୭୬ତମ ରାଷ୍ଟ୍ରୀୟ ସମ୍ୱିଧାନ ଦିବସ ପୁରୁଣା ସଂସଦ ଭବନରେ ପାଳିତ ହୋଇଛି। ସଂସଦର ସେଣ୍ଟ୍ରାଲ ହଲରେ ଆଜିକା ଦିବସ ଐତିହାସିକ ସାଜିଲା। କାରଣ ଆଜି ୯ଟି ଭାଷାରେ ସମ୍ୱିଧାନର ଡିଜିଟାଲ ଅନୁବାଦ ସଂସ୍କରଣକୁ ଲୋକାର୍ପିତ କରିଛନ୍ତି ମହାମହିମ ରାଷ୍ଟ୍ରପତି। ମାଲାୟଲମ, ପଞ୍ଜାବୀ, ବୋଡୋ, କଶ୍ମୀରି, ମରାଠୀ, ତେଲୁଗୁ, ଓଡ଼ିଶା ଓ ଅସମିଆ ସମେତ ୯ ଭାଷାରେ ସମ୍ୱିଧାନକୁ ଅନୁବାଦ ସଂସ୍କରଣ ଜାରି ହୋଇଛି। ରାଷ୍ଟ୍ରପତିଙ୍କ ସମେତ ଉପସ୍ଥିତି ଅତିଥି ସମ୍ୱିଧାନର ପ୍ରସ୍ତାବନାକୁ ପଢିଥିଲେ। ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ରାଜନୈତିକ ନ୍ୟାୟ ଦେବାକୁ ଶିଖାଇଛି ସମ୍ୱିଧାନ। ନଭେମ୍ୱର ୨୬, ୧୯୪୯ରେ ସମ୍ୱିଧାନ ଭବନର ଏହି ସେଣ୍ଟ୍ରାଲ ହଲରେ ସମ୍ୱିଧାନର ଡ୍ରାଫ୍ଟ ତିଆରି ହୋଇଥିଲା। ଭାରତ ନିଜର ସମ୍ୱିଧାନକୁ ଆପଣାଇଥିଲା। ସ୍ୱାଧୀନତା ପରେ ସମ୍ୱିଧାନର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ଥିବା ତଥା ପ୍ରଣେତା ବାବା ସାହେବ ଆମ୍ୱେଦକରଙ୍କୁ ଆଜି ସ୍ମରଣ କରିଛନ୍ତି ସଭିଏଁ। ରାଷ୍ଟ୍ରପତି କହିଛନ୍ତି, ଆଜି ଦେଶରେ ୨୫ କୋଟି ଲୋକ ଗରିବ ସୀମାରେଖା ଉପରକୁ ଉଠିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଟ୍ରିପଲ ତଲାକ ଭଳି ସାମାଜିକ କୁସଂସ୍କାର ଉପରେ ରୋକ୍ ଲଗାଇଛି। ଭାରତ ସଂସଦ ମହିଳାଙ୍କୁ ନ୍ୟାୟ ଦେଇଛି। ଉପରାଷ୍ଟ୍ରପତି କହିଛନ୍ତି, ଏହି ସମ୍ୱିଧାନ କୋଟି କୋଟି ଭାରତୀୟଙ୍କ ଆଶା ଆକାଙ୍କ୍ଷା ପୁରା କରିବାକୁ ଭାବନା ଜାଗ୍ରତ କରିଛି। ଆମ ସମ୍ୱିଧାନ ଅନୁଭବ, ତ୍ୟାଗରେ ଭର୍ତ୍ତି। ଏହାର ଆତ୍ମା ପ୍ରମାଣିତ କରିଛି ଯେ, ଭାରତ ଏକ ଓ ସବୁବେଳେ ଏକଜୁଟ୍ ହୋଇରହିବ। ବାଚସ୍ପତି କହିଛନ୍ତି, ସଂସଦ ଏମିତି ଏକ ସ୍ଥାନ ଯେଉଁଠି ବହୁ ତର୍କ ପରେ ଦେଶବାସୀଙ୍କ ଆଶାଆକାଙ୍କ୍ଷାକୁ ସମ୍ୱିଧାନରେ ଲିପିବଦ୍ଧ କରାଗଲା। ସମସ୍ତେ ଯେମିତି ସମ୍ମାନର ସହ ବଞ୍ଚିବେ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିପାରିବେ, ସମ୍ୱିଧାନ ସେ ଅଧିକାର ଦେଇଛି। ଏହା କେବଳ ଏକ ପୁସ୍ତକ ନୁହେଁ, ବରଂ ଆମର ଜୀବନଶୈଳୀ ଅଟେ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ। ସେପଟେ ସମ୍ୱିଧାନ ଦିବସରେ ସରକାରଙ୍କ ଦୋମୁହାଁ ଚରିତ୍ରକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ। ମହାରାଷ୍ଟ୍ରରେ ମୁମ୍ୱାଇ ଯୁବ କଂଗ୍ରେସ ସଭାପତି ଜିନ୍ନତ ସାବରିନଙ୍କୁ ପୁଲିସ ଅଟକ ରଖିଛି। ମେରାଇନ ଡ୍ରାଇଭରେ ସମ୍ୱିଧାନ ପଢ଼ିବାକୁ ବାହାରିବାରୁ ଜିନ୍ନତଙ୍କୁ ପୁଲିସ ଗିରଫ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଣତନ୍ତ୍ରକୁ ଦବାଇବା, ସଂଘୀୟ ବ୍ୟବସ୍ଥାକୁ ବୁଲଡୋଜ କରିବାକୁ ସମସ୍ତ ଉଦ୍ୟମ କରୁଛନ୍ତି ମୋଦି ସରକାର। ଏହାକୁ ବରଦାସ୍ତ କରାଯିବନି। ଯେପର୍ଯ୍ୟନ୍ତ ସମ୍ୱିଧାନ ବଞ୍ଚିଛି, ସେପର୍ଯ୍ୟନ୍ତ ଭାରତର ଆତ୍ମା ବଞ୍ଚିବ। ଆଉ ସମ୍ୱିଧାନ ଓ ଗଣତନ୍ତ୍ରର ସୁରକ୍ଷା ଲାଗି ପ୍ରତିବଦ୍ଧ ବୋଲି କହିଛନ୍ତି ବିରୋଧୀ ଦଳ। ଆରଏସଏସ କେମିତି ସମ୍ୱିଧାନକୁ ସମାପ୍ତ କରିବାକୁ ଲାଗିଛି ଓ ଏହି ଅଭିଯାନକୁ ମୋଦି-ଶାହା ଯୋଡ଼ି କେମିତି ଆଗକୁ ନେବାରେ ଲାଗିଛନ୍ତି, ତାକୁ ନେଇ କଟାକ୍ଷ କରିଛନ୍ତି ଜୟରାମ ରମେଶ। ସମ୍ୱିଧାନ ଡ୍ରାଫଟିଂରେ ଆରଏସଏସର କୌଣସି ଭୂମିକା ନଥିଲା। ସ୍ୱାଧୀନତା, ଅଧିକାର ଓ ଗଣତନ୍ତ୍ରକୁ ନେଇ ସମ୍ୱିଧାନ ପ୍ରତିଟି ଭାରତୀୟର ଆତ୍ମା ସାଜିଛି। ହେଲେ ଆଜି ଗଣତନ୍ତ୍ର ଓ ସମ୍ୱିଧାନ କେତେ ସୁରକ୍ଷିତ, ତାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି। ସମ୍ୱିଧାନର ସୁରକ୍ଷା କବଚ ବାସ୍ତବରେ କିଏ ସାଜିଛି। ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now