କେନ୍ଦ୍ର ବିହାର ମୁହାଁମୁହିଁ

Spread the love

() ଦେଶକୁ ବଞ୍ଚାଇବାକୁ ପଡ଼ିବ। ୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ପଡ଼ିବ। ବିହାରରେ ମହାଗଠବନ୍ଧନ ସରକାରର ମହା ସମ୍ମିଳନୀରୁ ଏଭଳି ଆହ୍ୱାନ ଦେଇଛନ୍ତି ଉଭୟ ନୀତିଶ ଓ ତେଜସ୍ୱୀ। ବିଜେପିରେ କେହି ଲିଡର ନାହାନ୍ତି, ସମସ୍ତେ ଡିଲର ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତେଜସ୍ୱୀ। ଲାଲୁ କହିଛନ୍ତି, ମୋଦି ସରକାରଙ୍କୁ ବିଦାୟ ଦେବାର ବେଳ ଆସିସାରିଛି। ଦେଶର ସ୍ୱାଧୀନତାକୁ ମୋଦି ଓ ଶାହା ଜାଣନ୍ତିନି ବୋଲି ଆକ୍ଷେପ କରିଛନ୍ତି ନୀତିଶ। ଆଉ କାଉଣ୍ଟରରେ ଶାହା କହିଛନ୍ତି, ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାକୁ ନୀତିଶ ସ୍ୱପ୍ନ ଦେଖନ୍ତି।

ବିହାରରେ ମହାଗଠବନ୍ଧନ ସରକାରର ମହାସମାବେଶ ରାଲିରୁ ବିଜେପି ଉପରେ ଗର୍ଜନ। ୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ସଂକଳ୍ପ। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଦୁଇ ନେତାଙ୍କର ଅନୁଭବରୁ ନେଇ ଅଭିଜ୍ଞତା ଯାଏ, ପ୍ରଶ୍ନ ଉଠାଇଛନ୍ତି ନୀତିଶ। କାମ କରନ୍ତିନି। ବରଂ କବ୍‌ଜା କରିବା କୌଶଳରେ ମାହିର ଉଭୟ ବୋଲି ଆରୋପ ଲଦିଛନ୍ତି ନୀତିଶ। ବିହାର ବିକାଶରେ ଏମାନେ ଅନ୍ତରାୟ। କଂଗ୍ରେସ ଲିଡ୍ କରୁ ବୋଲି ପୁଣି ଥରେ କଥାକୁ ଦୋହରାଇଛନ୍ତି ନୀତିଶ। ବିପକ୍ଷ ଏକାଠି ହୋଇଗଲେ, ବିଜେପିର ଆସନ ଶହେ ତଳକୁ ଖସିଯିବ। ଆଉ ବିପକ୍ଷ ଏକାଠି ନ ହେଲେ ବିଜେପି ଫାଏଦା ମାରିନେବ। ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଉ ପାଦେ ଆଗେଇଯାଇ କହିଛନ୍ତି, ବିଜେପିରେ ଲିଡର ନାହାନ୍ତି, ସମସ୍ତେ ଡିଲର ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କେହି ମହାଗଠବନ୍ଧନକୁ ଭାଙ୍ଗି ପାରିବେନି। ଆଉ ଭର୍ଚ୍ଚୁଆଲରେ ଯୋଡ଼ି ହୋଇଥିବା ଲାଲୁ କହିଛନ୍ତି, ମୋଦି ସରକାରଙ୍କୁ ବିଦାୟ ଦେବାର ବେଳ ଆସିସାରିଛି।

ପ୍ରଥମ ଥର ୭ଟି ଦଳର ବଡ଼ ନେତା ଏକାଠି ହୋଇଥିଲେ। ସିପିଆଇର ରାଷ୍ଟ୍ରୀୟ ମହାସଚିବ ଡି.ରାଜା, ହମ୍ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନରାମ ମାଞ୍ଝି, ବିହାର ପିସିସି ସଭାପତି ଅଖିଳେଶ ପ୍ରସାଦ ସିଂ ପ୍ରମୁଖ ବିଜେପି ବିରୁଦ୍ଧରେ ଗର୍ଜିଥିଲେ। ପୂର୍ଣ୍ଣିଆରୁ ମହାଗଠବନ୍ଧନ ମହାରାଲି ବିଜେପି ଉପରେ ବର୍ଷିଥିଲା ବେଳେ ସେପଟେ ପଶ୍ଚିମ ଚମ୍ପାରନରେ ବିଜେପିର ବିଶାଳ ଜନସଭାରୁ କଡ଼ା କାଉଣ୍ଟର କରିଛନ୍ତି ଅମିତ ଶାହା। ଜେଡିୟୁ-ବିଜେପିର ମେଣ୍ଟ ଅପମିଶ୍ରଣ ପାଣି ଓ ତେଲ ଭଳି। ଜେଡିୟୁ ପାଣି ଓ ଆରଜେଡି ତେଲ। ପ୍ରଧାନମନ୍ତ୍ରୀ ହେବାକୁ ପ୍ରତି ୩ ବର୍ଷରେ ନୀତିଶଙ୍କୁ ସ୍ୱପ୍ନ ଆସେ। ବିହାରରେ ଦଳବଦଳକାରୀଙ୍କୁ ପାନେ ଦେବାକୁ ଅପିଲ୍ କରିଛନ୍ତି ଶାହା। ବିହାରରେ ଜଙ୍ଗଲରାଜ ପୁଣି ଆରମ୍ଭ ହୋଇଛି। ଜଙ୍ଗଲରାଜର ପ୍ରଣେତା ଲାଲୁଙ୍କ କୋଳରେ ବସିଛନ୍ତି ନୀତିଶ। ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଲାଲୁଙ୍କୁ କଥା ଦେଇଥିଲେ ନୀତିଶ। କିନ୍ତ ଏ ଯାଏ ତିଥି ବାହାରିପାରୁନି କହି କଟାକ୍ଷ ଫିଙ୍ଗିଛନ୍ତି ଶାହା। ବିହାରର ବିକାଶ କେବଳ ବିଜେପି ହିଁ କରିପାରିବ।

ବିହାର ବିକାଶର ନାରା ଆଳରେ ହିସାବ ରାଜନୀତି ସହ ପରସ୍ପରର ଗୋହି ଖୋଳିଛନ୍ତି ନୀତିଶ କୁମାର ଓ ଅମିତ ଶାହା। କିନ୍ତୁ ୨୪ରେ ପୁଣି ଥରେ ମୋଦି ସରକାର ବୋଲି ଦମ୍ଭ ଶାହା ଦେଖାଇଛନ୍ତି। ଆଉ ବିପକ୍ଷଙ୍କ ଏକତା ହିଁ ଏହି ଦମ୍ଭକୁ ଭାଙ୍ଗିଦେବ ବୋଲି ଦୃଢତା ଦେଖାଉଛନ୍ତି ବିରୋଧୀ। ହେଲେ ବିପକ୍ଷ ଏକାଠି ହୋଇପାରିବେ ତ। ଏମିତି ପ୍ରଶ୍ନ ବି ଆନ୍ଦୋଳିତ କରୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *