ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କୁ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା

Spread the love

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ସିଂହଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପଟ୍ଟନାୟକ କହିଲେ ଯେ ଛତିଶଗଡ଼ରେ କଂଗ୍ରେସ ଦଳ ସରକାର ଗଢ଼ିବାପରେ ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପ୍ରଦାନ କରିଛନ୍ତି । ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ଦଳ ସମୟରେ ଦକ୍ଷିଣ ଓଡ଼ିଶାର ବହୁ ଲୋକ ଗୁଜୁରାଟରେ ଦାଦନ ଖଟୁଛନ୍ତି, ପଶ୍ଚିମ ଓଡ଼ିଶାର ବହୁ ଲୋକ ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିଜର ପେଟ ପୋଷୁଛନ୍ତି ଏବଂ ଉତର ଓଡ଼ିଶାର ବହୁ ଲୋକ ପଶ୍ଚିମ ବଙ୍ଗରେ କାମ କରୁଛନ୍ତି । ଏହା ବିଜେଡ଼ି ସରକାରର ଅପାରଗତା । ସିଂହଦେଓ ଆସନ୍ତା ନିର୍ବାଚନ ସମୟରେ ଓଡ଼ିଶାରେ ବିଭିନ୍ନ ସଭାସମିତିରେ ଯୋଗଦେବାପାଇଁ ପିସିସିର ଅନୁରୋଧକୁ ରକ୍ଷା କରିବେ ବୋଲି ପଟ୍ଟନାୟକ ଆଶାପ୍ରକଟ କରିଥିଲେ ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ସିଂହଦେଓଙ୍କୁ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦ ସମସ୍ୟାକୁ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା ଏବଂ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉଦ୍ବୋଧନ ଦେଇ ସିଂହଦେଓ କଂଗ୍ରେସର ଜଣେ ଦକ୍ଷ ନେତା ତଥା ରାର୍ଜଷୀ ବୋଲି ଅଭିହିତ କରିଥିଲେ ।

ସିଂହଦେଓ ଜୟ ଜଗନ୍ନାଥ ଉଚ୍ଚାରଣ କରି ନିଜ ଅଭିଭାଷଣରେ କହିଲେ ଯେ, ଆଜି ମୋତେ ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଛି ତାହା କେବେ ଭୁଲିବାର ନୁହେଁ । ମୋତେ ଆପଣମାନେ ଯେତେବେଳେ ମନେପକାଇବେ ମୁଁ ଆପଣମାନଙ୍କ ନିକଟକୁ ଆସିବାକୁ ପ୍ରସ୍ତୁତ ଅଛି । ପରିଶ୍ରମ କଲେ ସୁଫଳ ମିଳିବା କଷ୍ଟ ନୁହେଁ । କିନ୍ତୁ ଶୃଙ୍ଖଳା ଆମ୍ଭମାନଙ୍କ ଭିତରେ ରହିବା ଅତ୍ୟନ୍ତ ଜରୁରୀ । ଦଳର ସର୍ବୋଚ୍ଚ ନେତା ଯାହା ନିଷ୍ପତି ନେବେ ତାହାହିଁ ସମସ୍ତେ ମାନିଲେ ହିଁ ପ୍ରତ୍ୟେକ କାର୍ଯ୍ୟ ଆମେ ହାସଲ କରିପାରିବା । ମହାନଦୀ ସଂପର୍କରେ ସେ କହିଲେ ଯେ ମୁଁ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ କ’ଣ କରାଯାଇପାରିବ ଅବଶ୍ୟ ପଦକ୍ଷେପ ନେବି ।

Leave a Reply

Your email address will not be published. Required fields are marked *