ମମତା କ୍ୟାବିନେଟର ହେବ ନବକଳେବର

Spread the love

କୋଲକାତା: ପଶ୍ଚିମ ବଙ୍ଗ କ୍ୟାବିନେଟର ରୂପରେଖ ବଦଳିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଏହା ଉପରେ ଘୋଷଣା କରିଛନ୍ତି କି, ବୁଧବାର ଦିନ ରାଜ୍ୟ କ୍ୟାବିନେଟରେ ହେବ ଅଦଳବଦଳ। ଆମେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବା ସହ ୪-୫ ଜଣ ନୂଆ ମୁହଁଙ୍କୁ ସ୍ଥାନ ଦେବୁ ବୋଲି ମମତା କହିଛନ୍ତି।

ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିବା ସହ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ କରିଛି। ପାର୍ଥଙ୍କ ଗିରଫଦାରୀ ପରେ ସେ ଦାୟିତ୍ବରେ ଥିବା ଶିଳ୍ପ, ବ୍ୟାପାର, ଉଦ୍ୟୋଗ, ସୂଚନା ଓ ପ୍ରଯୁକ୍ତି ତଥା ବୈଦ୍ୟୁତିକ, ସାଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ଓ ଶିଳ୍ପ ପୁନର୍ନିମାଣ ବିଭାଗ ଏବେ ମନ୍ତ୍ରୀ ଶୂନ୍ୟ ହୋଇଯାଇଛି। ତେଣୁ ଖାଲି ପଡିଥିବା ବିଭାଗର ଦାୟିତ୍ବ ମୁଖ୍ୟମନ୍ତ୍ରୀ ନିଜ ଅଧୀନକୁ ନେଇଥିଲେ।

ବର୍ତ୍ତମାନ ମମତା ୧୧ଟି ବିଭାଗର ଦାୟିତ୍ବରେ ରହିଛନ୍ତ, ଯେଉଁଥିରୁ ୪ଟି ବିଭାଗ ରହିଛି ପାର୍ଥ ଚାଟାର୍ଜୀଙ୍କର। ଏତେ ବିଭାଗର ଦାୟିତ୍ବ ନେବା ଦିଦିଙ୍କ ପକ୍ଷରେ ଅସମ୍ଭବ ହୋଇଯାଇଛି। ଏସମ୍ବନ୍ଧରେ ଦିଦି କହିଛନ୍ତି କି, ଆମର ମନ୍ତ୍ରୀମଣ୍ଡଳ ଭାଙ୍ଗିବାର କୌଣସି ଯୋଜନା ନାହିଁ। କେବଳ ମନ୍ତ୍ରୀମଣ୍ଡଳରେ ସାମାନ୍ୟ ଅଦଳବଦଳ ହେବ। କାରଣ ସୁବ୍ରତ ମୁଖାର୍ଜୀ, ସାଧନ ପାଣ୍ଡେ, ପାର୍ଥ ଦା ବର୍ତ୍ତମାନ ଜେଲରେ ଅଛନ୍ତି, ସେମାନଙ୍କ କାମ କରିବାକୁ ହେବ। କିନ୍ତୁ ଏକା ମୁଁ ଏସବୁ ସମ୍ଭାଳିବା ସମ୍ଭବ ନୁହେଁ।

ଏହି ନିଷ୍ପତ୍ତି ବ୍ୟତୀତ ମମତା ସରକାର ରାଜ୍ୟର ୨୩ ଜିଲ୍ଲା ମଧ୍ୟରୁ ୭ଟି ନୂଆ ଜିଲ୍ଲା ବାହାର କରିବାକୁ ସୀମା ନିର୍ଦ୍ଦାରଣ କରିବାକୁ ମଧ୍ୟ ଯାଉଛି। ସୋମବାର ଦିନ ଏହାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଜିଲ୍ଲାର ଭୌଗୋଳିକ ବିକାଶ ସହ ପ୍ରଶାସନିକ ବିକାଶ ସହଜ ହେବ।  ନୂଆ ହେବାକୁ ଯାଉଥିବା ୭ ଜିଲ୍ଲାରେ ରହିଛି ସୁନ୍ଦର ବନ, ଇଚ୍ଛାମତି, ରଣଘାଟ, ବିଷ୍ଣୁପୁର, ଜାଙ୍ଗିପୁର, ବେହରାମପୁର ଓ ଆଉ ଗୋଟିଏ ଜିଳ୍ଲା ରହିଛି ବସିର ହାଟ ବୋଲି ସୂଚନା ଦେଇଛନ୍ତି ମମତା।

ତେବେ ଦିଦିଙ୍କ ନୂଆ ଜିଲ୍ଲା ଗଠନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲଭିୟ। ମାଲଭିୟ କହିଛନ୍ତି କି, ଏସଏସସି ସ୍କାମରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ମମତା ବାନାର୍ଜୀ ନୂଆ ୭ଟି ଜିଲ୍ଲା ଗଠନ କରି ନୂଆ ଚେହେରାଙ୍କୁ ସମ୍ମୁଖକୁ ଆଣୁଛନ୍ତି। ତେବେ ମମତାଙ୍କୁ କହିବାକୁ ହେବ, କେଉଁଠାରୁ ଋଣଗ୍ରସ୍ତ ପଶ୍ଚିମ ବଙ୍ଗ ସରକାର ପାଖରୁ ଅର୍ଥ ଆସିବ ନୂଆ ଜିଲ୍ଲା ଗଠନ ପାଇଁ। ଏବେ ମଧ୍ୟ ପରେଶ ଅଧିକାରୀ କ୍ୟାବିନେଟରେ ରହିଛନ୍ତି, ତେଣୁ ନୂଆ ଚେହେରା ସେହି ଦାଗ ଧୋଇ ପାରିବ ନାହିଁ ବୋଲି ମାଲଭିୟ କହିଛନ୍ତି।

ପରେଶ ଅଧିକାରୀ ହେଉଛନ୍ତି ବର୍ତ୍ତମାନର ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ। ପାର୍ଥଙ୍କ ଶିକ୍ଷକ ନିଯୁକ୍ତି ଘୋଟାଲାରେ ତାଙ୍କ ଘରେ ମଧ୍ୟ ରେଡ କରିଛି ଇଡି।

Leave a Reply

Your email address will not be published. Required fields are marked *