ଭୁବନେଶ୍ୱର : ଜୁନ୍ ୨, ୨୦୨୩ ଓଡ଼ିଶା ତଥା ଭାରତ ବର୍ଷର ରେଳ ଦୁର୍ଘଟଣା ଇତିହାସରେ ଏକ କଳାଦିନ । ହାୱାଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଷ୍ଟେସନ୍ଠାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲା । ଏପର୍ଯ୍ୟନ୍ତ ଜଣାପଡ଼ିଥିବା ରିପୋର୍ଟରୁ ପ୍ରକାଶ ଯେ, ୨୮୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦୩ ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ଜନସାଧାରଣ ଯଦି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡ଼ିଥିବା ଡବାଗୁଡ଼ିକରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ନଥାନ୍ତେ ଏବଂ ଡାକ୍ତରଖାନା ବୋହିନେଇ ନଥାନ୍ତେ, ତାହେଲେ ମୃତ୍ୟୁ ସଂଖ୍ୟା ଯେ କେତେ ହୋଇଥାନ୍ତା ତାହା କଳନା କରିହେବନାହିଁ ।
ଓଡ଼ିଶା ସରକାର ମଧ୍ୟ ଏହି ଦୁର୍ଘଟଣାକୁ ଗୁରୁତର ଭାବେ ନେଇ ନିଜେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କର କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିବା ସହିତ ରାଜସ୍ୱମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା, ଡିଜି ଫାୟାର ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆମ୍ବୁଲାନ୍ସ ଓ ଡାକ୍ତର ଟିମ୍ ସହିତ ଆହତମାନଙ୍କର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେବା ସରକାରଙ୍କର ଲୋକଙ୍କ ପ୍ରତି ଦରଦ ମନୋଭାବକୁ ପ୍ରତିଫଳିତ କରୁଛି ।
ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ଏକ ତିନିଜଣିଆ ପ୍ରତିନିଧି ଦଳ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ଯୁବନେତା ଭିକାରୀ ସେଠୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ, ପ୍ରଚାର ସର୍ବସ୍ୱ ରେଳ ବିଭାଗ ମନୁଷ୍ୟକୃତ ତ୍ରୁଟି ପାଇଁ ଅକାଳରେ ଏତେ ଧନ ଜୀବନ କ୍ଷତିଗ୍ରସ୍ତ ହେଲା । ଶହ ଶହ ଲୋକ ମୃତ୍ୟୁବରଣ କଲେ । ରେଳ ବିଭାଗ ଇତିହାସରେ ଏହି ଦୁର୍ଘଟଣା ଆଉ ଏକ କଳା ଇତିହାସ ହୋଇ ରହିଗଲା । ଏ ଦେଶରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଭଳି ରେଳ ଦୁର୍ଘଟଣା ପାଇଁ ଉତର ଦାୟିତ୍ୱ ନେବା ମନ୍ତ୍ରୀ ନାହାନ୍ତି ଯେ କି ନିଜକୁ ଦାୟୀ କରି ଇସ୍ତଫା ଦେବେ । ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯେ କି ପୂର୍ବରୁ ସେହି ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଥିଲେ ନିଜର ଉତରଦାୟିତ୍ୱ କାନ୍ଧ ଉପରକୁ ନେଇ ତୁରନ୍ତ ଇସ୍ତଫା ଦେବାକୁ ସମାଜବାଦୀ ପାର୍ଟି ଦାବି କରୁଛି । ଏହା ବ୍ୟତୀତ ତୁରନ୍ତ ମୁଖ୍ୟମନ୍ତ୍ରୀ ନିଜର ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାନମୂଳକ ସହାୟତା ଯୋଗାଇ ଦେବାସହିତ ଆହତମାନଙ୍କର ମାହଣା ଚିକିତ୍ସା କରିବା
ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ଏସ୍.ଆଇ.ଟି. ଗଠନ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ଓ ନିଜେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଯଦି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାରେ ଇସ୍ତଫା ନ ଦିଅନ୍ତି, ତାହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ବରଖାସ୍ତ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି । ବାହାନଗା ରେଳ ଦୁର୍ଘଟଣା ବିଗତ ୨୦/୨୫ ଇତିହାସରେ ସବୁଠାରୁ ବଡ଼ ଦୁର୍ଘଟଣା ଏବଂ ଭବିଷ୍ୟତରେ ଏହାର ଯେମିତି ପୁନରୁବୃତି ନଘଟେ ସେଥିପ୍ରତି ରେଳ ବିଭାଗ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ରେଳ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି । ସୁରକ୍ଷା ଓ ସମୟାନୁବର୍ତିତ ଯାହା ରେଳ ବିଭାଗର ମୌଳିକ କଥା, ସେ ଦୁଇଟିକୁ ଏ ବିଭାଗ ସମ୍ପୂର୍ଣ୍ଣ ଭୁଲିଯାଇଛି । ତେଣୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଳବାଇ ବିଭାଗ ରେଳ ଲାଇନ୍ ଗୁଡ଼ିକର ଆଧୁନିକୀକରଣ କରିବା, ସିଗ୍ନାଲ୍ ବ୍ୟବସ୍ଥାର ଉନ୍ନତି କରେଇବା ଏବଂ ଯାତ୍ରୀ ନିରାପତାକୁ ଗୁରୁତ୍ୱ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପ୍ରଚାର ସର୍ବସ୍ୱ ରେଳବାଇ କିଛି ସୌଖିନ ଟ୍ରେନ୍ ଚଳାଇ ଯାତ୍ରୀମାନଙ୍କୁ ଶୋଷଣ କରିବା ବନ୍ଦ କରୁ, ତା ନହେଲେ ଆଗାମୀ ଦିନରେ ରେଳବାଇକୁ ବହୁମୂଲ୍ୟ ଦେବାକୁ ପଡ଼ିବ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ଏଥିପାଇଁ ଦାୟୀ ରହିବେ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now