ମାଲିସ୍ ଭିଡିଓ ଭାଇରାଲ: ରାଜନୀତିକ ହଟଚମଟ

Spread the love

() ଜେଲରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଲିକ୍ ଭିଡ଼ିଓ ପାଇଁ ଅଡ଼ୁଆରେ ଇଡି। ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଇଡିକୁ ନୋଟିସ୍ କରିଥିଲେ। ଜେଲରେ ଜୈନ୍ ମସାଜ ନେଉଥିବା କଥାର ପ୍ରମାଣ କୋର୍ଟରେ ଦାଖଲ ବେଳୁ ହିଁ ଏହି ଭିଡ଼ିଓକୁ ସାର୍ବଜନୀନ ନ କରିବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ତା ସତ୍ତ୍ୱେ କିଭଳି ପ୍ରଘଟ ହେଲା, ତାକୁ ନେଇ ନୋଟିସ୍ ହୋଇଥିଲା।

ଦିଲ୍ଲୀର ଜେଲ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ମାଲିସ୍ ଭିଡିଓ ଭାଇରାଲକୁ ନେଇ ରାଜନୀତିକ ହଟଚମଟ ଥମୁନି। କ୍ଷମତାର ଦୁରୁପଯୋଗ କରି ଜେଲରେ ଭିଆଇପି ଟ୍ରିଟମେଣ୍ଟ କେମିତି ଦିଆଗଲା, ତାକୁ ନେଇ ବିଜେପି, କଂଗ୍ରେସ ଦଳ ଆପ୍ କୁ ଘେରିଥିଲା ବେଳେ ଆପ୍ ବି କାଉଣ୍ଟର କରିଥିଲା। ହେଲେ ଏହି ଆରୋପ ପ୍ରତ୍ୟାରୋପ ଭିତରେ ଅକଳରେ ପଡ଼ିଗଲାଣି ତଦନ୍ତକାରୀ ସଂସ୍ଥା ଇଡି। କାରଣ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ କି, ବିଜେପିର ଷଡ଼ଯନ୍ତ୍ରକୁ ସାକାର କରିବାକୁ ଇଡି ଏହି ସିସିଟିଭି ଫୁଟେଜକୁ ସାର୍ବଜନୀନ କରିଛି। ନିର୍ବାଚନ ଜିତିବାକୁ ଫନ୍ଦି।

କାରଣ ଏହି ଭିଡିଓକୁ ସାର୍ବଜନୀନ ନ କରିବାକୁ କୋର୍ଟ ନିର୍ଦେଶ ଦେଇଥିବା ସତ୍ତ୍ୱେ କେମିତି ଏହା ପଦାକୁ ଆସିଲା ବୋଲି କୋର୍ଟ ଇଡିକୁ ନୋଟିସ୍ କରିଥିଲେ। ଅଦାଲତର ଅଙ୍କୁଶ ସତ୍ତ୍ୱେ ଏମିତି ଅବମାନନା କାହିଁକି ହେଲା କହି ନୋଟିସ ଯାଇଥିଲା ଇଡିକୁ। ନଭେମ୍ୱର ୨୧ରେ ଏହାର ଶୁଣାଣୀ ହୋଇଛି। ସିସିଟିଭି ଫୁଟେଜଟି ସେପ୍ଟେମ୍ୱର ୧୩ ତାରିଖର। ସ୍ୱତନ୍ତ୍ର ଜଜ୍ ବିକାଶ ଧୁଲ୍ ଇଡିକୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ। ମନ୍ତ୍ରୀ ସତ୍ୟେନ୍ଦ୍ର ତିହାର ଜେଲରେ ରାଜକୀୟ ସୁବିଧା ସୁଯୋଗ ପାଉଥିବାର କଥା ଅଦାଲତକୁ ଇଡି ଅବଗତ କରାଇବାର ୧୦ ଦିନ ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଆସିଥିଲା। କୋର୍ଟକୁ ଇଡି ଅବଗତ କରାଇବା ପରେ ତୁରନ୍ତ ଜେଲ୍ ଅଧୀକ୍ଷକ ଅଜିତ କୁମାରଙ୍କୁ ନିଲମ୍ୱନ କରାଯାଇଛି। କିନ୍ତୁ ଏହି ଭିଡିଓକୁ କୌଣସିମତେ ଇଡି କି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଲିଗାଲ ଟିମ୍ ଲିକ୍ ନ କରିବାକୁ ନିର୍ଦେଶ ଦେଇଥିଲେ ଅଦାଲତ। ତା ସତ୍ତ୍ୱେ ଏହା ଲିକ୍ ହୋଇଛି। ଏପରିକି ଫୁଟେଜର ସୁରକ୍ଷାକୁ ନେଇ ଅଦାଲତକୁ ଅଣ୍ଡରଟେକିଂ ବି ଦେଇଥିଲା ଇଡି। ସିସିଟିଭି ଫୁଟେଜ ଲିକ୍ କିଏ କଲା, କେମିତି ହେଲା, ଏ ସବୁର ଉତ୍ତର ରୋଜ ଆଭିନ୍ୟୁ କୋର୍ଟରେ ଇଡି ରଖିବାକୁ ନିର୍ଦେଶ ଦେଇଥିଲେ ଅଦାଲତ। କେମିତି ଗଣମାଧ୍ୟମ ଏହାକୁ ପାଇଲା। ସତ୍ୟେନ୍ଦ୍ରଙ୍କ ଓକିଲ କୋର୍ଟକୁ କହିଥିଲେ କି, ଇଡି ହିଁ ଲିକ୍ କରିଛି।

ଆର୍ଥିକ ହେରଫେର ମାମଲାରେ ଦୀର୍ଘ ୫ ମାସ ହେଲା ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ଭିଆଇପି ଟ୍ରିଟମେଣ୍ଟ ପାଉଥିବାକୁ କେନ୍ଦ୍ର କରି ବିବାଦ ମୁଣ୍ଡ ଟେକିଛି। ଥେରାପିଷ୍ଟ ନା ରେପିଷ୍ଟ ସତ୍ୟେନ୍ଦ୍ରଙ୍କୁ ମାଲିସ କରୁଥିଲେ କହି ବର୍ଷିଛନ୍ତି ବିରୋଧୀ। କାରଣ କେଜରିଓ୍ୱାଲ ବି କହିଥିଲେ କି, ଏହା ଭିଆଇପି ଟ୍ରିଟମେଣ୍ଟ ନୁହେଁ। ଏହା ଫିଜିଓଥେରାପି। ଗୁଜୁରାଟରେ ଅମିତ ଶାହା ମନ୍ତ୍ରୀ ଥିଲା ବେଳେ ସେ ବି ତିହାର ଜେଲରେ ଭିଆଇପି ଟ୍ରିଟମେଣ୍ଟ ପାଉଥିଲେ। କିନ୍ତୁ ଜୈନଙ୍କ କ୍ଷେତ୍ରରେ ଏମିତି କିଛି ହୋଇନି। ଆଉ ମାଲିସ କରୁଥିବା ବ୍ୟକ୍ତି ବଳାତ୍କାରୀ ହୋଇଥିଲା ବେଳେ ଏବେ କେଜରିଓ୍ୱାଲଙ୍କୁ ଏ ନେଇ ଜବାବ ମାଗିଛି ବିଜେପି। କେଜରିଓ୍ୱାଲ କ୍ଷମା ମାଗନ୍ତୁ। ଫିଜିଓଥେରାପି ନୁହେଁ ବରଂ କରପ୍ସନ ଥେରାପି ବୋଲି ଅଭିହିତ କରିଛି ବିଜେପି।

ଇଡି ବିଜେପିର ଷଡ଼ଯନ୍ତ୍ରକୁ ସାକାର କରିଛି। ତ କିଏ କହୁଛି, ଆପ୍ ଜେଲରେ ଭିଆଇପି କଲଚରକୁ ଆଉ ପାଦେ ଆଗେଇ ନେଇଛି। ଏଭଳି ସ୍ଥିତିରେ ଏ ବିବାଦ ଆଗକୁ କି ମୋଡ଼ ନେଉଛି, ଦେଖିବାର କଥା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *