ତେଲେଙ୍ଗାନା ପଲିଟିକ୍ସରେ ଟ୍ବିଷ୍ଟ

Spread the love

() ଟିଆରଏସ ବିଧାୟକଙ୍କ ସହ ମୂଲଚାଲକୁ ନେଇ ତେଲେଙ୍ଗାନା ରାଜନୀତିରେ ହଇଚଇ। ସଂଖ୍ୟା ଗଣିତକୁ ଦେଖିଲେ, ଯଦିଓ ଟିଆରଏସକୁ କୌଣସି ବିପଦ ନାହିଁ। ତଥାପି ୪ ବିଧାୟକଙ୍କୁ କିଣିବାକୁ ହୋଇଥିବା ଡିଲ୍ କୁ ନେଇ ବିଜେପି ଅକଳରେ ପଡ଼ିଯାଇଛି। କାରଣ ମଧ୍ୟସ୍ଥି ଭୂମିକାରେ ଥିବା ନନ୍ଦ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ଘନିଷ୍ଠ ବୋଲି କୁହାଯାଇଛି। ସେପଟେ ସୋସିଆଲ ମିଡ଼ିଆରେ ବି ଆରୋପ ପ୍ରତ୍ୟାରୋପର ଝଡ଼ ବହିବା ସହ ରାଜନୈତିକ ମୈଦାନରେ ବି ଜାରି ରହିଛି ତୁତୁମେମେ।

ବିଜେପିର ଏଜେଣ୍ଟ ସାଜି ଟିଆରଏସର ୪ ବିଧାୟକଙ୍କୁ କିଣିବାକୁ ମୂଲଚାଲ କରୁଥିଲେ ଫାର୍ମ ହାଉସରେ। ହେଲେ ସବୁ ଫସର ଫାଟିଗଲା। ଯାହାକୁ ବଶ କରିବାକୁ ଚାହୁଁଥିଲେ, ସେହି ୪ ବିଧାୟକ ନିଜେ ପୁଲିସକୁ ସୂଚନା ଦେଇ ସବୁ ଭାଣ୍ଡିଆ କରିଦେଲେ।କିଛି ଏଭଳି ପଲିଟିକାଲ ଡ୍ରାମାକୁ ନେଇ ବୁଧବାର ରାତିରୁ ତେଲେଙ୍ଗାନାରେ ଜାରି ରହିଛି ହଇଚଇ।  ତିନି ଜଣ ଯାକ ଏଜେଣ୍ଟକୁ ପୁଲିସ ଗିରଫ କରିଛି। ଆଉ ଗିରଫ ନନ୍ଦ କୁମାରଙ୍କ ସହ କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କର ଘନିଷ୍ଠତାର ଫଟୋକୁ ସେୟାର କରିଛନ୍ତି ସୋସିଆଲ ମିଡ଼ିଆରେ ଟିଆରଏସର ସୋସିଆଲ ମିଡ଼ିଆ ଆବାହକ ଏମ.କ୍ରିଷାଙ୍କ। ଯଦିଓ ବିଜେପି ଏହାକୁ କେସିଆରଙ୍କ ହିନ୍ଦୁତ୍ୱ ବିରୋଧୀ ଏଜେଣ୍ଡା କହି  ହିନ୍ଦୁଙ୍କୁ ନୀଚ ଦେଖାଇବାକୁ ଯାଇ ଏଭଳି ପ୍ରାୟୋଜିତ ରେଡ୍ ବୋଲି ଅଭିହିତ କରିଛି। କାରଣ ଡିଲ୍ ବେଳେ ସ୍ୱାମୀ ରାମଚନ୍ଦ୍ର ଭାରତୀ ବି ଉପସ୍ଥିତ ଥିଲେ। ହରିଆଣା ଫରିଦାବାଦର ଏକ ମନ୍ଦିରରେ ପୂଜକ ଅଛନ୍ତି ରାମଚନ୍ଦ୍ର। ନଭେମ୍ୱର ୩ରେ ମୁନୁଗୋଡ଼େ ଉପନିର୍ବାଚନ। କିନ୍ତୁ ତା  ଆଗରୁ ହାଇଦ୍ରାବାଦରେ ଏଭଳି ଚଢ଼ାଉ, ନଗଦ ଶହେ କୋଟି ଜବତ ସହ ଗିରଫଦାରି ପ୍ରସଙ୍ଗ ତେଲେଙ୍ଗାନା ରାଜନୀତିରେ ହଇଚଇ ଖେଳାଇଦେଇଛି। ସେପଟେ ଏଭଳି ଘଟଣାକୁ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀ। ବିଆରଏସ ଅନ୍ୟ ଦଳର ବିଧାୟକ, କର୍ପୋରେଟର ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କୁ କିଣିବାରେ ଅଭ୍ୟସ୍ତ। କଂଗ୍ରେସ, ବିଏସପି, ଟିଡିପି ଓ ସିପିଆଇରୁ ଏଭଳି କିଣିବା ଓ ଆଣିବାର ନଜିର୍ ରହିଛି। ସେପଟେ ମଧ୍ୟସ୍ଥି ନନ୍ଦ କୁମାର ଏଭଳି ଡିଲ୍ ବାବଦରେ ଜାଣିନାହାନ୍ତି ବୋଲି ପୁଲିସକୁ ସଫେଇ ଦେଇଛନ୍ତି। ଫାର୍ମ ହାଉସରେ ସେ ଏକ ପୂଜା ପାଇଁ ଥିଲେ। ବିଜେପି ଏହି ଘଟଣାରେ ହାଇକୋର୍ଟର ଜଣେ ସିଟିଂ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି।

ମୋଇନାବାଦ ଅଜିଜନଗରରେ ଥିବା ଫାର୍ମହାଉସରେ ଏହି ଡିଲ୍ ରେ ଫରିଦାବାଦର ମନ୍ଦିର ପୂଜକ ସ୍ୱାମୀ ରାମଚନ୍ଦ୍ର, ତିରୁପତିର ଡି.ସିମାୟୁଜି ଓ ହାଇଦ୍ରାବାଦର ବ୍ୟବସାୟୀ ନନ୍ଦକୁମାର ମଧ୍ୟସ୍ଥି ସାଜିଥିଲେ। ମୁନିଗୋଡ଼େ ଆସନରୁ ସିଟିଂ ବିଧାୟକ କେ.ରାଜଗୋପାଳ ରେଡ୍ଡୀ କଂଗ୍ରେସ ଛାଡ଼ି କିଛି ମାସ ଆଗରୁ ବିଜେପିରେ ସାମିଲ୍ ହୋଇଥିଲେ। ଏବେ ରେଡ୍ଡୀ ବିଜେପି ଟିକଟରୁ ଏହି ଆସନରେ ଉପନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଟିଆରଏସର ପୂର୍ବତନ ବିଧାୟକ କେ.ପ୍ରଭାକର ରେଡ୍ଡୀ ଓ କଂଗ୍ରେସର ପି.ଶ୍ରାବନ୍ତୀ ରେଡ୍ଡୀଙ୍କ ସହ ମୈଦାନରେ ପ୍ରତିଦ୍ୱନ୍ଦୀ ସାଜିଛନ୍ତି।ସଂଖ୍ୟା ଗଣିତ ଦୃଷ୍ଟିରୁ ଟିଆରଏସ ବା ଏବେ ନୂଆ ନାଁ ପାଇଥିବା ବିଆରଏସ ଦଳ ପ୍ରତି କୌଣସି ବିପଦ ନାହିଁ। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଏକାକୀ ୧୦୩ ଆସନ ହାତେଇଛି ବିଆରଏସ। ବିଜେପି ହାତରେ ମାତ୍ର ଦୁଇଟି ଆସନ ଥିଲା ବେଳେ କଂଗ୍ରେସ ହାତରେ ୫ ଓ ଏଆଇଏମଆଇଏମ ହାତରେ ୭ଟି ଆସନ ରହିଛି। ସେପଟେ ୪ ବିଧାୟକ ମିଳିତ ପ୍ରେସମିଟ୍ କହି କିଭଳି ସେମାନଙ୍କ ସହ ମୂଲଚାଲ ହୋଇଥିଲା ଓ ଏହା ପଛରେ କିଏ ସବୁ ମାଷ୍ଟରମାଇଣ୍ଡ ଥିଲେ, ତାହାର ଅବତାରଣା କରିଛନ୍ତି।

ଏମିତିରେ ବିଆରଏସ ମୁଖ୍ୟ କେସିଆର ରାଷ୍ଟ୍ରୀୟସ୍ତରରେ ବିଜେପି ବିରୋଧୀ ମିଳିତ ମେଣ୍ଟ ଲାଗି ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟକୁ ରାଜ୍ୟ ବୁଲି ମୋଦି ବିରୋଧୀ ଶକ୍ତିକୁ ଏକଜୁଟ୍ କରୁଛନ୍ତି। ଆଉ ଏତିକିବେଳେ ତେଲେଙ୍ଗାନାରେ ତାଙ୍କରି ଦଳର ବିଧାୟକଙ୍କୁ କିଣାବିକା ମାମଲା ଜଟିଳ ହେବାକୁ ଲାଗିଲାଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *