ମୋଦି ସରକାରକୁ ବିରୋଧୀଙ୍କ ମିଳିତ ଆକ୍ରମଣ

Spread the love

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ।  ଗୁଜୁରାଟ ୨୦୦୨ ଦଙ୍ଗା କାଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜୁରାଟ ସରକାର ମୁକ୍ତ କରିବା ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରନ୍ତୁ ଏବଂ ଗୁଜୁରାଟ ସରକାରଙ୍କ ଛାଡ ଆଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧି। ସେପଟେ କେନ୍ଦ୍ରର ସଫେଇ ହେଉଛି କି, ବଳାତ୍କାର ମାମଲାରେ ଦୋଷୀଙ୍କୁ ଉକ୍ତ ନୀତି ଅଧୀନରେ ଖଲାସ କରାଯିବ ବୋଲି ପୂର୍ବରୁ ରାଜ୍ୟଗୁଡ଼ିକୁ ଗାଇଡଲାଇନ ଜାରି କରାଯାଇଛି।

ବିଲକିସ୍ ବାନୋ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ। ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧିଙ୍କୁ ମୁକ୍ତ କରିବା ନେଇ ରାହୁଲ କହିଛନ୍ତି କି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ଦେଖୁଛନ୍ତି। ଯେଉଁମାନେ ୫ ମାସର ଗର୍ଭବତୀ ମହିଳାଙ୍କୁ ବଳତ୍କାର କରି ତାଙ୍କ ୩ ବର୍ଷର ଶିଶୁକନ୍ୟାକୁ ବୀଭତ୍ସ ଭାବେ ହତ୍ୟା କରିଥିଲେ ସେମାନଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ମୁକ୍ତ କରାଯାଇଛି। ଦେଶର ନାରୀଶକ୍ତି ବିଷୟରେ କହୁଥିବା ଦେଶର ମହିଳାଙ୍କୁ ଏହା କ’ଣ ବାର୍ତ୍ତା ଦେଉଛି? ବୋଲି ପ୍ରଶ୍ନ କରିଥିଲେ ରାହୁଲ। ପ୍ରଧାନମନ୍ତ୍ରୀ ରାଜଧର୍ମ ପାଳନ କରିବା ଉଚିତ ବୋଲି ପରାମର୍ଶ ଦେଇଛି କଂଗ୍ରେସ। ଏଭଳି ନିଷ୍ପତ୍ତି ନ୍ୟାୟପାଳିକାର ନୁହେଁ ବରଂ ସରକାରଙ୍କ ନିଷ୍ପତ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଖାଲି କଂଗ୍ରେସ ନୁହେଁ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଯେତେବେଳେ ମୁସଲମାନ ମହିଳାମାନଙ୍କ କଥା ଆସେ, ସେତେବେଳେ ବିଜେପି ସବୁକିଛି ଭୁଲିଯାଏ। ବିଲକିସ୍ ବାନୋ ମାମଲାର ଦୋଷୀଙ୍କୁ ଆଜି ଖଲାସ କରିଦେଲେ। ଆସନ୍ତାକାଲି ନିର୍ଭୟା ମାମଲାର ଦୋଷୀଙ୍କୁ ବି ମୁକ୍ତ କରିଦେବ?  ଟିଏମସିର ମହୁଆ ମିତ୍ର କହିଛନ୍ତି କି, ବିଲକିସ ବାନୋ  ଜଣେ ମହିଳା ନା ଜଣେ ମୁସଲିମ୍, ଏ କଥା ଦେଶ ବିଚାର କରୁ।  କୁଆଡ଼େ ଗଲା ବଡ଼ ବଡ଼ ଟିଭିରେ ଏହାକୁ ନେଇ ବିତର୍କ। ଆଙ୍କରଙ୍କ ମୁହଁ କାହିଁକି ବନ୍ଦ। ଏହି ପ୍ରସଙ୍ଗକୁ ନେଇ ବିବାଦ ଜୋର ଧରିଥିବାବେଳେ କେନ୍ଦ୍ର ସରକାର ସଫେଇ ଦେଇଛନ୍ତି କି, ବଳାତ୍କାର ମାମଲାର ଦୋଷୀଙ୍କୁ ରାଜ୍ୟର ସ୍ୱତନ୍ତ୍ର ରେମିଶନ ପଲିସି ଅନୁସାରେ ଖଲାସ କରାଯିବ କି ନା, ସେ ନେଇ ପୂର୍ବରୁ ରାଜ୍ୟଗୁଡିକୁ ଗାଇଡଲାଇନ ଜାରି କରାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା କଲବକୁନ୍ତଳା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏ ସନ୍ଦର୍ଭରେ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରଧାନବିଚାରପତି ଦେଶର ଆଇନ ଉପରେ ଥିବା ବିଶ୍ୱାସକୁ ଅତୁଟ ରଖିବା ଦିଗରେ ପଦକ୍ଷେପ ନିଅନ୍ତୁ।

ଗୁଜୁରାଟ ବିଜେପି ବିଧାୟକ ସିକେ ରାଉଲଜିଙ୍କ ମନ୍ତବ୍ୟ ତ ଏଭଳି ବିବାଦୀୟ ପରିସ୍ଥିତିକୁ ଅଧିକ ତେଜିଦେଇଛି। ରାଉଲଜି ଯିଏ କହିଥିଲେ କି, ୧୧ ଅପରାଧୀ ବ୍ରାହ୍ମଣ ସମ୍ପ୍ରଦାୟର। ସାମ୍ପ୍ରଦାୟିକ ହିଂସା ବେଳେ ଏଭଳି ଅନେକ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଏ। ୧୧ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପାରିଶ କରିଥିବା ପ୍ୟାନେଲରେ ଥିଲେ ରାଉଲଜି। ଏଭଳି ମନ୍ତବ୍ୟକୁ ନେଇ ନୂଆ ବିବାଦ ଛିଡ଼ା ହେବା ପରେ ରାଉଲଜି ସଫେଇ ଦେଇଥିଲେ କି, ତାଙ୍କର ମନ୍ତବ୍ୟକୁ କଦର୍ଥ କରାଯାଇଛି। ଅପରାଧ ସହ ଜାତିର କୌଣସି ସମ୍ପର୍କ ନାହିଁ। ଗୁଜୁରାଟ ଗୃହ ସଚିବ ରାଜ କୁମାର କହିଥିଲେ କି, ଯେହେତୁ ଦୋଷୀ ୧୪ ବର୍ଷରୁ ଅଧିକ କାଳ ଜେଲଦଣ୍ଡ ଭୋଗିସାରିଛନ୍ତି ଓ ବନ୍ଦୀଙ୍କର ବୟସ, ଅପରାଧର ପ୍ରବୃତ୍ତି ଓ ବନ୍ଦୀଙ୍କ ବ୍ୟବହାରକୁ ନେଇ ମୁକ୍ତି ପାଇଁ ବିଚାର କରାଯାଇଛି।

ବିଲକିସ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ ପରେ ଏବେ ସବୁଠି ବିରୋଧାଭାସ ତେଜିଲାଣି। ଆଗକୁ ଏହା କି ମୋଡ଼ ନେବ, ଦେଖିବାକୁ ରହିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *