ନିଲମ୍ବିତ ୪ ସାଂସଦଙ୍କ ନିଲମ୍ବନ ରଦ୍ଦ

Spread the love

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ରଦ୍ଦ କରାଯାଇଛି। ସୋମବାର ଦିନ ନିମ୍ନ ଗୃହରେ ଏକ ପ୍ରସ୍ତାବ ପାରିତ କରାଯାଇ ନିଲମ୍ବନକୁ ଉଠାଇ ନିଆଯାଇଛି। ମୌସୁମୀ ଅଧିବେଶନ ଆରମ୍ଭରୁ କଂଗ୍ରେସ ସାଂସଦଙ୍କ ଦ୍ବାରା ବାରମ୍ବାର ଗଣ୍ଡଗୋଳ ଦ୍ବାରା ଗୃହ ଚାଳିପାରି ନ ଥିଲା। ଏହାକୁ ନେଇ ଲୋକସଭା ସ୍ପିକର ଓମ ବିର୍ଲା କଂଗ୍ରେସ ସାଂସଦ ମନିକମ ଟାଗୋର, ରମ୍ୟା ହରିଦାସ, ଟି ଏନ ପ୍ରଥପାନ ଓ ଏସ ଜୋଥି ମନିଙ୍କୁ ମୌସୁମୀ ଅଧିବେଶନର ବାକି ଦିନଗୁଡିକ ପାଇଁ ନିଲମ୍ବନ କରିଥିଲେ।

ସୋମବାର ଦିନ ଏକ ସ୍ବତନ୍ତ୍ର ପ୍ରସ୍ତାବ ମାଧ୍ୟମରେ ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନକୁ ରଦ୍ଦ କରିବା କାଳରେ ଲୋକସଭା ସ୍ପିକର କହିଛନ୍ତି କି, କଂଗ୍ରେସର ନିଲମ୍ବିତ ସାଂସଦମାନଙ୍କୁ ଶେଷ ସୁଯୋଗ ଦିଆଯାଉଛି। ଏହା ପରେ ଗୃହ ଭିତରକୁ କୌଣସି ପ୍ଲାକାର୍ଡ ଅଣାଯିବା ନାହିଁ। ଯଦି ଏପରି ହୁଏ ତେବେ ନା ମୁଁ ସରକାର କଥା ଶୁଣିବି ନାହିଁ ଶୁଣିବି ବିରୋଧୀଙ୍କର, ବରଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
ଜୁଲାଇ ୨୬ ତାରିଖରେ ସ୍ପିକର ଓମ ବିର୍ଲା ମୌସୁମୀ ଅଧିବେଶନର ବାକି ଦିନ ଗୁଡିକ ପାଇଁ ୪ କଂଗ୍ରେସ ସାଂସଦଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ନିଲମ୍ବିତ କରିଥିଲେ। ନିଲମ୍ବିତ ସାଂସଦଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି ଦେଇ ସରକାରକୁ ଘେରିବାକୁ ଚେଷ୍ଟା କରିଥିଲେ। ମୁଖ୍ୟତଃ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ଗୃହକୁ ଅଚଳ ସ୍ଥିତିକୁ ନେଇ ଆସିଥିଲେ। ବିରୋଧୀଙ୍କ କାର୍ଯ୍ୟରେ ଅତିଷ୍ଠ ସ୍ପିକରଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ କେହି ତାଙ୍କ ତାଗିଦକୁ ମାନି ନ ଥିଲେ।

କଂଗ୍ରେସ ସମେତ ଟିଏମସି, ଡିଏମକେ ଆଦି ସମସ୍ତ ବିରୋଧୀ ସଦସ୍ୟଙ୍କୁ ପୂର୍ବରୁ ସ୍ପିକର କହିଥିଲେ କି, ଯେଉଁମାନେ ପ୍ଲାକାର୍ଡ ଦେଖାଉଛନ୍ତି କି ସ୍ଲୋଗାନ ଦେଉଛନ୍ତି, ସେମାନେ ଗୃହ ବାହାରକୁ ଯାଇ କରନ୍ତୁ। କିନ୍ତୁ ଏହାକୁ ବିରୋଧୀ ଖାତିର କରି ନ ଥିଲେ ଓ ଦୁଇ ଥର ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହାଲ୍ଲା କରାଯାଇଥିଲା। ଏହା ଦ୍ବାରା ଗୃହର କାର୍ଯ୍ୟଧାରା ବାହତକୁ ନେଇ କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋୟଲ ଓ ପ୍ରହଲ୍ଲାଦ ଯୋଶୀ ଚିନ୍ତା ପ୍ରକଟ କରିଥିଲେ।

ଆଜି ନିଲମ୍ବନ ଉଠିବା ପରେ ପିୟୁସ ଗୋୟଲ ଗଣମାଧ୍ୟମକୁ କହିଛନ୍ତି କି, କେନ୍ଦ୍ର ସରକାର ଅଧିବେଶନର ପ୍ରଥମ ଦିନରୁ ମୁଦ୍ରାସ୍ପିତୀକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ବିରୋଧୀ ଏହା ଉପରେ ଲୋକସଭାରେ ଆଲୋଚନା କରିବାକୁ ଦେଇ ନ ଥବଲେ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ମଧ୍ୟ ହୋଇଥିଲେ। ବିରୋଧୀଙ୍କ ବିରୋଧ ପରେ ସେ ସୁସ୍ଥ ହେବା ପରେ ତୁରନ୍ତ ଏହା ଉପରେ ଗୃହକୁ ସ୍ବାଭାବିକ ଭାବେ ଚଳାଇବାକୁ ସେମାନଙ୍କୁ ଆବେଦନ କରିଛନ୍ତି। ଏହା ସତ୍ତ୍ବେ ବିରୋଧୀ ଆଲୋଚନାକୁ ନ ଆସି ଗୃହକୁ ଅଚଳ କରୁଛନ୍ତି।

ଗୋୟଲ ଆହୁରି ମଧ୍ୟ କହିଛନ୍ତି କି,  ବିରୋଧୀ ସାଂସଦମାନେ ସେମାନଙ୍କ ବ୍ୟବହାରକୁ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ନତୁବା ସେମାନଙ୍କ ନେତା ଗୃହକୁ ଅଶ୍ବସ୍ତ କରନ୍ତୁ କି, ଆଗାମୀ ଦିନରେ ସାଂସଦମାନେ ପ୍ଲାକାଡ ଧରି ଗୃହ ଭିତରକୁ ଆସିବେ ନାହିଁ। ଏହା ପରେ ସରକାର ସେମାନଙ୍କ ସାଂସଦଙ୍କ ନିଲମ୍ବନ ଉଠାଇବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରହଲ୍ଲାଦ ଯୋଶୀ ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିବା ସହ ସଂସଦ ଭିତରେ ପ୍ଲାକାର୍ଡ ପ୍ରଦର୍ଶନ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଆହୁରି କହିଥିଲେ କି, ଆମ ନିକଟରେ ଅନେକ ବିଲ ପାସ କରିବାକୁ ରହିଛି। କିନ୍ତୁ ଦୁର୍ଭାଗ୍ୟ ବଶତଃ , ଗୃହକୁ ଆଡର୍ଜନ କରିବାକୁ ହେଉଛି।

Leave a Reply

Your email address will not be published. Required fields are marked *