ଲୋକଙ୍କ ସମର୍ଥନ ସତ୍ୱେ ପ୍ରଶାସନ କରୁଛି ବାରମ୍ବାର ମାନବାଧିକାର ଉଲ୍ଲଂଘନ : ନରସିଂହ

Spread the love

ବଲାଙ୍ଗିର : ଲୋୟର ସୁକ୍ତେଲ ବୁଡି ଅଞ୍ଚଳରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଓ ବିଜୁଳି କାଟ୍ ଯୋଗୁଁ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଲୋକେ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ପୂର୍ବରୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରିଥିଲି । ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ମାନବାଧିକାର ଉଲ୍ଲଙ୍ଘନ ନ କରିବାକୁ ପ୍ରଶାସନକୁ କହିବା ସହ ତୁରନ୍ତ ବିଜୁଳି ଓ ପାଣି ସୁବିଧା ପୁନଃ କାର୍ଯ୍ୟକାରୀ କରିବାକୁ କହିଥିଲି ।

ଖୁଣ୍ଟପାଲି ଅଞ୍ଚଳରେ ଯଦିଓ ପାଣି ଓ ବିଜୁଳିକୁ ପ୍ରଶାସନ ପୁନଃ ସଂଯୋଗ କରିଛି, କିନ୍ତୁ ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ କରାଯାଇନାହିଁ । ଏ ଅଞ୍ଚଳର ସମସ୍ତ ଲୋକେ ଲୋୟର ସୁକ୍ତେଲ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ବିସ୍ଥାପିତ ହେବାକୁ ରାଜି ହୋଇଛନ୍ତି । ତଥାପି ପ୍ରଶାସନ କାହିଁକି ସେମାନଙ୍କୁ ବିଜୁଳି ଓ ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ କରୁଛି ବୋଲି ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିବା ସହ ପୁଣି ଥରେ ପ୍ରେସ୍ ବିବୃତି ମାଧ୍ୟମରେ ଏହା ଜିଲା ପ୍ରଶାସନର କ୍ରମାଗତ ମାନବ ଅଧିକାର ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି ।

ପ୍ରେସ୍ ବିବୃତି ମାଧ୍ୟମରେ ବିଧାୟକ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରକଳ୍ପର ବିସ୍ଥାପନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିସ୍ଥାପିତଙ୍କୁ ବିଜୁଳି ଓ ପାନୀୟ ଜଳରୁ ବଞ୍ଚିତ କରାନଯାଉ । ସେମାନେ ଯେମିତି ସମ୍ମାନର ସହ ବିସ୍ଥାପିତ ହେବେ ପ୍ରଶାସନ ସେ ବ୍ୟବସ୍ଥା ଗ୍ରହଣ କରୁ ।ଗଡଶଙ୍କର ଡୁଙ୍ଗୁରିପାଲି ଓ ଖୁଣ୍ଟପାଲି ଅଞ୍ଚଳର ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଦୁଇ ଦିନ ପୂର୍ବରୁ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଯଦିଓ ଖୁଣ୍ଟପାଲି ଅଞ୍ଚଳରେ ପାଣି ଓ ବିଜୁଳିକୁ ପୁନଃ ସଂଯୋଗ କରାଯାଇଛି । ତଥାପି ଗଡଶଙ୍କର ଡୁଙ୍ଗୁରିପାଲି ଅଞ୍ଚଳରେ ଏପର୍ଯ୍ୟନ୍ତ ବିଜୁଳି ପୁନଃ ସଂଯୋଗ କରାଯାଇନଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏଭଳି ଅବସ୍ଥା ଜାରି ରହିଲେ ଆଗକୁ ଆନ୍ଦୋଳନ ଆଶଙ୍କା ବୃଦ୍ଧି ପାଇବା ସହ ପ୍ରକଳ୍ପ ନିର୍ମାଣ ଓ ବିସ୍ଥାପନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ଓ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାରେ ଏହା ବିଳମ୍ବର କାରଣ ହୋଇପାରେ ବୋଲି ବିଧାୟକ ମିଶ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି । ଆଜି ପୁଣି ଥରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉଦାର ମନୋଭାବ ପୋଷଣ କରୁ ବୋଲି ବିଧାୟକ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *