ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି। କିନ୍ତୁ ସବୁ ଦାବିଦାରଙ୍କ ମୁହଁରେ ଜଣଙ୍କ ନାଁ ଓ ଜଣଙ୍କୁ ମନେଇବାକୁ ପ୍ରୟାସ କରିଚାଲିଛନ୍ତି। ଆଉ ସେ ହେଉଛନ୍ତି ରାହୁଲ। ସେପଟେ କେରଳରେ ଆଜି ପୁଣି ଥରେ ରାହୁଲ ସ୍ପଷ୍ଟ କରିଦେଇଛନ୍ତି କି, ସେ ଇଛୁକ ନୁହଁନ୍ତି। ଆଉ ତା ସହ ଓ୍ୱାନ ମ୍ୟାନ୍ ଓ୍ୱାନ ପୋଷ୍ଟ ଥିଓରୀ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଦେବା ପରେ ଗେହଲଟଙ୍କ ଭଳି ନେତାଙ୍କ ଅଡ଼ୁଆ ବି ବଢ଼ିଛି।
ନିଜ କଥାରେ ଏବେ ବି କାଏମ ରାହୁଲ। କଂଗ୍ରେସ ସଭାପତି ପଦ ଲାଗି ସେ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି। କେରଳରେ ଭାରତ ଯୋଡ଼ଯାତ୍ରା ଅବସରରେ ସାମ୍ୱାଦିକ ସମ୍ମିଳନୀରେ କେବଳ ଏହା କହି ଅନ୍ୟମାନଙ୍କ ଲାଗି ରାସ୍ତା ଛାଡ଼ିନାହାନ୍ତି। ବରଂ ପଦପଦବୀର ଲାଳସାରୁ ଦୂରେଇ ରହି ଏକାଧିକ ପଦ ଜାବୁଡ଼ି ଧରିଲେ ଚଳିବନି ବୋଲି ପରାମର୍ଶ ବି ଦେଇଛନ୍ତି। ରାଜସ୍ଥାନ ଉଦୟପୁର ଚିନ୍ତନ ଶିବିରରେ ଯାହା ନିଷ୍ପତ୍ତି ହୋଇଥିଲା, ସେହି ଆଧାରରେ ହିଁ ଦଳ ଆଗେଇବ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାହୁଲ।
ଓ୍ୱାନ ମ୍ୟାନ୍ ଓ୍ୱାନ ପୋଷ୍ଟ ଥିଓରୀ ଆଧାରରେ କାମ କରିବାକୁ ହେବ। ଆଉ ରାହୁଲଙ୍କ ଏହି ସଙ୍କେତ ଯେମିତି ସଭାପତି ପଦ ଲାଗି ପ୍ରମୁଖ ଦାବିଦାର ଅଶୋକ ଗେହଲଟଙ୍କ ପ୍ରତି ଅଡ଼ୁଆ ବଢ଼ାଇଦେଇଛି। କାରଣ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଗେହଲଟ ପ୍ରସ୍ତୁତ ନୁହଁନ୍ତି। ସଭାପତି ସହ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କୁଆଡ଼େ ସୋନିଆଙ୍କୁ ଜଣାଇ ସାରିଥିଲେ ଗେହଲଟ। ସେପଟେ ସଭାପତି ପଦ ଲାଗି ଶଶୀ ଥରୁରଙ୍କ ନାଁ ଆଗରୁ ଚର୍ଚ୍ଚାରେ ଥିଲା ବେଳେ ଏବେ ଦିଗବିଜୟ ସିଂ ଓ ମନୀଷ ତିଓ୍ୱାରୀଙ୍କ ଭଳି ନେତା ବି ଆଗ୍ରହ ଦେଖାଇଛନ୍ତି। ଆଉ ଜଣେ ସଭାପତି ହେବାକୁ ଚାହୁଁନଥିଲା ବେଳେ ତାଙ୍କୁ ମନେଇବା ଲାଗି ଚେଷ୍ଟାର ଭେଳିକି କାହିଁକି ବୋଲି ବିଜେପି କଟାକ୍ଷ କରିଛି।
କଂଗ୍ରେସର ମଙ୍ଗ ଧରିବାକୁ ରାହୁଲଙ୍କ ଇଛା ନାହିଁ। ଏଣେ ସଭାପତି ପଦ ଲାଗି ଦାବିଦାର ସାଜିଥିବା ନେତାଙ୍କ ତୁଣ୍ଡରେ ରାହୁଲଙ୍କୁ ମନେଇବା ଲାଗି ଚାଲିଛି ନିରନ୍ତର ପ୍ରୟାସ। ଆଉ ଆଜି ସଭାପତି ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ୨୪ରୁ ୩୦ ଯାଏ ନାମାଙ୍କନ। ଆବଶ୍ୟକ ହେଲେ ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ରାହୁଲ ନିଜ କଥାରେ କାଏମ ରହିବା ପରେ ଯଦି ଦାବିଦାର ସଂଖ୍ୟା ବଢ଼େ, ତେବେ ନିର୍ବାଚନ ହେବ ନା ସୋନିଆଙ୍କ ପସନ୍ଦର ବ୍ୟକ୍ତି ଏହି ପଦ ବିନା ପ୍ରତିଦ୍ୱନ୍ଦିତାରେ ହାତେଇବେ, ଦେଖିବାକୁ ରହିଲା।
ପ୍ରେମଲତା ବାରିକ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now