ବିଜେପି ଗାଡ଼ିରେ ବସି ଇଡି-ଆଇଟି-ସିବିଆଇ କରୁଛି ରେଡ

Spread the love

() କାହିଁକି ସିବିଆଇ ଓ ଇଡିର ଦୁରୁପଯୋଗ ହେଉଛି ବୋଲି ଆରୋପ ଲଦିଆସୁଛନ୍ତି ବିରୋଧୀ। ଏଥିରେ କିଛି ବାସ୍ତବତା ଅଛି କି। ବିରୋଧୀଙ୍କୁ ଡରାଇବା, ମିଛ ମାମଲାରେ ଫସାଇବା କହି ସତରେ କଅଣ ବିଜେପି ସରକାର ଏଭଳି ତଦନ୍ତକାରୀ ଏଜେନ୍ସିକୁ ପଛରେ ଲଗାଉଛନ୍ତି କି। ତେବେ ୨୨ରେ ଏମିତି କିଛି ରେଡ୍ ଓ ଗିରଫଦାରି ଯାହା ସମୟ, ସ୍ଥିତି ଓ ସଂଯୋଗକୁ ଦେଖି ହୋଇଥିଲା, ଯାହା ବିରୋଧୀଙ୍କ ଆରୋପକୁ କେଉଁଠି ନା କେଉଁଠି କେତେକାଂଶରେ ସତ ବୋଲି ପ୍ରତୀୟମାନ କରୁଥିଲା।

ବିଜେପିର ହାତ ଛାଡ଼ି ମହାଗଠବନ୍ଧନ ସହ ହାତ ମିଳାଇ ନୂଆ ସରକାର କରିଥିବା ନୀତିଶ କୁମାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାର ଦିନ ଥିଲା। ଆଉ ଠିକ୍ ସେହି ଦିନ ବିହାରରେ ସିବିଆଇର ଛାପା ପଡ଼ିଥିଲା। ଆରଜେଡି ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ସମେତ ତିନି ସାଂସଦ ଅସଫାକ୍ କରିମ୍, ଫୟାଜ୍ ଅହମ୍ମଦ ଓ ସୁବୋଧ ରାୟଙ୍କ ଘରେ ଓ ଅଫିସରେ ସିବିଆଇ ରେଡ୍ ହୋଇଥିଲା। ଚାକିରି ପାଇଁ ଜମି ଦୁର୍ନୀତିର ପୁରୁଣା ଚିଠା ପୁଣି ଖୋଲିଥିଲା ସିବିଆଇ। ତେବେ ଏହି ସମୟ ସଂଯୋଗ ନା ଆଉ କିଛି ବୋଲି ଚର୍ଚ୍ଚା ହୋଇଥିଲା। ସିବିଆଇକୁ ପଛରେ ଲଗାଇଦେଲେ ବିଧାୟକମାନେ ଭୟଭୀତ ହୋଇଯିବେ ଓ ସେମାନଙ୍କ ପଟକୁ ଢଳିବାର ଦିବାସ୍ୱପ୍ନ ଦେଖିବା ବିଜେପି ଛାଡ଼ୁ ବୋଲି ଚେତାଇଦେଇଥିଲା ଦଳ। ସିବିଆଇ ଏବେ ବିଜେପି ଅଧୀନରେ କାମ କରୁଛି। ସିବିଆଇ ଅଫିସ ବିଜେପିର ସ୍କ୍ରିପ୍ଟରେ ଚାଲୁଛି। ଯେଉଁଦିନ ମହାଗଠବନ୍ଧନ ସରକାରର ଫ୍ଲୋର-ଟେଷ୍ଟ ସେଦିନ ଏଭଳି ରେଡ୍ ଆଉ କଅଣ ବାର୍ତ୍ତା ଦେଉଛି, ଏହା ବୁଝିବାକୁ ବାକି ନାହିଁ ବୋଲି କହିଥିଲେ। ସଂଖ୍ୟାଗରିଷ୍ଠତା ଥିବାରୁ ସିବିଆଇ ଚଢାଉ କରି ଆମକୁ ଭୟଭୀତ କରିବାକୁ ଚେଷ୍ଟା ହେଉଛି। କିନ୍ତୁ ଆମେ ଭୟଭୀତ ନୋହୁଁ। କାରଣ ଏହା ପ୍ରଥମ ଥର ହେଉନି ବୋଲି କହିଥିଲେ ରାବ୍ରୀ ଦେବୀ।

ଏ ତ ଗଲା ବିହାର କଥା।  ଝାଡ଼ଖଣ୍ଡରେ ନଭେମ୍ୱରରେ କଂଗ୍ରେସ ବିଧାୟକଙ୍କ ଘରେ ଇଡି-ଆଇଟି ରେଡ୍ କୁ ନେଇ ରାଜନୀତି ତେଜିଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଥିଲେ କି, ବିଜେପି ଗାଡ଼ିରେ ବସି ଇଡି-ଆଇଟି-ସିବିଆଇର ଅଧିକାରୀ ରେଡ୍ କରୁଛନ୍ତି। ସେତେବେଳେ ଖଣି ଦୁର୍ନୀତି ମାମଲାରେ ହାଜର ହେବାକୁ ସୋରେନଙ୍କୁ ବି ଇଡି ନୋଟିସ୍ କରିସାରିଥିଲା। କିଭଳି ବିଜେପି ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ କରୁଛି, ତାକୁ ନେଇ ବର୍ଷିଥିଲେ ସୋରେନ୍।

ବଙ୍ଗରେ ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବର୍ଷ ଆରମ୍ଭରୁ କୋଇଲା ସ୍କାମ୍ ମାମଲାରେ ସମନ୍ କରିଥିଲା ସିବିଆଇ। ଜୁଲାଇ ୨୩ରେ ଟିଏମସିର ମହାସଚିବ ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବେଆଇନ ଅର୍ଥ ଠୁଳ ମାମଲାରେ ବାନ୍ଧିଥିଲା ଇଡି। ସିବିଆଇ ପିଏମଓଙ୍କୁ ରିପୋର୍ଟ କରିବା ବଦଳରେ ଗୃହ ମନ୍ତ୍ରୀ ଶାହାଙ୍କୁ ରିପୋର୍ଟ କରୁଛି ବୋଲି ଆରୋପ ଆଣିଥିଲେ ଦିଦି। ବିଧାନସଭାରେ ତଦନ୍ତକାରୀ ଏଜେନ୍ସି ବିରୁଦ୍ଧରେ ରିଜୋଲୁସନ ଆଣିଥିଲେ ସରକାର।

ମଦ ଅବକାରୀ ଆର୍ଥିକ ଅନିୟମିତତା ମାମଲାରେ ଅକ୍ଟୋବରରେ ଇଡି ଦିଲ୍ଲୀ-ଏନସିଆର ଓ ପଞ୍ଜାବରେ ଏକକାଳୀନ ୩୫ଟି ଜାଗାରେ ରେଡ୍ କରିଥିଲା। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରି ଏଭଳି ଚଢ଼ାଉକୁ ନିନ୍ଦା କରିଥିଲେ କେଜରିଓ୍ୱାଲ୍। ଗଲା ୩ ମାସ ହେଲା ୩ଶହରୁ ଅଧିକ ସିବିଆଇ ଓ ଇଡି ଅଧିକାରୀ ମନୀଷଙ୍କ ବିରୁଦ୍ଧରେ ପ୍ରମାଣ ଯୋଗାଡ଼ କରିବାକୁ ଦିନରାତି ଲାଗିଛନ୍ତି। କଳୁଷିତ ରାଜନୀତିକୁ ସାକାର କରିବାକୁ ଏମାନଙ୍କୁ ବ୍ୟବହାର କରାଯାଉଥିବାର ଆରୋପ ଲଦିଥିଲେ କେଜରିଓ୍ୱାଲ୍।

ସବୁଠୁ ବଡ଼ କଥା ଥିଲା, ନାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡି ମାରାଥନ ଜେରା କରିଥିଲା। ଏଭଳି ରେଡ୍ ଓ ଜେରା କେବଳ ରାଜନୈତିକ ପ୍ରତିଶୋଧପରାୟଣତା କହି ଜିଲ୍ଲାସ୍ତରରୁ ନେଇ ଜାତୀୟସ୍ତରରେ ସମସ୍ତ ସିବିଆଇ ଅଫିସ ଆଗରେ ସତ୍ୟାଗ୍ରହ କରିଥିଲା କଂଗ୍ରେସ। ରାହୁଲ ଗାନ୍ଧୀ ଦୈନିକ ୯ରୁ ୧୦ ଘଣ୍ଟା ଜେରା ହୋଇଥିଲେ। ତିନି ତିନି ଥର ସୋନିଆ ବି ଇଡିରେ ହାଜର ହୋଇଥିଲେ। ଶହେରୁ ଅଧିକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ସୋନିଆ। ୟୋଙ୍ଗ ଇଣ୍ଡିଆର ମାଲିକାନା, ଗାନ୍ଧୀ ପରିବାର ସହ ସଂସ୍ଥାର ଅଂଶଧନ ଆଦି ଉପରେ ଜେରା ହୋଇଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *