ବିହାର ପରେ ବଙ୍ଗ ପାଳି- ମୋଦିଙ୍କ ଟାର୍ଗେଟରେ ଦିଦି

ବିହାରରେ ଏନଡିଏର ସୁନାମୀ ବିଜୟ। ଏଣିକି ବଙ୍ଗ। ବିହାରରେ ଐତିହାସିକ ବିଜୟ ପରେ ମମତାଙ୍କୁ ଅଲଟିମେଟ ଦେଇଛନ୍ତି ମୋଦି। ପଶ୍ଚିମବଙ୍ଗ ଲାଗି ରଣହୁଂକାର ଛାଡ଼ିଛନ୍ତି ମୋଦି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ଉତ୍ସବ ପାଳନ ଅବସରରେ ସମ୍ୱୋଧନ ବେଳେପଶ୍ଚିମବଙ୍ଗରେ ୨୦୨୬ ନିର୍ବାଚନକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆଗକୁ ବିହାର ଭଳି ପଶ୍ଚିମବଙ୍ଗରେ ବି ଜଙ୍ଗଲରାଜର ଅବସାନ ହେବ।  ବିହାର ପରେ ଏବେ ବଙ୍ଗର ପାଳି। ଯେହେତୁ ଗଙ୍ଗା ବିହାରରୁ ବଙ୍ଗକୁ ବୋହୁଛି। ବିହାର ବିଜୟ ବଙ୍ଗରେ ବିଜୟର ବାଟ ଫିଟାଇଦେଇଛି। ଏଭଳି ଜୋସ୍ ଭରି ବଙ୍ଗ ଦଖଲ ଲାଗି ଆହ୍ୱାନ ଦେଇଛନ୍ତି ମୋଦି। ଆଉ ମୋଦି ପଶ୍ଚିମବଙ୍ଗକୁ ଟାର୍ଗେଟ ପରେ ଟିଏମସି କହିଛି, ମୋଦିଙ୍କ ଏହି ସ୍ୱପ୍ନ କଦାପି ସାକାର କରିବାକୁ ଦେବେନି ବଙ୍ଗବାସୀ। କ୍ଷମତା ହାତେଇବାକୁ ଅର୍ଥ ବଳ, ବାହୁ ବଳ ଓ କୌଣସି ଷଡ଼ଯନ୍ତ୍ରକୁ ଗ୍ରହଣ କରିବେନି ବଙ୍ଗ ଭୋଟର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ଳାନ୍ତ ପରିଶ୍ରମୀ, ତୃଣମୂଳସ୍ତରର ନେତ୍ରୀ ଓ ନିରନ୍ତର ବଙ୍ଗବାସୀଙ୍କ ବିକାଶ ଲାଗି କାମ କରୁଛନ୍ତି। ବଙ୍ଗର ଭାଷା, ସଂସ୍କୃତି ଓ ଅସ୍ମିତାକୁ ଅପମାନିତ କରିଥିବା ମୋଦି ନେତୃତ୍ୱାଧୀନ କେନ୍ଦ୍ରକୁ କଦାପି କ୍ଷମା କରିବେନି ଏଠାକାର ଭୋଟର। ମମତା ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଏହା ସ୍ପଷ୍ଟ। ଏହା ଜାଣି ବି ମୋଦିଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି ଟିଏମସି ନେତ୍ରୀ ସାଗରିକା ଘୋଷ ଓ ନେତା କୁନାଲ ଘୋଷ। ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ଯେଭଳି ଶାସନ ଚାଲିଛି, ତାହା ସ୍ୱେଛାଚାରିତା। ଆଇନଶୃଙ୍ଖଳା ବିଗିଡ଼ିଗଲାଣି। ମୋଦିଙ୍କ ମନ୍ତବ୍ୟ ଯଥାର୍ଥ। କାରଣ ବଙ୍ଗବାସୀ କୌଣସି ପରିସ୍ଥିତିରେ ଟିଏମସି ସରକାରକୁ ହଟାଇବାକୁ ସଂକଳ୍ପ ନେଇସାରିଲେଣି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବିହାର ବିଜୟକୁ ନେଇ ସେଲିବ୍ରେସନ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ପରିସର ଭିତରେ ବିଜେପି ବିଧାୟକଙ୍କ ସାଙ୍ଗରେ ଯାଇ ଲଡୁ ବାଣ୍ଟିଛନ୍ତି। ଆସନ୍ତା ବର୍ଷ ବଙ୍ଗରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଶୁଭେନ୍ଦୁ। ଯେଉଁମାନେ ଏସଆଇଆରକୁ ବିରୋଧ କରି ତୁଷ୍ଟିକରଣ ରାଜନୀତିରେ ମାତିଥିଲେ, ସେମାନଙ୍କୁ ବିହାର ରେଜଲ୍ଟ ପାନେ ଦେଇଛି। ପଶ୍ଚିମବଙ୍ଗରେ ବି ଏସଆଇଆରକୁ ବିରୋଧ କରୁଛନ୍ତି ଦିଦି। ବିହାର ଭଳି ଏଠାରେ ବି ଯୁବ ମତଦାତା ଏହାର ମୁହଁତୋଡ଼ ଜବାବ ଦେବେ। ବିହାରରେ କ୍ଲିନସ୍ୱିପ୍ ପରେ ପରବର୍ତ୍ତୀ ଟାର୍ଗେଟ ଏବେ ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗ ଜିତର ଫର୍ମୁଲା ବି ବତାଇଛନ୍ତି ମୋଦି। ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନରେ ମୋଟ୍ ୨୯୪ ଆସନରୁ ଟିଏମସି ୨୧୩ ଆସନ ଦଖଲ କରିଥିଲା। ଭୋଟ ହାର ଥିଲା ୪୮.୫ ପ୍ରତିଶତ। ବିଜେପି ୭୭ ଆସନ ଦଖଲ କରିବା ସହ ଭୋଟ ହାର ଥିଲା ୩୮.୫ ପ୍ରତିଶତ। ବଡ଼ କଥା ଥିଲା, ଗଲା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତରେ ଟିଏମସି ଜିତିଥିଲେ ହେଁ ନନ୍ଦିଗ୍ରାମରେ ହାରିଯାଇଥିଲେ ମମତା। ଶୁଭେନ୍ଦୁ ଅଧିକାରୀଙ୍କଠୁ ୧୯୫୬ ଭୋଟରେ ହାରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନନ୍ଦିଗ୍ରାମ ଦାୟିତ୍ୱ ଦେଇଥିଲା ବିଜେପି। ପରେ ମମତା ଭବାନୀପୁର ଉପନିର୍ବାଚନରେ ରେକର୍ଡ ମାର୍ଜିନରେ ଜିତିଥିଲେ। ଏହି ଜିତ୍ ମମତା ବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ପଦ ଜାରି ରଖିବାର ବାଟ ସଫା କରିଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *