ଟ୍ରମ୍ପ ଶାସନ- ୬ଘଣ୍ଟା ଭିତରେ ବଦଳିଲା ୭୮ ନିଷ୍ପତ୍ତି

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱରେ ଶାନ୍ତି ଚାହୁଁ। କୌଣସି ରାଷ୍ଟ୍ରର ଯୁଦ୍ଧରେ ଆମେରିକା ଏଣିକି ମୁଣ୍ଡ ପୁରାଇବନି ବୋଲି କହିଛନ୍ତି ଟ୍ରମ୍ପ। ବିଶ୍ୱକୁ ଆତଙ୍କବାଦ ମୁକ୍ତ ସହ ଆମେରିକାକୁ ଅନୁପ୍ରବେଶ ଶୂନ୍ୟ କରିବୁ ବୋଲି ପଣ ନେଇଛନ୍ତି। ମେକ୍ସିକୋ ସୀମାରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କଠୋର ହେବ ଆମେରିକା। ପାନାମା କେନାଲରେ ପୁଣି ଅଧିକାର ସାବ୍ୟସ୍ତ କରିବ ଆମେରିକା। ମହଙ୍ଗା ନିୟନ୍ତ୍ରଣ ହେବ। ବିଶ୍ୱ ଟ୍ରମ୍ପଙ୍କୁ ଶାନ୍ତି ପାଇଁ ମନେ ରଖୁ ବୋଲି କହିଛନ୍ତି ଶପଥ ସମାରୋହରେ। ପ୍ରବଳ ଥଣ୍ଡା କାରଣରୁ ଶପଥ ସମାରୋହ ସଂସଦ ଭବନ ଭିତରେ ହୋଇଥିଲା।

କେବଳ ଏତିକି ନୁହେଁ। ଗୋଟିଏ ପରେ ଗୋଟିଏ ଘୋଷଣା ଭିତରେ ଯେତେବେଳେ ଦକ୍ଷିଣ ସୀମାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ କହିଥିଲେ, ସେତେବେଳେ ଟ୍ରମ୍ପଙ୍କୁ ବିପୁଳ ସମର୍ଥନ ମିଳିଥିଲା। ଏ ସବୁ ଘୋଷଣା ଭିତରେ ଏଲଜିବିଟିକୁ ନେଇ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକାରେ କେବଳ ଦୁଇଟି ଲିଙ୍ଗ ପୁରୁଷ ଓ ମହିଳା ରହିବେ। ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବନି ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ। ସାରା ବିଶ୍ୱରେ ଏଲଜିବିଟି ସମୁଦାୟ ମୁଖର ଥିଲା ବେଳେ ଏମାନଙ୍କ ଲାଗି ଏଭଳି ଅଙ୍କୁଶ ଲାଗିଛି। ଶପଥ ସମାରୋହରେ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଥିଲେ ଟ୍ରମ୍ପ। ଗଲା ୪ ବର୍ଷର ବାଇଡେନ୍ ସରକାରରେ ଦୁର୍ନୀତି ଚରମରେ ପହଞ୍ଚିଥିବା କହିଛନ୍ତି।

ଶାସନ ମଙ୍ଗ ଧରିବା ପରେ ଅର୍ଥାତ ଶପଥ ସମାରୋହର ୬ ଘଣ୍ଟା ଭିତରେ ବାଇଡେନ୍ ସରକାରଙ୍କ ୭୮ ନିଷ୍ପତ୍ତି ବଦଳାଇଛନ୍ତି ଟ୍ରମ୍ପ୍। ପାରିସ୍‌ କ୍ଲାଇମେଟ୍ ଡିଲ୍‌ରୁ ଆମେରିକାକୁ ବାହାର କରାଯାଇଛି। କାନାଡ଼ା ଓ ମେକ୍ସିକୋ ଉପରେ ଫେବୃଆରୀ ପହିଲାରୁ ୨୫ ପ୍ରତିଶତ ଅଧିକ ବିଜୁଳି ବୋଝ ଲଦିବ ଆମେରିକା। ହ୍ୱାଇଟ୍ ହାଉସରେ ପହଞ୍ଚିବା ପରେ ଅନେକ ଆଦେଶ ଉପରେ ଦସ୍ତଖତ କରିଥିଲେ। ଜାନୁଆରୀ ୬, ୨୦୨୧ରେ ସଂସଦ ପରିସର ହିଂସାରେ ୧୬ଶହ ଅଭିଯୁକ୍ତଙ୍କୁ କ୍ଷମା, ମୁକ୍ତି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରିବା ନିଷ୍ପତ୍ତି ସାମିଲ୍ ଅଛି। ଏହା ସହ ନିଯୁକ୍ତି ଓ ଓ୍ୱାର୍କ ଫ୍ରମ୍ ହୋମ ଉପରେ ରୋକ୍ ଲଗାଇଦିଆଯାଇଛି। ସମସ୍ତେ ଅଫିସ ଆସି କାମ କରିବେ। କେବଳ ସେନାରେ ନିଯୁକ୍ତିକୁ ଅନୁମତି ଦିଆଯାଇଛି। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶର ତାଲିକାରେ ପୁଣି କ୍ୟୁବା କୁ ଯୋଡ଼ିଛନ୍ତି ଟ୍ରମ୍ପ। ବାଇଡେନ ଚଳିତ ମାସରେ ଏହି ତାଲିକାରୁ କ୍ୟୁବାକୁ ବାହାର କରିଥିଲେ। ଔଷଧ ଦର କମ୍ ନିଷ୍ପତ୍ତିକୁ ବି ବଦଳାଇଦେଇଛନ୍ତି ଟ୍ରମ୍ପ୍। ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା କହି ଟ୍ରମ୍ପ ବାଇଡେନ୍ ସରକାରଙ୍କ ୭୮ ନିଷ୍ପତ୍ତି ମାତ୍ର ୬ ଘଣ୍ଟାରେ ବଦଳାଇଦେଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *