ସରିଲା ବିହାର ଭୋଟ୍। ଦୁଇଟି ପର୍ଯ୍ୟାୟରେ ହୋଇଥିଲା ମତଦାନ। ୧୪ରେ ଗଣତି ଓ ଫଳାଫଳ ପ୍ରକାଶିତ ହେବ। କାହା ମୁଣ୍ଡରେ ବିଜୟ ମୁକୁଟ ଭିଡ଼ିଲେ ବିହାରବାସୀ, ଏହା ସ୍ପଷ୍ଟ ହେବ। ଏନଡିଏ ପୁଣି ଶାସନ କ୍ଷମତା ବଜାୟ ରଖିବ ନା ମହାଗଠବନ୍ଧନକୁ ଏଥର ସୁଯୋଗ ଦେବ ଜନାଦେଶ। ୨୪୩ ବିଧାନସଭା ଆସନ ପାଇଁ ନଭେମ୍ୱର ୬ ଓ ନଭେମ୍ୱର ୧୧ରେ ଦୁଇଟି ପର୍ଯ୍ୟାୟରେ ହୋଇଥିବା ମତଦାନ ପରେ ଇଭିଏମରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ନିର୍ବାଚନ କମିଶନ ପ୍ରତିବନ୍ଧକ ଲଗାଇଥିବାରୁ ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତ ଜାରି ହୋଇପାରିନଥିଲା। ଆଉ ଆଜି ସଂଧ୍ୟା ସାଢ଼େ ୬ରେ ବିଭିନ୍ନ ପୁଲିଂ ଏଜେନ୍ସି ନିଜର ଏକଜିଟ୍ ପୋଲ୍ ଜାରି କରିବେ। ଟୁଡେ ଚାଣକ୍ୟ, ଆକ୍ସିସ ମାଇ ଇଣ୍ଡିଆ, ସି-ଭୋଟର, ସିଏସଡିଏସ, ଟାଇମ୍ସ ନାଓ ପ୍ରମୁଖ ସଂସ୍ଥା ସେମାନେ ଆକଳନ କରିଥିବା ଏକଜିଟ୍ ପୋଲ ପ୍ରକାଶ କରିବେ। ତେବେ ଏକଜିଟ ପୋଲର ପୂର୍ବାନୁମାନ କେତେ ସତ, କେତେ ମିଛ। ୨୦୧୫ ଓ ୨୦୨୦ର ଏକଜିଟ୍ ପୋଲକୁ ନିରିଖେଇ ଦେଖିଲେ ଜଣାପଡ଼ିବ। ୨୦୨୦ରେ ମହାଗଠବନ୍ଧନ ସରକାର କରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଶାସନ ଚୌକିରୁ ଅଳ୍ପକେ ବର୍ତ୍ତିଯାଇଥିଲା ମହାଗଠବନ୍ଧନ। ୨୦୨୦ରେ ପ୍ରାୟ ୧୧ଟି ଏକଜିଟ୍ ପୋଲ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ଜିତିବ ବୋଲି କହିଥିଲା। ମହାଗଠବନ୍ଧନ ୧୨୫ ଆସନ ପାଇବ ବୋଲି ଆକଳନ କରିଥିଲା। ବହୁମତରୁ ଅଧିକ ୩ଟି ଆସନ ପାଇବ ବୋଲି କହିଥିଲେ। ଆଉ ଜେଡିୟୁ ନେତୃତ୍ୱାଧୀନ ଏନଡିଏକୁ ୧୦୮ ଆସନ ପାଇବ ବୋଲି କହିଥିଲା ଏକଜିଟ୍ ପୋଲ୍। କିନ୍ତୁ ରେଜଲ୍ଟ ଦେଖିଲା ବେଳକୁ ଏନଡିଏ ସ୍ୱଳ୍ପ ମାର୍ଜିନରେ ଶାସନ ଚୌକି ଦଖଲ କଲା। ୧୨୫ ଆସନ ପାଇ ସରକାର କଲା। ଆଉ ମହାଗଠବନ୍ଧନ ୧୧୦ ସିଟରେ ସୀମିତ ରହିଗଲା। ସେହି ବର୍ଷ ଏଲଜେପି କାହା ସହ ମେଣ୍ଟ ନ କରି ଲଢ଼ିଥିଲା। ମୁକେଶ ସହନୀଙ୍କ ଭିଆଇପି ଦଳ ସେତେବେଳେ ଏନଡିଏରେ ଥିଲା। କିନ୍ତୁ ଆଜିକା ଦିନରେ ମହାଗଠବନ୍ଧନ ସହ ଅଛି। ରିପବ୍ଲିକ-ଜନ୍ କି ବାତ୍, ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଓ ନ୍ୟୁଜ୍-୧୮ ଟୁଡେ ଚାଣକ୍ୟ ମହାଗଠବନ୍ଧନକୁ ବହୁମତ ପାଇବ ବୋଲି ଆକଳନ କରିଥିଲେ। ୨୦୧୫ରେ ଲାଲୁଙ୍କ ଆରଜେଡି ଓ ନୀତିଶଙ୍କ ଜେଡିୟୁ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଏନଡିଏକୁ ଲିଡ୍ କରିଥିଲା ବିଜେପି। ଏଲଜେପି, ଉପେନ୍ଦ୍ର କୁଶଓ୍ୱାହାଙ୍କ ସେତେବେଳର ରାଷ୍ଟ୍ରୀୟ ଲୋକସମତା ପାର୍ଟି, ଜିତନରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନୀ ଆଓ୍ୱାମ ମୋର୍ଟ୍ଟା ସହ ମେଣ୍ଟ କରି ଲଢିଥିଲା ବିଜେପି। ୬ଟି ସର୍ଭେରେ ମହାଗଠବନ୍ଧନକୁ ବିଜୟୀ ବୋଲି ଆକଳନ କରିଥିଲା। ମହାଗଠବନ୍ଧନ ୧୨୨ ଆସନ ଓ ଏନଡିଏ ୧୧୪ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏକଜିଟ୍ ପୋଲ ଭୁଲ୍ ହୋଇଗଲା। ଆରଜେଡି,ଜେଡିୟୁ ଓ କଂଗ୍ରେସ ମହାଗଠବନ୍ଧନ ଆରାମରେ ୧୭୮ ସିଟ୍ ଜିତିଥିଲା। ଆଉ ଏନଡିଏ ମାତ୍ର ୫୮ ସିଟରେ ହାମୁଡ଼େଇ ପଡ଼ିଥିଲା। ୨୦୧୭ରେ ଅବଶ୍ୟ ମେଣ୍ଟ ଭାଙ୍ଗିଯାଇଥିଲା। ଆଉ ନୀତିଶ ଏନଡିଏକୁ ଫେରି ବିଜେପି ସହ ମିଶି ନୂଆ ସରକାର କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now