ଖଡଗେଙ୍କ ନେତୃତ୍ବରେ କଂଗ୍ରେସ ସୁଦୃଢ ହେବା ନେଇ ଆଶାବାଦୀ ଦଳୀୟ କର୍ମକର୍ତ୍ତା

Spread the love

() ଏଆଇସିସି ସଭାପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡ଼ଗେ। ଏଆଇସିସି ମୁଖ୍ୟାଳୟରେ ଖଡଗେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୋନିଆ ଗାନ୍ଧୀ। ୨୪ ବର୍ଷ ପରେ ଅଣଗାନ୍ଧୀ ପରିବାରକୁ ନେତୃତ୍ୱ ମିଳିଛି। ତେବେ ଖଡଗେଙ୍କ ନେତୃତ୍ୱରେ ଦଳ ଓ ସଂଗଠନ ମଜଭୁତ ହେବ ବୋଲି ସମସ୍ତେ ଆଶାବାଦୀ।

ଏଆଇସିସି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ସୋନିଆ, ରାହୁଲ, ପ୍ରିୟଙ୍କା ଓ ଦଳର ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଏଆଇସିସିର ସଭାପତି ଭାବରେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲୁକାର୍ଜୁନ ଖଡଗେ। ନିର୍ବାଚନ କମିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଖଡଗେଙ୍କୁ ଏଆଇସିସି ସଭାପତିର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ବିଦାୟୀ ସଭାପତି ସୋନିଆ ଗାନ୍ଧୀ ଖଡଗେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁଷ୍ପଗୁଛ ଦେଇ ଖଡଗେଙ୍କୁ ନୂଆ ଦାୟିତ୍ୱ ନିର୍ବାହ ଲାଗି ଶୁଭେଛା ଜ୍ଞାପନ କରିଛନ୍ତି। ସେପଟେ ଖଡଗେ ବି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଏକ ଫଟୋ ସୋନିଆଙ୍କୁ ଦେଇ ଗାନ୍ଧୀ ପରିବାରର ବଳିଦାନକୁ ସ୍ମରଣ କରିଛନ୍ତି।ଦଳ କଠିନ ସମୟ ଦେଇ ଗତି କରୁଛି। ଦଳରେ କର୍ମୀ, ନେତା କିଭଳି ନିରନ୍ତର ସଂଘର୍ଷ କରୁଛନ୍ତି, ସେ କଥାକୁ ମର୍ମେ ମର୍ମେ ଅନୁଭବ କରୁଥିବା କହିଛନ୍ତି ଖଡଗେ। ଭଲ କାମ ସତ୍ତ୍ୱେ, ମତଦାତା ଦଳ ଉପରେ ଅଭିମାନ କରିଛନ୍ତି। ଦଳକୁ ଦୂରେଇ ଦେଇଛନ୍ତି। ସେଥିଲାଗି ରାହୁଲ ଗାନ୍ଧୀ ଏହାକୁ ଅନୁଭବ କରି ଜାରି ରଖିଥିବା ଭାରତ ଯୋଡ଼ ଯାତ୍ରାର ଉର୍ଜାକୁ କୌଣସିମତେ ବ୍ୟର୍ଥ କରିବାକୁ ଦିଆଯିବନି ବୋଲି ସଂକଳ୍ପ ନେବାକୁ ଅପିଲ୍ କରିଛନ୍ତି କାର୍ଯ୍ୟକର୍ତ୍ତାଙ୍କୁ।

ବିଜେପିର ଅରାଜକତାକୁ ମୁହଁତୋଡ଼ ଜବାବ ଦେବାକୁ ପଡ଼ିବ। ବିଜେପି-ଆରଏସଏସର ଦେଶକୁ ବିରୋଧୀ ମୁକ୍ତ କରିବାକୁ ଚାହୁଁଛନ୍ତି।ଯେଉଁଠି ଯୁବକଙ୍କୁ ରୋଜଗାର ନାହିଁ, ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା, ମହିଳାଙ୍କୁ ଅତ୍ୟାଚାର, ଅପରାଧୀଙ୍କୁ ସମ୍ମାନ, ମହଙ୍ଗା ମାଡ଼ରେ ଜନତା ତ୍ରାହି ତ୍ରାହି ଡାକୁଛି। ଇଏ ତାହେଲେ କେଉଁ ପ୍ରକାର ନ୍ୟୁ ଇଣ୍ଡିଆ ବୋଲି ପଚାରି ସେ ସବୁ ଏଜେଣ୍ଡାକୁ ସଫଳତାର ସହ ମୁକାବିଲା କରିବାକୁ ହେବବୋଲି ଆହ୍ୱାନ ଦେଇଛନ୍ତି ଖଡଗେ।ସଭାପତି ଭାବରେ ନିଜ ପରିଶ୍ରମ, ଅନୁଭବ ବଳରେ ଯାହା ସମ୍ଭବ ହୋଇପାରିବ, ତାହା କରିବେ ବୋଲି ଭରସା ଦେଇଛନ୍ତି ଖଡଗେ।

ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିରରେ ବିଦାୟୀ ସଭାପତି ସୋନିଆ ଗାନ୍ଧୀ ଯେଉଁ ବ୍ଲୁପ୍ରିଣ୍ଟ କରିଥିଲେ, ତାକୁ ଲାଗୁ କରିବା ତାଙ୍କର ଓ ଦଳର ପ୍ରାଥମିକତା ହେବ ବୋଲି କହିଛନ୍ତି ଖଡଗେ। ୧୯୯୮ରେ ସୋନିଆ ସଭାପତି ପଦ ସମ୍ଭାଳିବା ବେଳେ କର୍ଣ୍ଣାଟକରୁ ରାଜନୀତି ଦୀକ୍ଷା ନେଇଥିବା କଥାକୁ ବି ସ୍ମରଣ କରାଇଦେଇଥିଲେ ଖଡଗେ। ଧର୍ମ, ଜାତି, ଲିଙ୍ଗ ଭେଦଭାବରୁ ଉର୍ଦ୍ଧ୍ୱରେ ରହି ରୋଜଗାର, ବିକାଶ, ଶାନ୍ତି, ବୈଜ୍ଞାନିକ ଭାବନା ଓ ସର୍ବୋପରି ଲୋକତନ୍ତ୍ର ପ୍ରତିଷ୍ଠା ଲାଗି କଂଗ୍ରେସ ସହ ଯୋଡ଼ନ୍ତୁ ବୋଲି ଅପିଲ୍ କରିଛନ୍ତି ଖଡଗେ।

ଜଣେ ବ୍ଲକ୍‌ କଂଗ୍ରେସ ସଭାପତି ପଦରୁ ଆଜି ଦଳର ସର୍ବୋଚ୍ଚ ଆସନରେ ଅଳଙ୍କୃତ ହୋଇଛନ୍ତି ମଲ୍ଲିକାର୍ଜୁନ। ତାଙ୍କ ଆଗରେ ଅନେକ ଆହ୍ୱାନ। ଦଳକୁ ସଜାଡିବା, ସଂଗଠନର ପୁନର୍ବିନ୍ୟାସ କେତେ କଅଣ। ଏଆଇସିସି ଅଫିସରେ ଦାୟିତ୍ୱ ନେବା ଆଗରୁ ଖଡ଼ଗେ ରାଜଘାଟ ଯାଇ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *