ଗୋପାଳ କେଜରିୱାଲଙ୍କ ଗଟର ମାଉଥ: ବିଜେପି

Spread the love

() ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ଓ ଆମ୍ ଆଦମୀ ଦଳ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆମ୍ ଆଦମୀ ଦଳର ଗୁଜୁରାଟ ମୁଖ୍ୟଙ୍କୁ ଜାମିନ ମିଳିବା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୋପାଳ ଇଟାଲିଆଙ୍କ ବିରୁଦ୍ଧରେ ଶାଣିତ କଟାକ୍ଷ ଫିଙ୍ଗିଛନ୍ତି। ଗୋପାଳଙ୍କୁ ଅରବିନ୍ଦ କେଜରିଓ୍ୱାଲଙ୍କ ଗଟର ମାଉଥ୍ ବୋଲି ଆକ୍ଷେପ କରିଛନ୍ତି ସ୍ମୃତି। ସେପଟେ ଆମ୍ ଆଦମୀ ଦଳ ବି ଏହାର କଡ଼ା କାଉଣ୍ଟର କରିବାକୁ ପଛାଇନି।

ଗୁଜୁରାଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଗୁଜୁରାଟରେ ବିଜେପିକୁ ଆମ୍ ଆଦମୀ ଦଳ କଡ଼ା ଟକ୍କର ଦେବ ବୋଲି ଅନେକ ସର୍ଭେ ସଂସ୍ଥା ଦାବି କରୁଛି। ତେବେ ଏହା ଆଗରୁ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ୍ ଙ୍କ ଉଦ୍ଦେଶ୍ୟରେ ଗୁଜୁରାଟ ଆମ୍ ଆଦମୀ ଦଳର ପ୍ରମୁଖ ଗୋପାଳ ଇଟାଲିଆ କରିଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ଜୋରଦାର ଘେରିଲାଣି। ଗୋପାଳଙ୍କୁ କେଜରିଓ୍ୱାଲଙ୍କ ଗଟର ମାଉଥ୍ ବୋଲି ଆକ୍ଷେପ କରିବା ସହ କେଜରିଓ୍ୱାଲଙ୍କ ଆଶୀର୍ବାଦରୁ ହିଁ ଜଣେ ଶତାୟୁ ବୃଦ୍ଧାଙ୍କୁ ଗାଳି ଦେବାକୁ ଏଭଳି ଚରିତ୍ରର ସାହସ ହୋଇଛି। ମୋଦିଙ୍କ ମାଆ ହୀରାବେନ୍ ଙ୍କ ପ୍ରତି ଅପମାନଜନକ ଶବ୍ଦର ପ୍ରୟୋଗ କରିଥିବା ଏଭଳି ବ୍ୟକ୍ତି ଓ ଦଳକୁ ଗୁଜୁରାଟବାସୀ ନିର୍ବାଚନରେ କଡ଼ା ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜର ଟ୍ୱିଟରରେ ଗୋପାଳ କେମିତି ମୋଦିଙ୍କ ମାଆଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ, ସେ ସମ୍ପର୍କିତ ଭିଡ଼ିଓକୁ ବି ସେୟାର କରିଛନ୍ତି ସ୍ମୃତି। ସ୍ମୃତି କହିଛନ୍ତି ହୀରାବେନ୍ ମାତୃଶକ୍ତିର ପ୍ରତୀକ ଅଟନ୍ତି। କିନ୍ତୁ ଗୋପାଳ ଇଟାଲିଆ ଶହେ ବର୍ଷର ବୃଦ୍ଧାଙ୍କୁ ବି ନିଜର ହୀନ ରାଜନୀତି ପରିସରରୁ ମୁକ୍ତ କରିବାକୁ ଚାହିଁଲେନି। ଗୁଜୁରାଟ ଭଳି ସଭ୍ୟ ସମାଜରେ ଆମ୍ ଆଦମୀ ଦଳର ଏଭଳି ନେତାଙ୍କ ବିକୃତ ମାନସିକତା ଲାଗି କୌଣସି ସ୍ଥାନ ନାହିଁ।

ଏଭଳି ଅପମାନଜନକ ଟିପ୍ପଣୀ ଦେଇଥିବାରୁ ଗୋପାଳଙ୍କୁ ଗୁରୁବାର ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ଆଉ କିଛି ଘଣ୍ଟା ପରେ ଥାନାରୁ ଜାମିନ ମିଳିଥିଲା ଗୋପାଳଙ୍କୁ। ଆଗରୁ ଇଟାଲିଆଙ୍କୁ ଜାତୀୟ ମହିଳା କମିଶନ ଆୟୋଗ ଅଫିସରେ ଅଟକ ରଖାଯାଇଥିଲା। ଯେଉଁଠିକି ମୋଦିଙ୍କୁ ନୀଚ ବ୍ୟକ୍ତି ଭାବେ ସମ୍ୱୋଧନ କରିଥିବାରୁ ସମନ ହୋଇଥିଲା ଗୋପାଳଙ୍କୁ। ଅକ୍ଟୋବର ୯ରେ ମହିଳା କମିଶନ ଏହି ସମନ କରିଥିଲେ। ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଆଙ୍କ ପ୍ରତି କୌଣସି ଆପତ୍ତିଜନକ ଟିପ୍ପଣୀ ଲଜ୍ଜାଜନକ ଓ ନିନ୍ଦନୀୟ। ସେଥିଲାଗି ଏଭଳି ଅପମାନ ଦେଶର ମହିଳାଙ୍କୁ ବି ଅପମାନ ସଦୃଶ। ଆଉ ଏ ନେଇ ଉତ୍ତର ରଖିବାକୁ ସମନ କରିଥିଲେ ମହିଳା କମିଶନ। କିନ୍ତୁ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ଅଫିସ ଆଗରେ ଏହି ସମନକୁ ବିରୋଧ କରି ଆପ୍ କର୍ମୀ ବିକ୍ଷୋଭ କରିଥିଲେ। ଆଉ ଟ୍ୱିଟ୍ କରି ରେଖା କହିଥିଲେ କି, ଆମ୍ ଆଦମୀ ଦଳର ଗୁଣ୍ଡା ତାଙ୍କ ଅଫିସ ଘେରାଓ କରି ହଙ୍ଗାମା କରୁଛନ୍ତି। ପୁଲିସ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାରୁ ଗୋପାଳଙ୍କ ବିରୁଦ୍ଧରେ ଦୃଢ଼ ଆକ୍ସନ ଲାଗି ପୁଲିସକୁ କହିଥିଲେ ରେଖା। ତା ଆଗରୁ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଗୋପାଳଙ୍କ ବିରୁଦ୍ଧରେ ବର୍ଷିଥିଲେ ଦଳୀୟ ମୁଖପାତ୍ର ସମ୍ୱିତ ପାତ୍ର। ଜଣେ ପଛୁଆ ବର୍ଗ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଆକ୍ଷେପ କରିବା ଅର୍ଥ କି ଆମ୍ ଆଦମୀ ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପହାସ କରୁଛି।

ଗୁଜୁରାଟ ନିର୍ବାଚନ ଲାଗି ବିଗୁଲ ବାଜିଥିଲା ବେଳେ ମୋଦି ଓ ତାଙ୍କ ମାଆଙ୍କୁ ନେଇ ରାଜ୍ୟ ଆମ୍ ଆଦମୀ ଦଳର ମୁଖ୍ୟଙ୍କ ସମାଲୋଚନା ଯେମିତି ଏକ ମୁଖ୍ୟ ମୁଦ୍ଦା ହେବାକୁ ଯାଉଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *