ବାହାନଗା ରେଳ ଦୁର୍ଘଟଣା ପାଇଁ ଉତରଦାୟୀ ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ – କଂଗ୍ରେସ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଗତ ଜୁନ-୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆରଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ୪ଦିନ ବିତିଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ । ଏହି ରିପୋର୍ଟକୁ ଚାପିରଖି ରେଳମନ୍ତ୍ରୀ ନିଜର ଉତ୍ତର ଦାୟୀତ୍ୱକୁ ଏଡାଇ ଦେବାପାଇଁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରେଳସୁରକ୍ଷା କମିଶନଙ୍କ ରିପୋର୍ଟରେ ବାହାନଗା ରେଳଦୁର୍ଘଟଣା କୌଣସି ଷଡ଼ଯନ୍ତ୍ର ପାଇଁ ନୁହଁ ବରଂ ଯାନ୍ତ୍ରିକ/ବୈଷୟିକ ତୃଟି ବା ସିଷ୍ଟମ ଫେଲିୱର ବୋଲି ଦର୍ଶାଯାଇଛି । ସେହି ଦୃଷ୍ଟିରୁ ଅଶ୍ୱିନୀ ବୈଷ୍ଣବ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି କଂଗ୍ରେସ ପକ୍ଷରୁ ଦଳର ପ୍ରବକ୍ତା ସୁର୍ଦଶନ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଗତକାଲି ଇଷ୍ଟକୋଷ୍ଟ ରେଲୱର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କୁ ବଦଳି କରି ରେଳମନ୍ତ୍ରୀ ତାଙ୍କର ଉତ୍ତର ଦାୟୀତ୍ୱରୁ ଖସିଯିବା ଦୁର୍ଭାଗ୍ୟଜନକ । ସିଷ୍ଟମ ଫେଲିୱର ଯଦି ବାହାନଗା ରେଲଦୁର୍ଘଟଣାର କାରଣ ତେବେ ସେଥିପାଇଁ ଅନ୍ୟ କେହି ନୁହଁ ବରଂ ଖୋଦ ରେଳବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ହିଁ ଦାୟୀ ।

ଜୁନ ୨ ତାରିଖର ଏହି ଭୟାବହ ଓ ହୃଦୟବିଦାରକ ରେଳ ଦୁର୍ଘଟଣା ପରେ ଖୋଦ ପ୍ରଧାନମନ୍ତ୍ରୀ ବାହାନଗା ଆସି ଘୋଷଣା କରିଥିଲେ ଯେ ଏହି ଦୁର୍ଘଟଣା ପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ସିଆରଏସର ରିପୋର୍ଟର ଆଧାରରେ ବର୍ତ୍ତମାନ ଯେତେବେଳେ ଖୋଦ ତାଙ୍କର ମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ ସେତେବେଳ ପ୍ରଧାମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେକି ବୋଲି କଂଗ୍ରେସ ତରଫରୁ ଦାସ ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନ ରେଳର ସର୍ବନିମ୍ନ ଭିତ୍ତିଭୂମି ଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି । ରେଳ ବିଭାଗର ୨ଲକ୍ଷ ୭୨ ହଜାର ପଦବୀ ଖାଲି ପଡ଼ିଛି । ରେଳ ଧାରଣା ଗୁଡ଼ିକର ମରାମତି ହେଉନାହିଁ । ଷ୍ଟେସନ ମାଷ୍ଟର, ସିଗ୍ନାଲ କର୍ମଚାରୀ, ସୁରକ୍ଷା କର୍ମଚାରୀ ମାନଙ୍କର ଘୋର ଅଭାବ ରହିଛି । ରେଳବାଇର ଅଫିସର ଓ କର୍ମଚାରୀମାନେ ଅଧିକ ସମୟ କାମକରିବାକୁ ବାଧ୍ୟ ହେଉଛନ୍ତି ଏବଂ ସେମାନେ ଗଭୀର ମାନସିକ ଚାପରେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ କି ରେଳ ଦୁର୍ଘଟଣା ଘଟୁଛି ।

ରଶ୍ମି ମହାପାତ୍ର ବିଜେପି ସରକାରର ରେଳବାଇର ଘରୋଇ କରଣର ତୀବ୍ର ବିରୋଧ କରିଥିଲେ । ରେଳବାଇର ମୌଳିକ ଭିତ୍ତିଭୂମି ପ୍ରତି ଦୃଷ୍ଟି ନଦେଇ କେବଳ ବୁଲେଟ ଟ୍ରେନ ବା ବନ୍ଦେ ଭାରତ ଟ୍ରେନ ଚଳାଇବା ଓ ଷ୍ଟେସନଗୁଡ଼ିକର ଉନ୍ନତି କରଣ ଉପରେ ଗୁରୁତ୍ୱ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ବାହାନଗା ରେଳଦୁର୍ଘଟଣାର ଉତ୍ତରଦାୟୀତ୍ୱ ନେଇ ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *