କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା ଅର୍ଥର ହିସାବ ଦେଲେ ଜୁଏଲ ଓରାମ

Spread the love

ମାଲକାନଗିରି : ମାଲକାନଗିରି ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଗତ ଶୁକ୍ରବାର ଦିନ ଜିଲ୍ଲା ସଦର ମହକୁମା ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା ଅର୍ଥର ହିସାବ ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ରାଜ୍ୟରୁ ଜଣେ ରାଜ୍ୟପାଳ, ୩ ଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଓଡ଼ିଆମାନେ ଅବସ୍ଥାପିତ ହୋଇଛନ୍ତି । ଓଡ଼ିଶାରେ ଐତିହ୍ୟ ମାନ୍ୟତାପ୍ରାପ୍ତ ପାଇକ ସଂଗ୍ରାମୀ ସ୍ମାରକୀ ନିର୍ମାଣ, ଜଗନ୍ନାଥ ଧାମ, କୋଣାର୍କ ସୂର୍ଯ୍ୟମନ୍ଦିର, କୀର୍ତିରାଜିର ସଂରକ୍ଷଣ ସହ ଅନେକ ମନ୍ଦିରର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ଶତାଧିକ କୋଟି ଟଙ୍କା ବିନିଯୋଗ କରିଛନ୍ତି ବୋଲି ସେ କହିଥିଲେ ।ଏଥିସହ ପିଏମ୍ କିଷାନ ସମ୍ମାନ ଯୋଜନାରେ ଓଡ଼ିଶାର ୩୩ ଲକ୍ଷ ଚାଷୀଙ୍କୁ ୭୮୦୧ କୋଟି ଟଙ୍କା ପ୍ରଦାନ, ୯ ବର୍ଷ ମଧ୍ୟରେ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୩୧୦ରୁ ୨୧୮୩ ଟଙ୍କାକୁ ବୃଦ୍ଧି, ଚିନାବାଦାମ କୁଇଣ୍ଟାଲ ପିଛା ୬୭୭୩, ମୁଗଡାଲି କୁଇଣ୍ଟାଲ ପିଛା ୮୫୫୮ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ୨୧ ଲକ୍ଷ ଚାଷୀଙ୍କୁ ୪୪୨୫ ଟଙ୍କା ସହାୟତା ମିଳିଛି । ୪୩ ଲକ୍ଷ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟକାର୍ଡ, କୃଷିଋଣ ରିହାତି ପ୍ରଦାନ କରାଯାଇଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୭୪,୭୨୩ କି.ମି.ସଡ଼କ ନିର୍ମାଣ ହୋଇଛି୧୪୫୨ କି.ମି. ଜାତୀୟ ରାଜପଥ ନିର୍ମାଣ ହୋଇଛି । ଦିଘା, ଗୋପାଳପୁର, କୋଷ୍ଟାଲ ହାଇୱେ ୪୫୧ କି.ମି. ରାସ୍ତା ନିମନ୍ତେ ୯ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଯୋଗାଇ ଦେଇଥିଲେ ମଧ୍ୟ ସରକାର ଜାଣିଶୁଣି ଏହି କାର୍ଯ୍ୟ ବିଳମ୍ବ କରୁଛନ୍ତି ବୋଲି ଜୁଏଲ ଅଭିଯୋଗ କରିଥିଲେ । କଟକ, ସମ୍ବଲପୁର ୫୫ ନମ୍ବର ରାଜ୍ୟ ରାଜପଥ ପାଇଁ ୪୫୦୦ କୋଟି ଟଙ୍କା, ଭାରତମାଳା ପରିଯୋଜନାରେ କୋରାପୁଟ, ନବରଙ୍ଗପୁର ଜିଲାରେ ୨୪୫ କି.ମି. ୪ଥାକିଆ ରାସ୍ତା ନିର୍ମାଣ, ଭୁବନେଶ୍ୱର, କଟକ ରିଂ ରୋଡ୍ ପରି ଯୋଜନାକୁ ଅର୍ଥ ବରାଦ, ଉଡ଼ାଜାହାଜ ଯୋଜନାରେ ୫ଟି ନୂଆ ବିମାନ ବନ୍ଦର, ୨୦୨୩-୨୪ ପାଇଁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ ସହ ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାକୁ ୫୧ ହଜାର ୨୩୭ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ଆଇଟିଆଇ ଭୁବନେଶ୍ୱର, ନାଇଜରର ସ୍ଥାୟୀ କ୍ୟାମ୍ପସ, ବ୍ରହ୍ମପୁରରେ ଆଇଜାର, ସମ୍ବଲପୁରରେ ଆଇଆଇଏମ୍, ୧୧୪ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଏମ୍ସ, ନିର୍ମାତାର ଓ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟ ଗତ ୫ବର୍ଷ ମଧ୍ୟରେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କା ପାଇଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ପଞ୍ଚାୟତ, ଜିଲା ପରିଷଦ, ନଗରପାଳିକା ଓ ମହାନଗର ନିଗମ ପାଇଁ ଓଡ଼ିଶାକୁ ୮, ୮୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଓଡ଼ିଶାକୁ ୮, ୮୭୫ ଟଙ୍କା କେନ୍ଦ୍ରୀୟ ସହାୟତା ମିଳିଛି । କେନ୍ଦ୍ର ସରକାରଙ୍କ ଖଣି ନିୟମରେ ସଂଶୋଧନ ହେତୁ ଓଡ଼ିଶାକୁ ୪୯ ହଜାର କୋଟି ଟଙ୍କା ଖଣି ରାଜସ୍ୱ ପ୍ରଦନ କରାଯାଇଛି । ଖଣି ଅଞ୍ଚଳର ବିକାଶ ଲାଗି ୧୮, ୭୩୦ କୋଟି ଟଙ୍କା ଓ କାମ୍ପା ଯୋଜନାକୁ ୬,୨୮୦ କୋଟି ଟଙ୍କା ଦିଆଯାଇଛି ।

ଗରିବ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ୧୮ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଘର ମିଳିସାରିଛି । ଆଉ ୯ ଲକ୍ଷ ୫୯ ହଜାର ଅଧିକ ଘର ପାଇଁ ଅନୁମୋଦନ ମିଳିଛି । ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ନିର୍ମାଣ ଯୋଜନାରେ ୭୭ ହଜାର ପରିବାରଙ୍କୁ ମାଗଣା ଶୌଚାଳୟ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୫୪ ଲକ୍ଷ ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍, ୨୪ ଲକ୍ଷ ପରିବାରଙ୍କୁ ମାଗଣା ବିଦ୍ୟୁତ୍ ସଂଯୋଗ, ଜଳ ଜୀବନ ମିଶନରେ ଓଡ଼ିଶାରେ ୫୩ ଲକ୍ଷ ପରିବାରଙ୍କୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି । ସେହିପରି ଏମ୍ଜିଏନ୍ଆରଇଜିଏସ୍ରେ ଓଡ଼ିଶାକୁ ୨୬, ୧୬୬ କୋଟି ଟଙ୍କା ଅନୁଦାନ କେନ୍ଦ୍ର ସରକାର ଦେଇଥିବା ଜୁଏଲ କହିଥିଲେ । ତେବେ ଏହିସବୁ ଅର୍ଥ ରାଜ୍ୟ ସରକାର ବାଟମାରଣାକରି ନିଜସ୍ୱ ପ୍ରକଳ୍ପକରି ଲୋକଙ୍କୁ ଭୁଆଁ ବୁଲାଉଥିବା ସେ ଅଭିଯୋଗ କରିଥିଲେ । ସେ ଏହି ଅବସରରେ ୫-ଟି ସଚିବଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ ଓ କାର୍ଯ୍ୟକ୍ରମକୁ ନେଇ ଏହା ଉଦ୍ବେଗର ବିଷୟ ବୋଲି କହିଥିଲେ । ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁରର ପୂର୍ବତନ ଏମ୍ପି ବଳଭଦ୍ର ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ରାଜ୍ୟ ପ୍ରଭାରୀ ମଲ୍ଲିଜର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *