନେତୃତ୍ୱ ସହ ମିଶି କାମ କରିବାକୁ ବେଶ୍ ଉତ୍ସୁକ। ତେବେ ବଡ଼ ବିଜୟ ପରେ ସମର୍ଥକଙ୍କୁ ନମାଜ ପଢ଼ିବାକୁ ଅପିଲ୍ କରିଛନ୍ତି ତାରିକ। କୌଣସି ପ୍ରକାର ଶୋଭାଯାତ୍ରା ନ ବାହାର କରିବାକୁ ଅନୁରୋଧ କରିଛନ୍ତି।  ଉତ୍ସବ ବଦଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଖାଲିଦା ଜିୟାଙ୍କୁ ସ୍ମରଣ କରି ନମାଜରେ ସାମିଲ୍ ହୁଅନ୍ତୁ। ଏମିତି ସନ୍ଦେଶ ଦେଇ ସଂଯମତା ଓ ରାଜନୀତିକ ଶିଷ୍ଟାଚାରର ସଙ୍କେତ ଦେଇଛନ୍ତି ତାରିକ୍‌। ମୁଖ୍ୟ ବିରୋଧୀ ଦଳ ଜମାତ-ଏ-ଇସଲାମି ଦଳ ମାତ୍ର ୬୮ ସିଟରେ ସୀମିତ ରହିଲା। ଦଳର ମୁଖ୍ୟ ଶଫିକୁର ରେହେମାନ ଢାକା-୧୫ ସିଟରୁ ଜିତିଛନ୍ତି। ଛାତ୍ର ନେତୃତ୍ୱ ଦଳ ଏନସିପି ବା ନାସନାଲ ସିଟିଜେନ୍ ପାର୍ଟିକୁ ଆଶାନୁରୂପ ସଫଳତା ମିଳିଲାନି। ୩୦ ଆସନରେ ଲଢ଼ି ଦଳ ମାତ୍ର ୫ଟି ଆସନରେ ଜିତିଛି। ଏହି ପାର୍ଟି ଯୁବ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ହୋଇଥିଲା। ଯେଉଁମାନେ ଗଲା ବର୍ଷ ଜେନ-ଜି ଭାବେ ଉଭା ହୋଇଥିଲେ ଓ ନିଜକ ଦୁଇ ଦଳର ବିକଳ୍ପ ଭାବେ ଜନତାଙ୍କ ଆଗରେ ଥୋଇଥିଲେ। ରାସ୍ତାରେ ମିଳିଥିବା ଲୋକପ୍ରିୟତା ଭୋଟରେ ପରିଣତ ହେବା ମୁସ୍କିଲ ଭାବି ଏନସିପି ଦଳ ବାଂଲାଦେଶ ଜମାତ-ଏ-ଇସଲାମି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଜମାତ-ଏ-ଇସଲାମି ଦଳର ଇତିହାସରେ ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇଥିବା ହିନ୍ଦୁ ପ୍ରାର୍ଥୀ କୃଷ୍ଣା ନନ୍ଦୀଙ୍କୁ ବି ହାରର ସାମ୍ନା କରିବାକୁ ପଡ଼ିଛି। ବାଂଲାଦେଶରେ ଏଣିକି ତାରିକ୍ ସରକାର। ତାରିକ୍ ପ୍ରଧାନମନ୍ତ୍ରୀ ପଦ ଭାବେ ଶପଥ ନେବେ। ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ ଇସ୍ତଫା ଦେବେ। ପ୍ରାୟ ୨୦ ବର୍ଷ ପରେ ବାଂଲାଦେଶରେ ସରକାରକୁ ଫେରିଛି ବିଏନପି । ୨୦୦୮ରୁ ୨୦୨୪ ଯାଏ ଶେଖ ହାସିନାଙ୍କ ଆୱାମି ଲିଗ୍ ସତ୍ତାରେ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *