ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା : ବିଜେଡି

Spread the love

ଭୁବନେଶ୍ୱର : ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଅଭ୍ୟାସଗତ ଅପରାଧୀମାନେ ଅପରାଧ ସମ୍ପର୍କରେ ପ୍ରବଚନ ଦେବାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ରାଜ୍ୟ ବିଜେପିର ମୁଖପାତ୍ର ଥିବା ଜଣେ କଳଙ୍କିତ ନେତା ଆଜି ଅପରାଧ ସମ୍ପର୍କରେ ନୀତିବାଣୀ ଶୁଣାଉଛନ୍ତି । ଛତ୍ରପୁର ହତ୍ୟା ମାମଲାରେ ସମ୍ପୃକ୍ତି ପଦାକୁ ଆସିବା ପରେ ଏହି ନେତା ଜଣକ ଗିରଫ ହେବା ଭୟରେ ଓଡ଼ିଶାରୁ ଲୁଚି ପଳାଇଥିଲେ । ରାଜ୍ୟ ବିଜେପିର ଅନେକ ସାନବଡ଼ ନେତାଙ୍କ ଅପରାଧର ଚିଠା ବେଶ୍ ଲମ୍ବା । ଆମେ ଏଠି କେବଳ ଦୁଇ ଜଣ ନେତାଙ୍କ ଉଦାହରଣ ଦେବାକୁ ଚାହିଁବୁ । ହତ୍ୟା ଓ ମରଣାନ୍ତକ ଆକ୍ରମଣରେ ସମ୍ପୃକ୍ତ ହୋଇ ଜେଲ୍ ଯାଇଥିବା ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ବିଜେପି ବିରୋଧୀ ଦଳର ନେତା ଭଳି ସାମ୍ବିଧାନିକ ପଦରେ ବସାଇଛି । ଆଉ ଜଣେ ଅଭ୍ୟାସଗତ ଅପରାଧୀ ଈରାଶିଷ ଆଚାର୍ଯ୍ୟ ଏବେ ବିଜେପି ଯୁବମୋର୍ଚ୍ଚାର ସଭାପତି । ହତ୍ୟା, ଗୁଣ୍ଡାଗର୍ଦ୍ଦିରେ ସଂପୃକ୍ତ ଈରାଶିଷ କିଛି ମାସ ତଳେ ରାଜଧାନୀରେ କିଭଳି କାଣ୍ଡ କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି । ତେଣୁ ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ ଦେବା ପୂର୍ବରୁ ପ୍ରଥମେ ଆଇନାରେ ନିଜ ମୁହଁ ଦେଖି ନିଅନ୍ତୁ ।

Leave a Reply

Your email address will not be published. Required fields are marked *