ମୋଦିଙ୍କ ପଥ ଅବରୋଧ କରିବ ମେନ୍‌ ଫ୍ରଣ୍ଟ!

Spread the love

() ବିଜେପିକୁ ହରାଇବାକୁ ହେଲେ ଥାର୍ଡ ଫ୍ରଣ୍ଟ ନୁହେଁ। ମେନ୍ ଫ୍ରଣ୍ଟ ଆବଶ୍ୟକ। ବିଜେପି ବିରୋଧୀ ତମାମ ଦଳକୁ ଗୋଟିଏ ପ୍ଲାଟଫର୍ମରେ ରହିବାକୁ ଅପିଲ୍ କରିବା ସହ ଏବେ ସମୟ ଓ ସ୍ଥିତି ହିଁ ଏଭଳି ମେନଫ୍ରଣ୍ଟର ଆବଶ୍ୟକତା କରୁଛି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ୨୪ରେ ମୋଦି ବିରୋଧୀ ମୋର୍ଚ୍ଚାକୁ ଏକଜୁଟ୍ ସହ ମେନ୍ ଫ୍ରଣ୍ଟ ହିଁ ଟକ୍କର ଦେଇପାରିବ ବିଜେପିକୁ ବୋଲି ଆହ୍ୱାନ ଦେଇଛନ୍ତି ନୀତିଶ।

ମୋଦିଙ୍କୁ ହଟାଇବାକୁ ହେଲେ କୌଣସି ଥାର୍ଡ ଫ୍ରଣ୍ଟ ନୁହେଁ। ମେନ୍ ଫ୍ରଣ୍ଟର ଜରୁରୀ। ମୋଦି ବିରୋଧୀ ତମାମ ଦଳକୁ ଏକଜୁଟ କରିବାକୁ ସେ କରୁଥିବା ପ୍ରୟାସର ଟାର୍ଗେଟ ଥାର୍ଡ ଫ୍ରଣ୍ଟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏବେକାର ସମୟ ଓ ସ୍ଥିତି ହିଁ ଏହାର ଆବଶ୍ୟକତା ଲୋଡ଼ୁଛି। ଏବେ ବି ଯଦିଓ ସମସ୍ତ ବିରୋଧୀ ଦଳ ଗୋଟିଏ ପ୍ଲାଟଫର୍ମକୁ ଆସିବେନି, ତେବେ ପରିସ୍ଥିତି ବିଗିଡ଼ିପାରେ। ମେନ୍ ଫ୍ରଣ୍ଟର କିଏ ନେତା ହେବେ, ତାହା ପରେ ସ୍ଥିର ହେଉ। କିନ୍ତୁ ସେ ସମସ୍ତଙ୍କୁ ଏକଜୁଟ୍ କରିବାକୁ ପ୍ରୟାସ କରୁଛନ୍ତି ଓ ଜାରି ରଖିବେ। ପାଟନାରେ ଆୟୋଜିତ ଜେଡିୟୁର ଖୋଲା ଅଧିବେଶନକୁ ସମ୍ୱୋଧନା ଅବସରରେ ଏଭଳି ମୋଦି ବିରୋଧୀ ସ୍ୱରକୁ ପୁଣି ଥରେ ଶାଣିତ କରିଛନ୍ତି ନୀତିଶ।

ଯଦି ଲୋକେ ବିରୋଧୀ ଦଳର କଥା ରଖିବେ ଓ ବିଶ୍ୱାସ କରିବେ, ତେବେ ବିଜେପି ହାରିବା ଥୟ। ସେ ସମସ୍ତ ବିରୋଧୀ ଦଳକୁ ପରାମର୍ଶ ଓ ଅନୁରୋଧ କରୁଛନ୍ତି ସତ। କିନ୍ତୁ କେହି ନ ମାନିଲେ ସେ କଅଣ କରିବେ। ଏ ସବୁ କଥାରେ ବିରୋଧୀ ଦଳ ଗୁଡ଼ିକ ଗୁରୁତ୍ୱ ଦେଲେ ଯାଇ ୨୦୨୪ରେ ଗଠବନ୍ଧନକୁ ବହୁମତ ମିଳିବା ସ୍ପଷ୍ଟ। ଅରୁଣାଚଳପ୍ରଦେଶରୁ ନେଇ ମଣିପୁର ଯାଏ। ସବୁଠି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କଲା ବିଜେପି। ଏହାଠୁ ବଳିକି ହୀନ ରାଜନୀତି ଆଉ କିଛି ହୋଇନପାରେ। ବିଜେପି ସହ ମେଣ୍ଟରେ ଥିଲା ବେଳେ ଜେଡିୟୁର ଅଧିକାଂଶ ପ୍ରତ୍ୟାଶୀଙ୍କୁ ବିଜେପି ହିଁ ହରାଇବାର ଷଡ଼ଯନ୍ତ୍ର ରଚିଥିଲା।

ବିହାରରେ ମହାଗଠବନ୍ଧନ ସରକାରରେ ଥିବା ସତ୍ତ୍ୱେ କୁରହନୀ ଉପନିର୍ବାଚନରେ ଜେଡିୟୁ ହାରିଗଲା। ଏହା ପଛରେ ଥିବା କାରଣକୁ ବି ଦର୍ଶାଇଛନ୍ତି ନୀତିଶ। ଏହାର ସମୀକ୍ଷା ହେବ। ୨୦୦୫ରୁ ସବୁଥର ବିଜେପିଠୁ ଅଧିକ ଆସନ ଆଣୁଥିଲା ଜେଡିୟୁ। କିନ୍ତୁ ୨୦୨୦ରେ ବିଜେପି ଏମିତି କି ଖେଳ କଲା ଯେ, ଜେଡିୟୁ ତୃତୀୟ ସ୍ଥାନକୁ ଖସିଗଲା। କିନ୍ତୁ ଏଥର ଏମିତି ହେବନି ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନୀତିଶ। ସେପଟେ ନୀତିଶଙ୍କ ଏଭଳି ଆରୋପର କଡ଼ା ଜବାବ ରଖିଛି ବିଜେପି।

ମୋଦିଙ୍କୁ ହଟାଇବାକୁ ବିରୋଧୀଙ୍କୁ ଏକଜୁଟ କରିବାକୁ ନୀତିଶ, କେସିଆର ପ୍ରମୁଖ ସେପ୍ଟେମ୍ୱରରୁ ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ସ୍ଥଳେ ଦୀର୍ଘ ବର୍ଷ ହେଲା ଥାର୍ଡଫ୍ରଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଏବେ ନୀତିଶଙ୍କ ମେନ୍ ଫ୍ରଣ୍ଟ ମୋଦିଙ୍କୁ ଅଟକାଇବାରେ କେତେଦୂର ସହାୟକ ହେବ, ତାକୁ ନେଇ ସସପେନ୍ସ ଜାରି ରହିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *