ଗୁଜରାଟରେ ପଦ୍ମ ଦଳର ଏକପାଖିଆ ବିଜୟ

Spread the love

() ଗୁଜରାଟରେ ବିଜେପିର ବିଜୟ ରଥକୁ ଅଟକାଇପାରିଲେନି ବିରୋଧୀ। ଏକପାଖିଆ ଜିତିବାର ଟ୍ରାକ୍ ରେକର୍ଡକୁ ପୁଣି ବଜାୟ ରଖିଲା ପଦ୍ମ କ୍ୟାମ୍ପ୍। ୧୮୨ ଆସନରୁ ଏକତରଫା  ଦେଢ ଶହରୁ ଅଧିକ ଆସନ ପୋଛିନେଲା ବିଜେପି। କଂଗ୍ରେସ ୧୭ ଓ ଆପ୍ ୫ ଟି ଆସନରେ ହାମୁଡ଼େଇପଡିଛନ୍ତି। ମୋଦି ମ୍ୟାଜିକ୍ ପୁଣି କରିସ୍ମା ଦେଖାଇଲା ଗୁଜରାଟରେ। ୧୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍।

ଗୁଜରାଟରେ ପୁଣି ପଦ୍ମ। ବଡ଼ ଓ ଐତିହାସିକ ବିଜୟ। ଏମିତିରେ ଏକଜିଟ ପୋଲ୍ ବି ଏମିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ବିଜେପି ହାସଲ କରିବ ବୋଲି ସଙ୍କେତ ଦେଇସାରିଥିଲା। ଆଉ ତାହା ସତ ବୋଲି ପ୍ରମାଣିତ ହୋଇଛି। ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସପ୍ତମ ଥର ଲାଗି ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି। ୧୮୨ ଆସନର ଭୋଟ ଗଣତି ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ଗୁଜରାଟରେ ପୁଣି ବିଜେପି ବୋଲି ପ୍ରତୀୟମାନ ହୋଇଥିଲା। ପ୍ରାୟ ୧୦ଟା ବେଳକୁ ତ ବିଜେପି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇସାରିଥିଲା। ସେତେବେଳକୁ ପ୍ରାୟ ୯୫ଟି ଆସନରେ ଲିଡ୍ କରୁଥିଲା ବିଜେପି। ଯେହେତୁ ମ୍ୟାକିଜ୍ ନମ୍ୱର ୯୨ରୁ ଅଧିକ ଆସନରେ ବିଜେପି ଲିଡ୍ କରିସାରିଥିଲା, ସେଥିଲାଗି ଏହି ଟ୍ରେଣ୍ଡ୍ ଆଗକୁ ବଢିବ ଓ ସରକାର ଗଠନ ଲାଗି ସଂଖ୍ୟା ବିଜେପି ଖାତାକୁ ଚାଲିଆସିଥିଲା ପ୍ରାୟ। ଆଉ ସମୟ ବଢ଼ିବାକୁ ତାଳ ଦେଇ ସଂଧ୍୍ୟାକୁ ସଂଖ୍ୟା ବଢ଼ି ୧୫୬ ପାର୍ କରିସାରିଛି। କିନ୍ତୁ କଂଗ୍ରେସ ଓ ଆପ୍ ବହୁ ପଛରେ ପଡ଼ିଥିଲେ। କଂଗ୍ରେସ ମାତ୍ର ୧୭ଟି ଆସନରେ ଲିଡ୍ କରୁଥିଲା ବେଳେ ଆମ୍ ଆଦମୀ ଦଳ ୫ଟିରେ ଲିଡ୍ କରୁଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଲୋଡିଆ ଆସନରେ ୧ଲକ୍ଷରୁ ଅଧିକ ଭୋଟରେ ଲିଡ୍ କରିଥିଲେ। ଗୁଜରାଟରେ ନୂଆ ରେକର୍ଡ ରଚିଲା ବିଜେପି। ମୋଦିଙ୍କ ଉପରେ ଭୋଟରଙ୍କ ଭରସାର ପ୍ରତିଫଳନ ପଡିଲା। ଗୁଜରାଟର ବିକାଶ ମଡେଲକୁ ୨୦୦୦ ମସିହାରୁ ଲୋକେ ଗ୍ରହଣ କରିଆସିଛନ୍ତି ବୋଲି କହିଛି ପଦ୍ମ କ୍ୟାମ୍ପ୍। ଆମ୍ ଆଦମୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ୍ ଗାଦଭି ଖମ୍ୱାଲିଆ ଆସନରୁ ପ୍ରଥମେ ଲିଡ୍ କରିଥିଲେ। କିନ୍ତୁ ପରେ ପଛରେ ପଡ଼ିଯାଇଥିଲେ।

ବହୁମତ ସହ ବିଜେପି ପୁଣି ସରକାର ଗଢ଼ିବ ଗୁଜରାଟରେ। ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ରାଜ୍ୟ ବିଜେପି ସଭାପତି ସିଆର୍ ପାଟିଲ ମିଠା ବାଣ୍ଟି ପରସ୍ପରକୁ ଶୁଭେଛା ଦେଇଛନ୍ତି। ସୁଶାସନ ସାଙ୍ଗକୁ ରାଜ୍ୟରେ ଶାନ୍ତି ଓ ସୁରକ୍ଷା ବଜାୟ ଥିବାରୁ ବିଜେପି ଉପରେ ଜନତା ବାରମ୍ୱାର ଭରସା କରିଆସୁଛନ୍ତି ବୋଲି କହିଛନ୍ତି ନେତାଏ। ପଟିଦାର ନେତା ହାର୍ଦ୍ଦିକ ପଟେଲ ବି ବିଜୟୀ ହୋଇଛନ୍ତି। କଂଗ୍ରେସ କିନ୍ତୁ ବିଜେପି ସହ ତୁଳନା କରିବା ବଦଳରେ ଆପ୍ ସହ ନିଜକୁ ତୁଳନା କରି ନିଜକୁ ସାନ୍ତ୍ୱନା ଦେଇଛି। କଂଗ୍ରେସର ଜିଗ୍ନେଶ ମେଓ୍ୱାନୀ ପଛରେ ପଡ଼ିଗଲେ। କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭବା ଜାଡ଼େଜା ବି ୩୧ହଜାରରୁ ଅଧିକ ମାର୍ଜିନରେ ଜିତିଛନ୍ତି। ବିଜେପିର ଗଡ଼ ସତ୍ତ୍ୱେ ଆମ୍ ଆଦମୀ ଦଳକୁ ଗୁଜରାଟବାସୀ ସମର୍ଥନ କରିବା ସହ ଜାତୀୟ ଦଳ ଭାବେ ବିବେଚନା କରିଥିବାରୁ ଖୁସି ଜାହିର କରିଛି ଆପ୍। ପ୍ରଥମ ଥର ଏଣ୍ଟ୍ରିରେ ବି ଭୋଟର ପସନ୍ଦ କରିବା ବଡ଼ କଥା।

ମୋଦି, ଶାହାଙ୍କ ସମେତ ଅନେକ ତୁଙ୍ଗ ନେତା ଗୁଜରାଟ ପ୍ରଚାରର ମଙ୍ଗ ଧରିଥିଲେ। ଆଉ ମୋଦି ମ୍ୟାଜିକ୍ ପୁଣି କାଟୁ କଲା। ରେକର୍ଡ ବିଜୟ ସହ କ୍ରମାଗତ ଗୁଜରାଟର ଶାସନ ଡୋରି ଧରିବାକୁ ସକ୍ଷମ ହେଲା ପଦ୍ମ ଶିବିର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *