ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ରାଜନୀତି

Spread the love

ଭୁବନେଶ୍ୱର: ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ରାଜନୀତି ଓ ସାମ୍ୱାଦିକତାକୁ ନେଇ ଗୋଟିଏ ମଞ୍ଚରେ ନିଜ ନିଜର ଆଭିମୁଖ୍ୟ ରଖିଲେ ଦୁଇ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଏବେକାର ସାମ୍ୱାଦିକତାର ଦିଗ କୁଆଡ଼େ, ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ନବୀନ, ଧର୍ମେନ୍ଦ୍ର ଓ ଭର୍ତ୍ତୃହରି। ତେବେ ଭଲ ଦିନ ଆସିଗଲା କହି ଅମିତଙ୍କ ଅଭିଭାଷଣ ଇଣ୍ଡୋର ଷ୍ଟାଡିଅମ ପରିସର କରତାଳିରେ ଫାଟିପଡ଼ିଥିଲା ବେଳେ ଏହା ୨୪ ସମୀକରଣ ସମ୍ଭାବନାକୁ ସୂଚାଉଥିଲା ଯେମିତି।

ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ। ଏକାଠି ହେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ନବୀନ। ଗୋଟିଏ ମଞ୍ଚରେ ଏକାଠି ହୋଇ ଓଡ଼ିଶା ବିକାଶର ଅପାର ସମ୍ଭାବନାର ଦିଗକୁ ଯେମିତି ଉଭୟ ଉଜାଗର କରିଥିଲେ। ଠିକ୍ ସେଭଳି ଆଜିକାର ଗଣମାଧ୍ୟମର ଦାୟିତ୍ୱକୁ ବି ଚେତାଇ ଦେଇଥିଲେ। ଓଡ଼ିଶାରେ ଭଲ ଦିନ ଆସିଗଲା। ଏହା ଅମିତ ଶାହା କହୁ କହୁ ଇଣ୍ଡୋର ଷ୍ଟାଡିଅମରେ ଉପସ୍ଥିତ ଦର୍ଶକଙ୍କ କରତାଳି କିଛି ଅଲଗା ଆଭାସ ଦେଉଥିଲା। ତେବେ ମୋଦିଙ୍କ ନେତୃତ୍ୱାଧୀନ ସରକାର କିଭଳି ଓଡ଼ିଶା ଓ ଓଡ଼ିଆଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ତାହାର ଉଦାହରଣ ଦେଇଛନ୍ତି ଅମିତ ଶାହା। ଓଡ଼ିଶାର ଭବିଷ୍ୟତ ଉଜ୍ୱଳ ବୋଲି କହିଛନ୍ତି ଶାହା। ଭଉଣୀ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି। ଏହା ଆଦିବାସୀ, ଗରିବଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଶାହା।

ସାରା ଦେଶକୁ ଭକ୍ତି ଓ ସଂସ୍କୃତିରେ ଯୋଡ଼େ ମହାନ୍ ଜଗନ୍ନାଥ ପରମ୍ପରା।  ଉତ୍କଳ ଭୂମିରେ ପାଦ ରଖିଲେ ଭକ୍ତିଭାବ ଜାଗ୍ରତ ହୁଏ ବୋଲି କହିଛନ୍ତି ଶାହା। ସେପଟେ ଓଡ଼ିଶାକୁ ଶାହାଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଭୂମିକା କେମିତି ହେବା ଦରକାର, ତା ଉପରେ ପରାମର୍ଶ ଦେଇଛନ୍ତି। ବିନା ଭୟରେ, ବିନା ପକ୍ଷପାତିତାରେ ଗଣମାଧ୍ୟମ ନିଜର କାମ କରୁ ବୋଲି କହିବା ସହ ମିଡିଆର ମର୍ଯ୍ୟାଦା ରକ୍ଷା ଓ ଧର୍ମନିରପେକ୍ଷତାର ନୀତିକୁ ଆପଣାଇବା ଜରୁରୀ ବୋଲି କହିଛନ୍ତି ନବୀନ। ରାଜନୀତି ବଦଳରେ ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ମିଡିଆ ପ୍ରାଥମିକତା ଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ରାଜନୀତି ଓ ସାମ୍ୱାଦିକତାକୁ ନେଇ ପ୍ରଜାତନ୍ତ୍ର ସମ୍ପାଦକ ତଥା ବିଜେଡି ସାଂସଦ ଭର୍ତ୍ତୃହରି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିତରେ ଥିବା ଏକମତ କିଛି ଅଲଗା ସଙ୍କେତ ଦେଇଥିଲା। କାରଣ ଧର୍ମେନ୍ଦ୍ରଙ୍କୁ ଅନ୍ତରଙ୍ଗ ବନ୍ଧୁ ବୋଲି ସମ୍ୱୋଧନ କରି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ତାଙ୍କୁ ବେଶ୍ ଆହ୍ଲାଦିତ କରିଛି ବୋଲି କହିଥିଲେ ଭର୍ତ୍ତୃହରି। କିନ୍ତୁ ସମ୍ପାଦକ ଭାବରେ ତେରେଛାବାଣ ମାରିବାକୁ ବି ଭୁଲିନଥିଲେ। ସମସ୍ତେ ଭଲରେ ଅଛୁ କହି କୁଢ଼ିଆ ହୋଇଗଲେ ଚଳିବନି। ବରଂ ନୂଆ ସଂକଳ୍ପ ନେଇ କିଛି ନୂଆ କରିବା ଦରକାର ବୋଲି କହିଛନ୍ତି ଭର୍ତ୍ତୃହରି। ରାଜନୀତି ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ପ୍ରଜାତନ୍ତ୍ରର ସୃଷ୍ଟି। କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ, ସମଷ୍ଟିଗତ ସ୍ୱାର୍ଥରେ ଏହା ନିହିତ। ଆଉ ଭର୍ତ୍ତୃହରିଙ୍କ କଥାକୁ ପୁଣି ଉଖାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ସମାନ କଥାର ଅବତାରଣା କରିବାକୁ ପଛାଇନାହାନ୍ତି।

ଏମିତିରେ ଭର୍ତ୍ତୃହରିଙ୍କ ଶାଣିତ ଲେଖାରେ ଅନେକ ଥର ଘାଇଲା ହୋଇଛି ବିଜେଡି। ଧୀରେ ଧୀରେ ଭର୍ତ୍ତୃହରି ବିଜେପିକୁ ଢଳୁଛନ୍ତି ବୋଲି ଅନେକ ଚର୍ଚ୍ଚା ଚାଲିଛି। ଆଉ ଅମିତ ଶାହା, ଧର୍ମେନ୍ଦ୍ରଙ୍କୁ ଡାକି ଗୋଟିଏ ମଞ୍ଚରେ ନବୀନ ବସିବେ କି ନା ବୋଲି ହେଉଥିବା ଚର୍ଚ୍ଚାର ଯଦିଓ ସୁଖଦ ଅବସାନ ହୋଇଛି। କିନ୍ତୁ ୨୪ ରୋଡମ୍ୟାପ ଭିତ୍ତିରେ ଭର୍ତ୍ତୃହରିଙ୍କ ସ୍ଥାନ ଓ ବିଜେଡିକୁ ହଟାଇ ବିଜେପି ଶାସନକୁ ଆସିବା ପାଇଁ ଦେଖୁଥିବା ସ୍ୱପ୍ନରେ କିଛି ପରିବର୍ତ୍ତନ ହେବ ନା ନାହିଁ, ତାହା ସମୟ କହିବ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *