ବିଜେପି ଟାର୍ଗେଟରେ ଅଣବିଜେପି ଶାସିତ ରାଜ୍ୟ

Spread the love

ଭୁବନେଶ୍ବର: ଅଣବିଜେପି ଶାସିତ ରାଜ୍ୟରେ ରାଜନୈତିକ ଅସ୍ଥିରତା। କ୍ଷମତା ଦଖଲ ପାଇଁ ବିଜେପିର କସରତ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବିଜେପି ହତିଆର କରି ଏସବୁ କରୁଥିବା ବିରୋଧୀଙ୍କ ଅଭିଯୋଗ । ହେଲେ ଓଡ଼ିଶାରେ ମାଳ ମାଳ ଶାସକ ଦଳ ନେତାଙ୍କ ନାଁରେ ଅଭିଯୋଗ ଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥା କାହିଁକି ଚୁପ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏପଟେ ବିଜେପି ଓ ବିଜେଡି ମାପିଚୁପି ଦେଇଛନ୍ତି ବୟାନ।

ବିଜେପି ଟାର୍ଗେଟରେ ଅଣବିଜେପି ଶାସିତ ରାଜ୍ୟ । କଳେ ବଳେ କୌଶଳେ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ବିରୋଧୀଙ୍କ ବିରୋଧରେ ଆକଟିଭ ହେଉଛି ସିବିଆଇ ଓ ଇଡି। ହେଲେ ଓଡ଼ିଶାରେ ସ୍ଥିର। ଏହା ନବୀନଙ୍କ ଲୋକପ୍ରିୟତା ଆଗରେ ହାର ନା ଭିତିରି ସମ୍ପର୍କ। ତାକୁ ନେଇ ଚର୍ଚ୍ଚା। ଅଣବିଜେପି ଶାସିତ ରାଜ୍ୟ ଗୁଡିକରେ ସରକାର ଗଢିବାକୁ ବିଜେପି ଅପରେସନ୍ ଲୋଟସ୍ ଚଳାଇଛି । କେଉଁଠି ସରକାର ଭାଙ୍ଗୁଛି ତ ଆଉ କେଉଁଠି ବହୁମତ ପରୀକ୍ଷାର ସମୁଖୀନ ହେଉଛନ୍ତି ନିର୍ବାଚିତ ସରକାର।  ହେଲେ ଓଡ଼ିଶାରେ ବିଜେଡିର ୨୨ ବର୍ଷର ସରକାରକୁ ଅସ୍ଥିର କରିବାରେ ବିଜେପି ବିଫଳ । ତେବେ କେନ୍ଦ୍ର ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଥିବାରୁ ସବୁ ଦୁର୍ନୀତି ମାଫ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପଟେ ନବୀନ ସରକାରରେ ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ନିୟମ ଲାଗୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା ଆକାଶ ଛୁଆଁ। ତେଣୁ ସରକାର ଟଳମଳ କରିବା କଥା କେହି ଚିନ୍ତା କରି ପାରିବେ ନାହିଁ ବୋଲି ବିଜେଡି କହିଛି। ଯେଉଁଠି ମାପିଚୁପି ବୟାନ ଦେଇଛି ବିଜେପି ।

ସେପଟେ ରାଜ୍ୟର ଅନେକ ବିଧାୟକ ନେତା ମନ୍ତ୍ରୀଙ୍କ ନାଁ ଚିଟଫଣ୍ଡ, ଖଣି ଦୁର୍ନୀତିରେ ରହିଛି। ହେଲେ କେନ୍ଦ୍ର ତଦନ୍ତକାରୀ ସଂସ୍ଥା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଯାହା କି ବିଜେଡି ବିଜେପିର ମଧୁର ସମ୍ପର୍କକୁ ଦର୍ଶାଉଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଏହାସହ କେନ୍ଦ୍ରର ସବୁ ପ୍ରସ୍ତାବରେ ବିଜେଡିର ସମର୍ଥନ ଏହାର ଅନ୍ୟତମ ପ୍ରମୁଖ କାରଣ ବୋଲି କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ବିଲ ପର୍ଯ୍ୟନ୍ତ ସବୁଠି ବିଜେଡି ବିଜେପି ସମ୍ପର୍କ ପଦାକୁ ଆସିଛି। ତେବେ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏ ସମ୍ପର୍କ ଆଗକୁ ତିକ୍ତ ହେଉଛି କି ମେଣ୍ଟରେ ବଦଳୁଛି ତାରି ଉପରେ ନଜର।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *