ବିଜେପି-ଟିଏମସି ମୁହାଁମୁହିଁ

କୋଲକତା: ପଶ୍ଚିମବଙ୍ଗରେ ପୁଣି ବିଜେପି-ଟିଏମସି ମୁହାଁମୁହିଁ। ଏଥର ନବନ୍ନା ଚାଲ ଅଭିଯାନରେ ଟିଏମସି ସରକାରଙ୍କୁ ଅଡ଼ୁଆରେ ପକାଇଛି ବିଜେପି। ବଙ୍ଗ ବାସୀଙ୍କୁ ଟିଏମସି ସରକାର ଠକିଥିବାର ସଙ୍ଗୀନ ଆରୋପ ଲଦି ସଚିବାଳୟ ଚାଲ ଅଭିଯାନ କରିଥିଲା। କିନ୍ତୁ ପୁଲିସ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇବା ସହ ଗିରଫ କରିଥିଲା। ଯାହାକୁ ନେଇ ରାଜନୀତି ତେଜିଛି। କିଭଳି ବିଜେପିର ଏଭଳି ବିକ୍ଷୋଭ ଲାଗି ସାଧାରଣଜନତା ହନ୍ତସନ୍ତ ହୋଇଛନ୍ତି ଓ ଏହା କାହା ସ୍ୱାର୍ଥରେ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛି ଟିଏମସି।

ଟିଏମସି ସରକାର ଦୁର୍ନୀତିରେ ଉବୁଟୁବୁ। ଆଉ ଏହି ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ହେବ। ଏଭଳି ଆଭିମୁଖ୍ୟ ନେଇ ନବାନ୍ନ ଚାଲ ରାଲି କରିଥିଲା ବିଜେପି। ଏହି ରାଲି କରିବାକୁ ପୁଲିସକୁ ଅନୁମତି ମାଗିଥିଲା ଦଳ। କିନ୍ତୁ ପୁଲିସ ଅନୁମତି ମିଳିନଥିବା ସତ୍ତ୍ୱେ ନବାନ୍ନ ଅଭିଯାନକୁ ସଫଳ କରିବାକୁ ପଣ କରିଥିଲା ଦଳ। ଦଳର ତୁଙ୍ଗ ନେତା ଏହି ରାଲିରେ ସାମିଲ ହେବା ଆଗରୁ ଅନେକଙ୍କୁ ଆଗୁଆ ପୁଲିସ ଅଟକ ରଖିଥିଲା ତ ଅନେକଙ୍କୁ ଆନ୍ଦୋଳନସ୍ଥଳୀରୁ ଗିରଫ କରିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ରାହୁଲ ସିହ୍ନା, ସାଂସଦ ଲକେଟ ଚାଟାର୍ଜୀ ପ୍ରମୁଖଙ୍କ ସମେତ ବହୁ ତୁଙ୍ଗ ନେତାଙ୍କୁ ପୁଲିସ ଅଟକ ରଖିଥିଲା। ଅନେକ ସ୍ଥାନରେ ପୁଲିସ ସହ ଦଳୀୟ କର୍ମୀଙ୍କର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ନିଜର ସ୍ୱେଛାଚାରିତା ଦେଖାଇ  ମୁଖ୍ୟମନ୍ତ୍ରୀ ମମତା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବାର ଆରୋପ ଲଗାଇଛି ବିଜେପି। ଏପରିକି ଝାରଗାଁର ଥାନା ବାବୁ ବିପ୍ଳବ କର୍ମକାର ସାଦା ପୋଷାକରେ ସର୍ଭିସ ରିଭଲଭର ଧରି କିଭଳି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାଲିରେ ସାମିଲ ନ ହେବାକୁ ଧମକ ଦେଉଛନ୍ତି, ତାହାର ଭିଡିଓ ନିଜ ଟ୍ୱିଟରେ ପୋଷ୍ଟ କରିଛନ୍ତି ଶୁଭେନ୍ଦୁ। ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଷ୍ଟେସନରୁ ହିଁ ଗିରଫ କରିନେଇଥିଲା ପୁଲିସ। ସେଥିଲାଗି ଅନେକ କାର୍ଯ୍ୟକର୍ତ୍ତା ଜଳପଥରେ ବି କୋଲକାତାରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ।

ସେପଟେ ନବାନ୍ନ ଚାଲ ଅଭିଯାନ ଲାଗି ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହାଓ୍ୱଡା ଷ୍ଟେସନରୁ ଲୋକେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ଗାଡ଼ି ମଟର ପାଇନଥିଲେ। ଚାରିଆଡ଼େ ପୁଲିସ ବ୍ୟାରିକେଡ୍ କରିଥିଲା। ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେପଟେ ଟିଏମସି ବିଜେପିର ନବାନ୍ନ ଚାଲ ଅଭିଯାନ ପଛରେ ରାଜନୈତିକ ଅଭିସନ୍ଧି ଥିବା କଥା କହିଛି। ନିଜର ରାଜନୈତିକ ସ୍ୱାର୍ଥ ସକାଶେ ଏଭଳି ରାଲି ଓ ସାଧାରଣ ଲୋକଙ୍କୁ ହଇରାଣ ହରକତ କରିବାର ମାନସିକତା କହି କାଉଣ୍ଟର କରିଛି। କାରଣ ଅଭିଷେକ ବାନାର୍ଜୀ ଦିନକ ଆଗରୁ ବିଜେପିକୁ ଡେଟଲାଇନ ଦେଇଥିଲେ। ଯଦି ଡିସେମ୍ୱର ୩୧ ସୁଦ୍ଧା ଚା ବଗିଚା କର୍ମଚାରୀଙ୍କ ପିଏଫ ଓ ଗ୍ରାଚ୍ୟୁଇଟି ସମସ୍ୟା ସମାଧାନ ନ ହୁଏ, ତେବେ ସମସ୍ତ ବିଜେପି ବିଧାୟକ ଓ ସାଂସଦଙ୍କ ଘର ଘେରାଓ କରିବ ଟିଏମସି।

ନବାନ୍ନ ଚାଲ ଅଭିଯାନରେ ନିଜର ଶକ୍ତି ପ୍ରଦର୍ଶନ ଓ ଟିଏମସି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ବିଜେପି। କିନ୍ତୁ ଦିଦି ବି କିଛି କମ୍ ନୁହଁନ୍ତି। ଏହାକୁ ବିଫଳ କରିବାକୁ କୌଣସି ପ୍ରକାର ହାତଛଡ଼ା କରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *