ଆତଙ୍କବାଦକୁ ନେଇ କେନ୍ଦ୍ର ଉପରେ ମୁଫ୍ତିଙ୍କ ଆକ୍ରମଣ

Spread the love

ପୁଲୱାମା: ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଘଟଣା ଥମିବାର ନାମ ନେଉ ନାହିଁ। ନିକଟରେ ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରାଯାଇଛି। ଏହି ମୁଦ୍ଦାକୁ ନେଇ ପିଡିପି ପ୍ରମୁଖ ମେହବୁବା ମୁଫ୍ତି କେନ୍ଦ୍ର ଉପରେ କରିଛନ୍ତି ଆକ୍ରମଣ। ମୁଫ୍ତି କହିଛନ୍ତି କି, ଯଦି ଘାଟିରେ ଆତଙ୍କବାଦ ଶେଷ ହୋଇଛି, ଯାହା କେନ୍ଦ୍ର ପକ୍ଷରୁ ଦାବି ହୋଇ ଆସୁଛି, ତେବେ ସଞ୍ଜୟ ଶର୍ମାଙ୍କ ହତ୍ୟା କିଏ କରିଛି। ମୁଫ୍ତି ସଞ୍ଜୟ ଶର୍ମାଙ୍କ ପରିବାରକୁ ସାକ୍ଷାତ କରିବାକୁ ପୁଲବାମା ଗସ୍ତ କରିବା ଅବସରରେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ମୁଫ୍ତି ଆହୁରି କହିଛନ୍ତି କି, ଗୋଟିଏ ପଟେ ସରକାର ଆମର ହଜାର ହଜାର ଲୋକଙ୍କୁ ଉଗ୍ରବାଦ ନାମରେ ଜେଲରେ ଭରିଛି। ଆମ ଘରକୁ ନିଲାମ କରାଯାଉଛି। ଏନଆଇଏ, ଇଡି ଚଢାଉ କରିଛି। ଟେରର ଫଣ୍ଡିଂ ଓ ମିଲିଟେନ୍ସି ନାମରେ ଆମର ହଜାର ହଜାର ଲୋକଙ୍କୁ ବନ୍ଦୀ କରାଯାଉଛି। ଆମକୁ କୁହାଯାଉଛି କି, ଆତଙ୍କବାଦ ଶେଷ ହୋଇଯାଇଛି। ଯଦି ଏପରି ତେବେ ସଞ୍ଜୟ ଶର୍ମାକୁ କିଏ ମାରିଲା?

ଏଥିସହ ମୁଫ୍ତି ଖେଳିଛନ୍ତି ପଲିଟିକାଲ କାର୍ଡ। ସଞ୍ଜୟଙ୍କ ପିଲାମାନଙ୍କୁ ପାଞ୍ଚ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ଆବଶ୍ୟକ ଓ ପରିବାରର ଜଣକୁ ଜମ୍ମୁରେ ଚାକିରି ଦେବା ଆବଶ୍ୟକ ବୋଲି ଦାବି ଉଠାଇଛନ୍ତି ମୁଫ୍ତି।  ସେ ଆହୁରି କହିଛନ୍ତି କି, ସଞ୍ଜୟଙ୍କ ଭଉଣୀର ପୁଅମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ।

ସୂଚନାଯୋଗ୍ୟ, ଜଣେ ଗାର୍ଡ ଭାବେ କାମ କରୁଥିବା ସଞ୍ଜୟ ଶର୍ମା ରବିବାର ଦିନ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ତାଙ୍କ ଉପରେ ଆତତାୟୀ ଗୁଳିବର୍ଷା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଗତ ଚାରି ମାସରେ ଏହା ପ୍ରଥମ ଘଟଣା, ଯେତେବେଳେ ଜଣେ ହିନ୍ଦୁ ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି। କିନ୍ତୁ ଗତ ବର୍ଷ କାଶ୍ମୀର ପଣ୍ଡିତଙ୍କ ସମେତ ବହୁ ଭାରତୀୟଙ୍କୁ ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *