୫ଟି ସଚିବଙ୍କ ସମ୍ବଲପୁର ଗସ୍ତକୁ ବିରୋଧ : ସରକାରଙ୍କୁ ବିଜେପି ପକ୍ଷରୁ ୨୧ଟି ତେର୍ଚ୍ଛା ପ୍ରଶ୍ନ

Spread the love

ସମ୍ବଲପୁର : ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଗୃହବନ୍ଦୀ ରଖି ରାଜ୍ୟ ସାରା ବୁଲୁଛନ୍ତି ବୋଲି ବିଧାୟକ ନାଉରି ନାୟକ କଟାକ୍ଷ କରିଥିବା ବେଳେ ସଚିବଙ୍କ କାର୍ଯ୍ୟକ୍ରମରେ ଆୟୋଜକ ଓ ଲୋକ ବୁହା ସାଜିଛନ୍ତି ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୁର୍ବତନ ବିଧାୟକ ରବି ନାୟକ ତେର୍ଛା ପ୍ରଶ୍ନ କରିଛନ୍ତି । ସର୍ବୋପରି ସରକାରୀ ପାଣ୍ଠିରେ ସରକାରୀ ଅଧିକାରୀ କରୁଥିବା ଦଳୀୟ କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ବିଜେପି ଦୃଢ଼ ବିରୋଧ କରୁଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୧ ଟି ପ୍ରଶ୍ନବାଣରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା କୁଚିଣ୍ଡା ପୁର୍ବତନ ବିଧାୟକ ରବି ନାରାୟଣ ନାୟକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ବିଜେପି କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର, ଜିଲ୍ଲା କମିଟି ଉପସଭାପତି ଫଣି ଭୂଷଣ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ଶ୍ରୀଜଗନ୍ନାଥଙ୍କ ଆପର କରୁଣାରୁ ଜଳ, ଜମି, ଜଙ୍ଗଲ, ଖଣି, ଖାଦାନ, ମାନବ ସମ୍ବଳ, ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ, ଉଚ୍ଚ କୋଟିର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସ୍ଥାପତ୍ୟ, ଗୌରବମୟ ଐତିହରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଆମ ରାଜ୍ୟ ଓଡ଼ିଶାର ଶାସନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ କଳୁଷିତ ହୋଇପଡିଛି ।

ସମଗ୍ର ବିଶ୍ୱରେ ସର୍ବବୃହତ ଗଣତନ୍ତ୍ର କହିଲେ ଯେଉଁ ଭାରତ ବର୍ଷ ବୁଝାଯାଏ, ଏବେ ଓଡ଼ିଶାର ରାଜନୀତି ଓ ପ୍ରଶାସନିକ ବିଧି-ବ୍ୟବସ୍ଥା ତାହାକୁ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ କରିଚାଲିଛି । ବିଗତ ୨୩ ବର୍ଷ ଧରି ରାଜ୍ୟରେ ସ୍ଥାୟୀ ଶାସନ କରୁଥିବା ସରକାର ରାଜ୍ୟବାସୀଙ୍କ ଠାରୁ ବହୁ ଦୂରରେ । ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଆଖ୍ୟାରେ ଏହି ସରକାର ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଗଣତନ୍ତ୍ର ଆଉ ଅମଲାତନ୍ତ୍ରିକ ବ୍ୟବସ୍ଥା ଦେଖୁନାହିଁ । ଅପାରଗ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଜଣେ ଅଣଓଡିଆ ସଚିବ ସ୍ତରର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦି ରଖି ସମଗ୍ର ରାଜ୍ୟର ଶାସନ ଦାୟିତ୍ୱ ତୁଲାଇବା ସହ ରାଜକୋଷକୁ ସମ୍ପୂର୍ଣ୍ଣ ହରିଲୁଟ କରି ଚାଲିଛି । ଏପରିକି ଗଣତନ୍ତ୍ରର ସମସ୍ତ ସ୍ତର ତଥା ସାଂସଦ ଠୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ପୌରାଧକ୍ଷ, ସରପଞ୍ଚ, କାଉନସିଲର, ସମିତିସଭ୍ୟଙ୍କ କ୍ଷମତା ଓ ସମ୍ମାନକୁ ଏଡାଇ ୫ଟି ସଚିବ ଭି.କେ ପାଣ୍ଡିଆନ ନିଜର ପ୍ରଭୂତ୍ୱ ଜାହିର କରିଆସୁଛନ୍ତି ।

ଗତ କିଛି ମାସ ହେଲା ୫ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣ ସଭାମାନଙ୍କରେ ରାଜନୈତିକ ନେତା ଭାବେ ଭାଷଣବାଜି ମାରୁଛନ୍ତି । ସଚିବଙ୍କ ଗସ୍ତ ପୁର୍ବରୁ ଆୟୋଜନରେ ରାଜ୍ୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ନିୟୋଜିତ ହେଉଛନ୍ତି । ଯାହାକି ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଶକ୍ତ ଉପାସରେ ପରିଣତ ହୋଇଛି । ରାଜ୍ୟର ଜଣେ ସଚିବ ରାଜ୍ୟ ସାରା ହେଲିକେପ୍ଟରରେ ବୁଲିବା, ସରକାରୀ କାର୍ଯ୍ୟକ୍ରମ ବାହାନାରେ ଦଳୀୟ ପ୍ରଚାର ସହ ଲୋକଙ୍କୁ ପଇସା ବାଣ୍ଟିବା ଘଟଣା ଏହା ଗଣତନ୍ତ୍ରର କେଉଁ ଲକ୍ଷଣ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କ ସମ୍ବଲପୁର ଜିଲ୍ଲା ଗସ୍ତକୁ ଆମେ ଦୃଢ଼ ଶବ୍ଦରେ ନିନ୍ଦା ଓ ବିରୋଧ କରୁଛୁ ବୋଲି ବିଜେପି ସ୍ପଷ୍ଟ କରିଛି । ସେହିପରି ସ୍ୱଛ ଓ ନିର୍ମଳ ସରକାରର ଶାସନ ଯୋଗାଉ ଥିବାର ଆତ୍ମଡିଣ୍ଡିମ ପିଟୁଥିବା ଶାସକ ଦଳ ନିଜ ସଫେଇରେ ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଚାରିଆଡ଼େ ଯାଉଥିବା ସଫେଇ ଦେଉଛନ୍ତି । ଯଦି ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି, ତେବେ ମୁଖ୍ୟମନ୍ତ୍ରୀ ସତ୍ ସାହାସର ସହ ମାତ୍ର ୨୧ଟି ପ୍ରଶ୍ନର ଉତର ରଖନ୍ତୁ । ୧) ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାଢ଼େ ଚାରି କୋଟି ଓଡିଆଙ୍କ ମୁଖ୍ୟମନ୍ତ୍ରୀ । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ପ୍ରାନ୍ତୀୟ ଓ ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ତାଙ୍କୁ ଭେଟି ଅଭିଯୋଗ କରି ଅଧିକାର ରହିଛି । ଗତ ୨୩ ବର୍ଷରେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଖୋଦ୍ ମୁଖ୍ୟମନ୍ତ୍ରୀ ୨୩ ଥର ଆସିଛନ୍ତି କି ? ୨) ଯଦି ରାଜ୍ୟର ସାଧାରଣ ଜନତାଙ୍କର ଅଭିଯୋଗ ଓ ଦୁଃଖ ଶୁଣିବାର ବୁଝିବାର ପ୍ରକୃତ ଅଭିପ୍ରାୟ ରହିଛି ତାହେଲେ, ମୁଖ୍ୟମନ୍ତ୍ରୀ କାହିଁକି ନିଜର ଅଭିଯୋଗ ପ୍ରକୋଷ୍ଠ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ନିଜେ ରାଜ୍ୟବାସୀଙ୍କୁ ସାକ୍ଷାତ କରୁ ନାହାନ୍ତି ? ୩) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅମଳରୁ ରାଜ୍ୟ ରେ ରାଜନୀତି କରୁଥିବା, ବିଭନ୍ନ ସମୟର ଗୁରୁଦାୟିତ୍ୱ ବହନ କରିଥିବା ଓ ଆଜି ନବୀନ ପଟ୍ଟନାୟକ ସରକାରରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମଧ୍ୟରୁ ଏମିତି କେହିବି ଯୋଗ୍ୟ ନେତା ନାହାଁନ୍ତି କି, ଯିଏ କି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଭାଜନ ହୋଇ ତାଙ୍କର ପ୍ରତିନିଧିତ୍ୱ କରିପାରିବେ ? ୪) ଅମଲାତନ୍ତ୍ରର ଜଣେ ସଚିବ ସ୍ତରର ଅଧିକାରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ରେ ସାଂସଦ, ମନ୍ତ୍ରୀ, ବିଧାୟକଙ୍କ ଭଳି ଜନପ୍ରତିନିଧି ନିୟୋଜିତ ହେବେ କେତେ ଯୁକ୍ତି ସଙ୍ଗତ? ୫) ଯଦି ଏହା ଲୋକଙ୍କ ପାଖକୁ ସରକାର ପହଞ୍ଚିବାର କାର୍ଯ୍ୟକ୍ରମ ତାହେଲେ ମଞ୍ଚରେ ସ୍ଥାନୀୟ ସାଂସଦ, ବିଧାୟକଙ୍କ ସମେତ ବିଭାଗୀୟ ମନ୍ତ୍ରୀ କାହିଁକି ମଞ୍ଚାସିନ ନହୋଇ କେବଳ ଜଣେ ସଚିବ କାହିଁକି ମଞ୍ଚରେ ରହୁଛନ୍ତି ? ୬) କୃଷିଭିତ୍ତିକ ଆମ ରାଜ୍ୟର କୃଷକ ବା ଅନ୍ନଦାତା ମାନଙ୍କୁ ସର୍ବନିମ୍ନ ଜଳସେଚନ, ବିହନ, ସାର, କୀଟନାଶକ ଯୋଗାଇବାରେ ବିଫଳ ସରକାର ଉତ୍ପାଦିତ ଧାନ ବିକ୍ରି ସମୟରେ ଟୋକନ୍ ବ୍ୟବସ୍ଥା କରି ବର୍ଷ ବର୍ଷ ଧରି କାହିଁକି ଶୋଷଣ କରିଚାଲିଛନ୍ତି ? ୭) ଆମର ଜଳ, ଜମି, ଜଙ୍ଗଲ ଖଣି, ଖାଦାନକୁ ବ୍ୟବହାର କରୁଥିବା ସମସ୍ତ ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବାରେ ରାଜ୍ୟ ସରକାରଙ୍କର ଶିଳ୍ପନୀତି ଦାୟୀ ନୁହେଁ କି ? ୮) ଶିଳ୍ପପତି ଓ ସରକାରଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଜମିହରା ବାସହରା ହେଉଥିବା ପରିବାରଙ୍କୁ ନିଯୁକ୍ତି ରେ ଅଗ୍ରାଧିକାର ନମିଳିବା କେତେଦୂର ଯୁକ୍ତିଯୁକ୍ତ ? ୯) ୨୦୧୬ ରେ ସୋହେଲା ଠାରେ ହେଇଥିବା ଚାଷୀ ସମାବେଶ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ କୁଆଡେ ଗଲା ? ୧୦) ଯୁଯୁମୁରା ବ୍ଲକ ନିଲଡୁମ୍ବ୍ରୀ ଠାରେ ୨୦୧୦ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ଅତ୍ୟାଧୁନିକ କୃଷକ ବଜାର ପ୍ରଙ୍ଗନ କାହିଁକି ଆଜି ଯାଏଁ ନିର୍ମାଣ ହୋଇପାରିଲା ନାହିଁ ? ୧୧) ମାଟିର ବୀରପୁତ୍ର ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନକୁ ରାଜ୍ୟ ମାନଚିତ୍ର ରେ ଏକ ଐତହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ଭବେ ସ୍ଥାନିତ କରିବା ପାଇଁ କାହିଁକି ଆଜି ଯାଏଁ କିଛି ପଦକ୍ଷେପ ନିଆଯାଇ ନାହିଁ ? ୧୨) ୨୦୧୯ ନିର୍ବାଚନ ପୁର୍ବରୁ ବିଜୁ ଯୁବ ବାହିନୀ ଭଳି ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରର ସର୍ବପୁରାତନ ଓ ଏକମାତ୍ର ଷ୍ଟାଡିୟମ୍ କୁ ବ୍ୟବହାର କରି ଛାରଖାର କରି ଦିଆଯାଇଥିଲା । ସବୁ ବର୍ଗରୁ ବିରୋଧ ହେବା ପରେ ଉକ୍ତ କାର୍ଯ୍ୟକ୍ରମ ରେ ଖୋଦ୍ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ୍ ର ମରାମତି ପାଇଁ ତିନି କୋଟି ଟଙ୍କା ଘୋଷଣା କରିଥିଲେ । ତାହା ଆଜି ଯାଏଁ କାହିଁକି ମିଳିଲା ନାହିଁ ? ୧୩) ବିଦ୍ୟୁତ୍ ଉତ୍ପାଦନ ରେ ବଳକା ରାଜ୍ୟ ଆମ ଓଡ଼ିଶା ରୁ ବିଜୁଳି କିଣି ଅନ୍ୟ ରାଜ୍ୟ ଯଦି ତାଙ୍କ ଉପଭୋକ୍ତା ଙ୍କୁ କମ୍ ଦାମରେ ବିକ୍ରୀ କରୁଛନ୍ତି, ତାହେଲେ ଆମ ରାଜ୍ୟରେ ବିଜୁଳି ଦର ଏତିକି ମହଙ୍ଗା କାହିଁକି ? ୧୪) ସ୍ୱାଧୀନତାର ୭୫ ବର୍ଷ ପରେ ଓ ରାଜ୍ୟ ରେ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଶାସନ କଲାପରେ ମଧ୍ୟ ଚିକିତ୍ସାଳୟରେ ଚିକିତ୍ସକ ଓ ବିଦ୍ୟାଳୟ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ କାହିଁକି ? ୧୫) ସମ୍ବଲପୁର ପୌର ପରିଷଦକୁ ମହାନଗର ନିଗମ ଘୋଷଣା କରାଯିବାର ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ କାହିଁକି ନିର୍ବାଚନ କରାଯାଉ ନାହିଁ ? ୧୬) ବର୍ତ୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ସାଜିଥିବା ସମ୍ବଲପୁର ମହାନଗର ନିଗମ ଭଳି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାହା ସ୍ୱାର୍ଥ ରେ ଦୀର୍ଘ ବର୍ଷ ଧରି ପ୍ରାଶାସନିକ ଅଧିକାରୀଙ୍କ ହାତକୁ ଟେକି ଦିଆଯାଇଛି ? ୧୭) ହୀରାକୁଦ ଜଳଭଣ୍ଡାର ତଳେ ଓ ଚିରସ୍ରୋତା ମହାନଦୀ କୂଳରେ ଥାଇ ଆଜିବି ସମ୍ବଲପୁରବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାର ଅସୁବିଧାର ସମ୍ମୁଖୀନ କାହିଁକି ହେଉଛନ୍ତି ? ୧୮) ଜଣ୍ଡିସ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୬୦ କୋଟି ଟଙ୍କା ଗଲା କୁଆଡେ ? ୧୯) ତଥାକଥିତ ସ୍ୱୟଂଶାସିତ ବୁର୍ଲା ଭିମ୍ସାରକୁ କାହିଁକି ପୂର୍ଣ୍ଣ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ କରାଯାଉ ନାହିଁ ? ୨୦) ଦେଶର ଧନୀ ରାଜ୍ୟ ମାନଙ୍କରେ ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟରର ବ୍ୟବସ୍ଥା ନଥିବା ବେଳେ ଆମ ଗରିବ ରାଜ୍ୟରେ ଏହି ବ୍ୟବସ୍ଥା କାହା ସ୍ୱାର୍ଥରେ ? ୨୧) ସମ୍ବଲପୁରରେ ଚାଲିଥିବା ସମଲେଇ ଯୋଜନାର କାର୍ଯ୍ୟ ଅତି ନିମ୍ନ ମାନର ହେଉଛି । ଯାହାର ସଦ୍ୟତମ ଉଦାହରଣରେ ନବ ନିର୍ମିତ ଶ୍ମଶାନର ଛାତରୁ ଅବାରିତ ଭାବେ ବର୍ଷାପାଣି ଗଳିବା । ଠିକାଦାର, ସ୍ଥାନୀୟ ପ୍ରଶାସନ ଓ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକାରେ ହେଉଥିବା ଏଭଳି ଅର୍ଥ ଆତ୍ମସାତର କୁତ୍ସିତ ଅପକର୍ମ ପାଇଁ ଦାୟୀ କିଏ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃବୃନ୍ଦ ସିଧାସଳଖ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *