ଶ୍ରୀକୃଷ୍ଣ ଜିହାଦ ପାଠ ପଢାଇଥିଲେ ଅର୍ଜ୍ଜୁନଙ୍କୁ: ଶିବରାଜ

Spread the love

() ଜିହାଦକୁ ନେଇ ବିବାଦ ଓ ବିତର୍କ ସବୁବେଳେ ଛିଡ଼ା ହୋଇଛି। କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦର ପାଠ ପଢ଼ାଇଥିବା ନେଇ ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନକୁ ନେଇ ଏବେ ସବୁଠି ତୁମ୍ୱିତୋଫାନ। କାରଣ ଗୀତାରେ କୁଆଡ଼େ ଜିହାଦ ବାବଦରେ ଅବତାରଣା କରାଯାଇଛି ବୋଲି କହିଥିଲେ ଶିବରାଜ। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସକୁ ଅଣହିନ୍ଦୁ ବୋଲି ଆଖ୍ୟା ଦେଇ ଟାର୍ଗେଟ କରିଛି ବିଜେପି।

ଜିହାଦକୁ ନେଇ ମୁସଲିମ ଧର୍ମକୁ ସବୁବେଳେ ଆକ୍ଷେପ କରାଯାଉଛି। ଜିହାଦ ନାଁରେ ଅନେକ ଜଘନ୍ୟକାଣ୍ଡ ହେଉଛି ବୋଲି ସବୁବେଳେ ବିବାଦୀୟ ଓ ବିତର୍କିତ ଅଧ୍ୟାୟ ଜାରି ରହିଛି। କିନ୍ତୁ କେବଳ ଇସଲାମ ଧର୍ମରେ ଜିହାଦର ଚର୍ଚ୍ଚା ହୁଏନି। ଏହା କେବଳ କୁରାନରେ ନାହିଁ। ଏ କଥା ମହାଭାରତ ଭିତରେ ଗୀତାରେ ବି ଅବତାରଣା କରାଯାଇଛି। ଗୀତାର ଏକ ଭାଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବି ଏହାର ଶିକ୍ଷା ଦେଇଥିଲେ। ଭିତରେ ସ୍ୱଛ ବିଚାର ଥିବା ସତ୍ତ୍ୱେ କେହି ଏହାକୁ ବୁଝିବାକୁ ଅସମର୍ଥ ହେଲେ ଆବଶ୍ୟକସ୍ଥଳେ ବଳ ପ୍ରୟୋଗ କରିବାକୁ ହୁଏ। ଗୁରୁବାର ଦିଲ୍ଲୀର ମୋହସିନା କଦଓ୍ୱାଇ କିଦଓ୍ୱଇଙ୍କ ଜୀବନି ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ଅବସରରେ ଏଭଳି ମତ ଦେଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ୍।

ଆଉ ଏଭଳି ମନ୍ତବ୍ୟକୁ ନେଇ ଶିବରାଜ ଓ କଂଗ୍ରେସକୁ ବିଜେପି ଘେରିଛି। ଆମ୍ ଆଦମୀ ଦଳର ଗୋପାଳ ଇଟାଲିଆ ଓ ରାଜେନ୍ଦ୍ର ପାଲଙ୍କ ପରେ ଏବେ ଶିବରାଜ ପାଟିଲ୍ ହିନ୍ଦୁଙ୍କ ଭିତରେ ଘୃଣା ବାଣ୍ଟି ଭୋଟବ୍ୟାଙ୍କ ରାଜନୀତି କରିବାକୁ ପଛାଇଲେନି। ରାହୁଲ ଗାନ୍ଧୀ ବି ଲସ୍କର-ଏ-ତୋଏବାକୁ ହିନ୍ଦୁ ସମୂହଠୁ କମ୍ ବିପଦଜ୍ଜନକ ବୋଲି କହିଥିଲେ।

ସେପଟେ ବିବାଦ ବଢ଼ିବା ଦେଖି ଶିବରାଜ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି। ଯଦି ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରୁଛ,ତେବେ ତାକୁ ଜିହାଦ୍ କୁହାଯିବ। ତାଙ୍କୁ ମାରିବାର କାମକୁ ଜିହାଦ୍ କୁହାଯିବ। ଯାହା ନିଜର ଦାୟିତ୍ୱ, ତାକୁ କରିବାକୁ ପଡ଼ିବ। ଜିହାଦର ପରିଭାଷା କଅଣ ବୋଲି ପାଲଟା ପଚାରିଛନ୍ତି। ଭଗବାନ ଏକ୍। ତାଙ୍କର କୌଣସି ରୂପ, ରଙ୍ଗ ଓ ଆକାର ନାହିଁ। ମୁସଲିମ ଓ ଖ୍ରୀଷ୍ଟ ଧର୍ମରେ ଏହାର ଉଲ୍ଲେଖ ରହିଛି। ଯଦି ଭଗବାନ ନାହାନ୍ତି, ତେବେ ବ୍ରହ୍ମାଣ୍ଡ ସୃଷ୍ଟିର ଆଧାର କଅଣ। ତେବେ ଏ ବିବାଦୀୟ ମନ୍ତବ୍ୟରୁ କଂଗ୍ରେସ ନିଜକୁ ଯଥାସମ୍ଭବ ଦୂରେଇ ରଖିଛି।

୨୦୦୪ରୁ ୨୦୦୮ ଯାଏ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ ପାଟିଲ୍। ୧୯୯୧ରୁ ୧୯୯୬ ଯାଏ ଲୋକସଭାର ବାଚସ୍ପତି ବି ଥିଲେ। ୨୦୧୦ରୁ ୨୦୧୫ ଯାଏ ପଞ୍ଜାବର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଚଣ୍ଡୀଗଡ଼ର ପ୍ରଶାସକ ବି ଥିଲେ ପାଟିଲ୍। ଯେଉଁ ସଭାରେ ଏଭଳି ମନ୍ତବ୍ୟ ଦେଇଥିଲେ, ସେଠାରେ ଶଶୀ ଥରୁର, ଦିଗବିଜୟ ସିଂଙ୍କ ଭଳି ବହୁ ତୁଙ୍ଗ କଂଗ୍ରେସ ନେତା ବି ଉପସ୍ଥିତ ଥିଲେ। ଫାରୁକ ଅବଦୁଲା, ସୁଶୀଲ ସିନ୍ଦେ ବି ଉପସ୍ଥିତ ଥିଲେ ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *