ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ବିଜୁଳି ବିଲ୍ କୁ ଦେୟମୁକ୍ତ କରାଯାଉ

Spread the love

ବଲାଙ୍ଗିର : ୨୦୦ ୟୁନିଟ୍ ପର୍ଯ୍ୟନ୍ତ ସମସ୍ତ ବିଜୁଳି ବିଲକୁ ଦେୟମୁକ୍ତ କରିବା ପାଇଁ ପୁଣି ଥରେ ଦାବି ଉଠାଇଛି ଓଡିଶା ଆମ୍ ଆଦମୀ ପାର୍ଟି (ଆପ୍)। ଆଜି ସକାଳେ ବଲାଙ୍ଗିର ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଛନ୍ତି ଯେ, ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଆଉ କେବଳ ଆମ୍ ଆଦମୀ ପାର୍ଟିର ଦାବି ହୋଇ ରହିନାହିଁ ସାରା ଓଡ଼ିଶା ଏହି ଦାବି କରୁଛି। ଆସନ୍ତା ଜୁନ ୮ ରେ ଓଡ଼ିଶାର ହଜାର ହଜାର କାର୍ଯ୍ୟକର୍ତ୍ତା ଏବଂ ବଲାଙ୍ଗିରର ମଧ୍ୟ ଗାଁ ଗାଁ ରୁ ହଜାର ହଜାର ଜନସାଧାରଣ ଯିବେ ଏବଂ ତାଙ୍କର ଥିବା ଲକ୍ଷ ଲକ୍ଷ ଦସ୍ତଖତ ଏବଂ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

୨୦୨୧ ମସିହା ଅପ୍ରେଲ ମାସରେ ଆପ୍ ଓଡ଼ିଶା ତରଫରୁ ଏଥିପାଇଁ ବିଜୁଳି ସତ୍ୟାଗ୍ରହ ହୋଇଥିଲା ଏବଂ ଭୁବନେଶ୍ଵରରେ ଧାରଣାରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ୧୦ ଦିନ କାଳ ଅନଶନରେ ବସିଥିଲେ। ସମାଜର ବିଭିନ୍ନ ବର୍ଗର ଲୋକେ ଧାରଣା ସ୍ଥଳକୁ ଆସି ଏହାକୁ ସମର୍ଥନ ଜଣାଇଥିଲେ। ପରେ କୋଭିଡ ଜନିତ କଟକଣା ଓ ଆପ୍ ସର୍ବଭାରତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶ କ୍ରମେ ଏହି ସତ୍ୟାଗ୍ରହକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ପାର୍ଟିର ହଜାର ହଜାର କାର୍ଯ୍ୟକାର୍ତା ଘର ଘର ବୁଲି ଏହି ଦାବି ପାଇଁ ଦସ୍ତଖତ ସଂଗ୍ରହ କରିଥିଲେ । ବିଦ୍ୟୁତ୍ ଭଳି ଏକ ଅତ୍ୟାବଶ୍ୟକୀୟ ସେବା ପାଇଁ ଏପରି ଦସ୍ତଖତ ଅଭିଯାନ କରିବାରେ ଆପ୍ ହେଉଛି ଓଡିଶାରେ ଏକମାତ୍ର ଦଳ । ଏହି ଅଭିଯାନ ସମୟରେ ଜନତାଙ୍କର ଏହି ଦାବି ପ୍ରତି ବିପୁଳ ସମର୍ଥନ ରହିଥିବାର ଦେଖା ଯାଇଥିଲା । ଅତ୍ୟଧିକ ବିଦ୍ୟୁତ୍ ଦର ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ କାଟ, ଘରୋଇ ବିଦ୍ୟୁତ୍ ବିତରଣ ସଂସ୍ଥା ଟାଟା ପାୱାର ତରଫରୁ ଚଞ୍ଚକତାପୂର୍ଣ ଭାବେ ବିଳମ୍ବିତ ମିଟର ରିଡିଂ, ବିଜୁଳୀ କାଟ ଆଦି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ୨୦୧୫ ମସିହାରୁ ବି.ଏସ୍.ଇ.ଏସ୍ କମ୍ପାନୀ ବିଦ୍ୟୁତ୍ ବିତରଣ ଛାଡି ସାରିଥିବା ବେଳେ ସେତେବେଳେ କମ୍ପାନୀ ଉପରେ ବାକିଥିବା ୪୨୩୪ ଟଙ୍କାରୁ ସରକାର ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଆଦାୟ କରିବାରେ ସମର୍ଥ ହୋଇ ନାହାନ୍ତି। ଅଥଚ ଉପଭୋକ୍ତାଙ୍କ ଠାରୁ ଟାଟା ପାୱାର ଆସିବା ପୂର୍ବର ପୁରୁଣା ବିଲ୍ ବାବଦ ଟଙ୍କା ଜୋର ଜବରଦସ୍ତି ଆଦାୟ କରାଯାଉଛି । ଏପରିକି ୨୦୧୮ ମସିହାରେ ଯେଉଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ସୈାଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ବିଦ୍ୟୁତ୍ ସଂଯୋଗ କରିଥିଲେ ପରେ ସେମାନଙ୍କ ଠାରୁ ଅନ୍ୟାୟପୂର୍ଣ ଭାବେ ସିକ୍ୟୁରିଟି ଟଙ୍କା ଆଦାୟ କରାଗଲା। ଆପ୍ ଶାସିତ ଦିଲ୍ଲୀ ଓ ପଞ୍ଜାବରେ ଯଥାକ୍ରମେ ୨୦୦ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି। ଦିଲ୍ଲୀରେ ଏହି ଯୋଜନା ୨୦୧୯ରୁ ଆରମ୍ଭ ହୋଇଥିଲେ ମଧ୍ୟ ସେଠାରେ ଆପ୍ ସରକାର ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢାଇ ନାହିଁ, କୈାଣସି ଜିନିଷ ଉପରେ ଟିକସ ବଢାଇ ଏହା ଭରଣା କରିନାହିଁ, ଭିତ୍ତିଭୂମି ଜନିତ ବ୍ୟୟ ହ୍ରାସ କରି ନାହିଁ କିମ୍ବା ଋଣ କରି ନାହିଁ । କେବଳ ବ୍ୟବସ୍ଥାରେ ସୁସ୍ଥତା ଓ ଦୁର୍ନୀତି ହଟାଇ ମିତବ୍ୟୟିତା ଅବଲମ୍ବନ ଦ୍ଵାରା ଏହା ସମ୍ଭବ ହୋଇ ପାରିଛି । ଆପ୍ ଓଡ଼ିଶା ତରଫରୁ ଏଥିପାଇଁ ପୁସ୍ତିକା ବଣ୍ଟନ ହୋଇଛି ଯେଉଁଥିରେ ହିସାବ ଦିଆଯାଇଛି ଯେ, ଓଡ଼ିଶା ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଇଲେ ରାଜ୍ୟ ସରକାର, ବିଦ୍ୟୁତ୍ ବିତରକ କମ୍ପାନୀ ଓ ଉପଭୋକ୍ତା ଲାଭବାନ ହେବେ । ତା ଛଡା ଆଜିର ସମୟରେ ବିଦ୍ୟୁତ୍ ଆଉ ଏକ ବିଳାସ ସାମଗ୍ରୀ ହୋଇ ରହିନାହିଁ । ଏହା ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇ ଯାଇଛି। ଜୁନ୍ ଆଠ ତାରିଖରେ ଆପ୍ ଓଡ଼ିଶା ତରଫରୁ ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ଠାରୁ ଜନସାଧାରଣଙ୍କ ଦସ୍ତଖତ ଥିବା ଲକ୍ଷ ଲକ୍ଷ ଦାବିପତ୍ରକୁ ଏକ ଶୋଭାଯାତ୍ରା ମାଧ୍ୟମରେ ନିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ପାର୍ଟି ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି ଯେ, ଖୁବ୍ ଶୀଘ୍ର ଏହି ଦାବି ପୂରଣ ନହେଲେ ତୃତୀୟ ପର୍ଯ୍ୟାୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆପ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଚେତାବନୀ ଦେଇ ଆଗାମୀ ନିର୍ବାଚନରେ ବିଦ୍ୟୁତ୍ ଏକ ମୂଖ୍ୟ ପ୍ରସଙ୍ଗ ହେବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆପ ବଲାଙ୍ଗିର ଲିଗାଲ ସେଲ୍ ଇନଚାର୍ଜ ସୁଧୀର ପ୍ରଧାନ, ସମ୍ପାଦକ ଜୟପ୍ରକାଶ ମିଶ୍ର, ଟିଟଲାଗଡ ପ୍ରଭାରୀ ସଦାଶିବ ମେହେର,ସୋସିଆଲ ମିଡ଼ିଆର ସମ୍ରାଟ୍ କିଶୋର ଭୋଇ, ଅମିତ୍ ଧରୁଆ, ବରିଷ୍ଟ ନେତା ଚୈତନ୍ୟ ମଟାରି, କଣ୍ଟାବାଞ୍ଜି ପ୍ରଭାରୀ ରମାକାନ୍ତ ବେହେରା ଏବଂ ଅନ୍ୟ କାର୍ଯ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *