ରାହୁଲଙ୍କ ସଦସ୍ୟତା ରଦ୍ଦ: ଜର୍ମାନ ଉଠାଇଲା ସ୍ବର

Spread the love

() ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଦେଶର ରାଜନୀତି ହୁଲସ୍ତୁଲ ହେଉଥିଲା ବେଳେ ଏଭଳି ରଦ୍ଦ ବେଆଇନ ବୋଲି କହିଛି ଜର୍ମାନୀ ବୈଦେଶିକ ମନ୍ତ୍ରାଳୟ। ଏଭଳି ଆକ୍ସନ ଗଣତନ୍ତ୍ରକୁ ହତ୍ୟା ବୋଲି ଜର୍ମାନୀ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିବା ପରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ଶକ୍ତି କାହିଁକି ମୁଣ୍ଡ ପୁରାଉଛି କହି କଟାକ୍ଷ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ। ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ତୁତୁମେମେ ଅଧ୍ୟାୟ।

ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ସଡ଼କରୁ ନେଇ ସଂସଦ ଯାଏ ହଙ୍ଗାମା କରୁଛନ୍ତି ବିରୋଧୀ। ସୁପ୍ରିମକୋର୍ଟରେ ବି ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସରକାରୀ ବଙ୍ଗଳା ଛାଡ଼ିବାକୁ ବି ରାହୁଲଙ୍କୁ ସଂସଦର ହାଉସିଂ କମିଟି ନୋଟିସ କରିସାରିଛି। ରାହୁଲଙ୍କ ସଦସ୍ୟତା ରଦ୍ଦ ଷଡ଼ଯନ୍ତ୍ରର ପାର୍ଟ। ଗଣତନ୍ତ୍ରର ହତ୍ୟା ବୋଲି ବିରୋଧୀ ଦଳ କହି ଆସୁଛନ୍ତି। ଆଉ ଏତିକିବେଳେ ଜର୍ମାନୀର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରିଚାର୍ଡ ଓ୍ୱାକରଙ୍କ ମନ୍ତବ୍ୟ ଏହି ନିଆଁରେ ଘିଅ ଢାଳିଛି। ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଏଭଳି ନିଷ୍ପତ୍ତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ କେତେଦୂର ପ୍ରତିଫଳିତ କରୁଛି ବୋଲି ପଚାରିଛନ୍ତି ରିଚାର୍ଡ। ରାହୁଲଙ୍କୁ ଜେଲ୍ ଦଣ୍ଡାଦେଶ ଓ ତାଙ୍କର ସଦସ୍ୟତା ରଦ୍ଦକୁ ନେଇ ନ୍ୟାୟିକ ସ୍ୱାଧୀନତା ଓ ଗଣତନ୍ତ୍ରର ମୌଳିକତାକୁ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଇଛନ୍ତି ରିଚାର୍ଡ। ରାହୁଲ ଉପର କୋର୍ଟକୁ ଯାଇପାରିବେ। ତା ପରେ ସ୍ପଷ୍ଟ ହେବ ସୁରଟ କୋର୍ଟର ନିଷ୍ପତ୍ତି କାଏମ ରହୁଛି ନା ରାହୁଲଙ୍କ ସଦସ୍ୟତା ରଦ୍ଦ କାଏମ ରହିବ।

ଏହା ପରେ କଂଗ୍ରେସ ଓ ବିଜେପି ଭିତରେ ଟ୍ୱିଟର ଓ୍ୱାର୍ ଆରମ୍ଭ ହୋଇସାରିଛି। ରିଚାର୍ଡଙ୍କ ଏଭଳି ମନ୍ତବ୍ୟକୁ ଟ୍ୱିଟରରେ ସ୍ଥାନିତ କରି ଅନେକ କଂଗ୍ରେସ ନେତା ଜର୍ମାନୀକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭାରତରେ ଗଣତନ୍ତ୍ରକୁ କିଭଳି ଉପହାସ କରାଯାଉଛି, ତାହାର ଅବତାରଣା କରିଛନ୍ତି ଦିଗବିଜୟ ସିଂ। ଆଉ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଏହାକୁ ସମାଲୋଚନା ସହ ତୀବ୍ର କଟାକ୍ଷ କରିଛନ୍ତି। ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ନେଇ ନାପସନ୍ଦ କରିବା ସହ ରାହୁଲଙ୍କ ଏଭଳି ଉଦ୍ୟମକୁ ନେଇ କଟାକ୍ଷ କରିଛନ୍ତି। କୌଣସି ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ଭାରତ ବରଦାସ୍ତ କରିବନି କି ଭାରତୀୟ ନ୍ୟାୟାଳୟ ପ୍ରଭାବିତ ହେବନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କିରଣ ରିଜ୍ଜୁ। ରିଜ୍ଜୁଙ୍କ ଏହି ମନ୍ତବ୍ୟକୁ ଟ୍ୱିଟରରେ କାଉଣ୍ଟର କରିଛନ୍ତି ପଓ୍ୱନ ଖେରା। ମୂଳ ପ୍ରସଙ୍ଗକୁ କାହିଁକି ଏଡ଼ାଇଯିବାକୁ ଚାହୁଁଛନ୍ତି ରିଜ୍ଜୁ ବୋଲି ପଚାରିଛନ୍ତି। ଆଦାନୀ ପ୍ରସଙ୍ଗରେ ମୋଦି କାହିଁକି ଉତ୍ତର ଦେବାକୁ ପଛାଉଛନ୍ତି। କାହିଁକି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ପ୍ରଥମେ ଏହାର ଉତ୍ତର ରଖନ୍ତୁ କେନ୍ଦ୍ର ସରକାର।

ଜର୍ମାନୀ ଆଗରୁ ୟୁଏସ ବି ରାହୁଲଙ୍କ ସଦସ୍ୟତାକୁ ନେଇ ମନ୍ତବ୍ୟ ଦେଇଥିଲା। ୟୁଏସ ଷ୍ଟେଟ ଡିପାର୍ଟମେଣ୍ଟର ମୁଖ୍ୟ ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ ବି ଅନୁରୂପ ମନ୍ତବ୍ୟ ରଖିଥିଲେ। ରୁଲ୍ସ ଅଫ ଲ ଓ ନ୍ୟାୟିକ ସ୍ୱାଧୀନତାର ଦ୍ୱାହି ଦେଇ ଭାରତ କୋର୍ଟରେ ରାହୁଲଙ୍କ ଉପରେ ମାନହାନି ମକଦ୍ଦମା ଉପରେ ଚାଲିଥିବା ମାମଲା ଉପରେ ନଜର ରଖିଛୁ ବୋଲି କହିଥିଲେ ପଟେଲ୍। ଭାରତ ସରକାରଙ୍କ ସହ ନିରନ୍ତର ଯୋଗସୂତ୍ରରେ ରହି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍ ସ୍ୱାଧୀନତାକୁ ନେଇ ଗଠନମୂଳକ ପ୍ରସ୍ତାବ ରଖିବୁ।

ରାହୁଲଙ୍କୁ ଜେଲ୍, ବେଲ୍ ଓ ଲୋକସଭାରୁ ସଦସ୍ୟତା ରଦ୍ଦକୁ ନେଇ ଉଠୁଛି ପଡ଼ୁଛି ଦେଶର ରାଜନୀତି। ଏଭଳି ସ୍ଥଳେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ନେଇ ତୁମ୍ୱିତୋଫାନ ହେଲାଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *