୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- ପଂଚାନନ କାନୁନଗୋ

Spread the love

ଭୁବନେଶ୍ୱର : ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ । ମାତ୍ର ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ । ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପିଠି ନିଜେ ଥାପୁଡାଇବାପରି ମନେ ହେଉଛି ବୋଲି ଗତକାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ।

 ଓଡ଼ିଶାରେ ପ୍ରତି ୨୧୮୭ ଲୋକରେ ଜଣେ ଡାକ୍ତର ରହିଛନ୍ତି । ଡବ୍ଲୁ.ଏଚ.ଓ ର ହିସାବ ଅନୁଯାୟୀ ୧୦୦୦ ଲୋକରେ ଜଣେ ଡାକ୍ତର ରହିବା କଥା । ସେହି ଅନୁସାରେ ଓଡ଼ିଶାରେ ୪ କୋଟି ୬୦ ଲକ୍ଷ ଲୋକ ଥିବା ବେଳେ ଆମର ୪୬ ହଜାର ଡାକ୍ତରଙ୍କର ଆବଶ୍ୟକତା ରହିଛି । ମାତ୍ର ତାହା ଏଠାରେ ହୋଇପାରି ନାହିଁ ।   ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ (ସ୍ୱାସ୍ଥ୍ୟ ସେବା) ତାଙ୍କ ସତ୍ୟପାଠରେ ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ଓଡ଼ିଶା ମେଡିକାଲ ସ୍ୱାସ୍ଥ୍ୟ ସେବାରେ ସାଧାରଣ ଡାକ୍ତର ଏବଂ ସ୍ପେସାଲିଷ୍ଟଙ୍କ ପାଇଁ ୮୫୪୬ଟି ପଦବୀ ରହିଛି । ସେଥିରୁ ୫୮୩୮ ସାଧାରଣ ମେଡିକାଲ ଅଫିସର ପଦବୀ ରହିଛି ଯେଉଁଥିରୁ ୩୫୨୩ଟି ଖାଲି ପଡ଼ିଛି । ଏତଦ୍‌ଭୀନ୍ନ ସ୍ପେସାଲିଷ୍ଟଙ୍କ ପାଇଁ ୨୭୦୮ ଟି ପଦବୀ ରହିଛି ଯେଉଁଥିରୁ ୧୨୧୧ ଟି ଖାଲି ପଡ଼ିଛି ।

ରାଜ୍ୟରେ ୪୫ ହଜାରରୁ ଅଧିକ ପାରାମେଡିକାଲ ଷ୍ଟାଫ ଏବଂ ନସିଂ ପଦବୀ ବର୍ଷ ବର୍ଷ ଧରି ଖାଲି ରହିଛି ।  ଯେଉଁ ଯନ୍ତ୍ରାଂଶ ଗୁଡିକୁ କିଣା ହୋଇଛି ଷ୍ଟାଫ ଅଭାବରୁ ତାହା ଖତ ଖାଉଛି । ୨୩ ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପଦବୀ ପୂରଣ କରିପାରିନଥିବା ଓଡ଼ିଶା ସରକାର ଡିସେମ୍ବର ସୁଦ୍ଧା କିଭଳି ସମସ୍ତ ଡାକ୍ତରପଦବୀ ପୂରଣ କରିବେ ବୋଲି ଦୃଢ଼ୋକ୍ତି କଲେ ତାହା ଆଶ୍ଚର୍ଯ୍ୟର ବିଷୟ । ସୁତରାଂ ନବୀନ ସରକାରରେ ଓଡ଼ିଶାର ଲୋକେ ନିମ୍ନତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ବୋଲି ଏକଥା ଆଉ କାହାକୁ ଅଛପା ନାହିଁ । ରାଜ୍ୟରେ ୨୩ ବର୍ଷ ଭିତରେ କେତୋଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପଖଣ୍ଡ ଡାକ୍ତରଖାନା କରାଯାଇଛି ତାହାର ଦୟାକରି ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଏକ ତାଲିକା ରାଜ୍ୟବାସୀଙ୍କ ସାମନାରେ ରଖିବେକି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି । ଆଜିବି ଭାରରେ ରୋଗୀ ବୁହା ହଉଛନ୍ତି ଏବଂ ଦାନ ମାଝୀର ଉଦାହରଣ ପ୍ରତିଦିନ ରହିଛି । ତେବେ ସ୍ୱାସ୍ଥ୍ୟ ସେବାର ସୁଧାର କେଉଁଠି ହୋଇଛି ବୋଲି ଶ୍ରୀ କାନୁନ ଗୋ କହିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *