ପୁଣି ଏମସିଡିରେ ହଙ୍ଗାମା

Spread the love

() ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ନୂଆ ମେୟର ଓ ଡେପୁଟି ମେୟର ନିର୍ବାଚନ ପରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ନିର୍ବାଚନକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ଦିଲ୍ଲୀର ନବ-ନିର୍ବାଚିତ ମେୟର ଶେଲୀ ଓବରୟ ବିଜେପି କାଉନସିଲରଙ୍କ ବିରୋଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଛନ୍ତି । ସେପଟେ ବିଜେପି ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନରେ ମୋବାଇଲ ଓ ପେନ ବ୍ୟବହାର ଉପରେ କଟକଣା ଲଗାଇବା ଦାବି କରିଛି ।

ଦୀର୍ଘ ୭୫ଦିନ ଅପେକ୍ଷା ପରେ ଦିଲ୍ଲୀ ପାଇଲା ନୂଆ ମେୟର। ଦୁଇ ମାସ ଧରି ଚାଲିଥିବା ବିବାଦର ହେଲା ଅନ୍ତ। ଏମସିଡି ମେୟର ନିର୍ବାଚନକୁ ନେଇ ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଛେଦ। ଶେଷରେ ଆପର ବାଜିମାତ। ଆପ ପ୍ରାର୍ଥୀ ସେଲି ଓବରୟ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ମାତ୍ର ଷ୍ଟାଣ୍ଡିଂ କମିଟି ଗଠନ ନେଇ ପୁଣି ଥରେ ହଙ୍ଗାମା ଦେଖିବାକୁ ମିଳିଛି। ଗୋଟିଏ ପଟେ ମେୟର ଭାବେ ଆମ୍ ଆଦମୀ ପାର୍ଟିର ଶେଲୀ ଓବରୟ ଏବଂ ଡେପୁଟି ମେୟର ଭାବେ ମହମ୍ମଦ ଇକବାଲ ନିର୍ବାଚିତ ହୋଇଛନ୍ତି ।

ଅପରପକ୍ଷରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଚୟନକୁ ନେଇ ଗୃହରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଗୃହର ୨୫୦ରୁ ୪୭ଜଣ କାଉନସିଲର ଭୋଟ ଦେଇଛନ୍ତି। ୫ଜଣ କାଉନସିଲର ଭୋଟ ଦେଇଛନ୍ତି ସତ ମାତ୍ର ବାଲଟ ପେପର ଫେରସ୍ତ କରି ନାହାନ୍ତି। ଯାହାକୁ ନେଇ ସଦନର ପୁଣି ଥରେ ହଙ୍ଗାମା ଆରମ୍ଭ ହୋଇଯାଇଛି। ତେବେ ଏହି ୫ଜଣ କାଉନସିଲରଙ୍କୁ ଭୋଟିଂ ପାଇ ଡକାଯାଇଥିଲା। ମେୟର ଦୀର୍ଘ ସମୟ ଧରି ବାଲାଟ ପେପର ଫେରସ୍ତ କରିବାକୁ ନିବେଦନ କରିବା ସତ୍ତ୍ବେ କାଉନସିଲରମାନେ ଶୁଣି ନଥିଲେ। ଯାହାକୁ ନେଇ ଏମସିଡି ଗୃହ ରଣକ୍ଷେତ୍ରରେ ପରିଣତ ହୋଇଯାଇଥିଲା।

ତେବେ ଏପର୍ଯ୍ୟନ୍ତ ୪୭ଜଣ କାଉନସିଲର ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଭୋଟ ଦେଇପାରିଛନ୍ତି। ତେବେ ସଦନରେ ହୋହାଲ୍ଲା ଭିତରେ ଗୃହକୁ କିଛି ସମୟ ପାଇଁ ସ୍ଥଗିତ କରିବାକୁ ପଡ଼ିଥିଲା। ଦିଲ୍ଲୀର ନବନିର୍ବାଚିତ ମେୟର ଶେଲୀ ଓବରୟ ବିଜେପି କାଉନସିଲରଙ୍କ ବିରୋଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ଏହାସହ ନିର୍ବାଚନ ହାରି ବିଜେପି ଆପକୁ ଟାର୍ଗେଟ କରୁଥିବା କହିଛନ୍ତି ଆପ ନେତା। ସେପଟେ ବିଜେପି ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନରେ ମୋବାଇଲ ଓ ପେନ୍ ବ୍ୟବହାର ଉପରେ କଟକଣା ଲଗାଇବା ଦାବି କରିଛି। ନିଗମ କମିଶନ ଓ ସଚିବଙ୍କୁ ଏନେଇ ଅଭିଯୋଗ କରିଛି ବିଜେପି।

ଏମସିଡି ସଦନରେ ହଙ୍ଗାମା ପରେ ଷ୍ଟାଣ୍ଡିଂ କମିଟି ଚୟନ ପ୍ରକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ତେବେ ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ନିର୍ବାଚନ ଶୁକ୍ରବାର ହେବ।

ସମୀକ୍ଷା ପଲେଇଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *