ଭେଙ୍କିଆ ନାଇଡୁଙ୍କ ଆଖିରେ ଲୁହ

Spread the love

ରାଜ୍ୟସଭାରେ ଭେଙ୍କିଆ ନାଇଡୁଙ୍କୁ ଫେୟାରଓ୍ୱେଲ ଦେଲା ବେଳେ କାନ୍ଦି ପକାଇଛନ୍ତି ଭେଙ୍କିଆ। ଭାବପ୍ରବଣ ହୋଇ ଉଠିଥିଲେ ନାଇଡ଼ୁ। ତେବେ ତାଙ୍କ ବ୍ୟକ୍ତିତ୍ୱ, ବିଚାରାଧାରା ଓ ସର୍ବୋପରି ଗୃହ ପରିଚାଳନାର ଅନେକ ଅଭୂଲା ଦିଗର ସ୍ମୃତିଚାରଣ ବେଳେ ଅନେକ ସଭ୍ୟ ଯେଭଳି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ, ତାହାର ଅବତାରଣା କରିଛନ୍ତି। ଆଉ ବିଶେଷ କରି ମନୋଜ କୁମାରଙ୍କ ଡିନର୍ ଥିଓରୀ, ରାଘବ ଚଢ଼ାଙ୍କ ପ୍ରେମ ଫଣ୍ଡା, ଜୟରାମ ରମେଶଙ୍କ ଟାଇମ ଅଫ୍ ସେପାରେସନ ଥିଓରୀ ଓ ପିୟୁଷଙ୍କ ମାତୃଭାଷା ପ୍ରେମ ସୂଚାଉଥିଲା। ସତରେ ଭେଙ୍କିଆ ସ୍ୱତନ୍ତ୍ର। ସତରେ ଭେଙ୍କିଆଙ୍କ ଭଳି ବ୍ୟକ୍ତିତ୍ୱ ନିଆରା। ପ୍ରଫେସର ମନୋଜ କୁମାରଙ୍କ ମତରେ, ସମୟ ମୂଲ୍ୟବାନ ବୋଲି କିଏ ଯଦି ତାଙ୍କୁ ବୁଝେଇଥିଲା ଓ ସେ ବୁଝିଥିଲେ, ସେ ହେଉଛନ୍ତି ଭେଙ୍କିଆ। ଟାଇମ ଇଜ୍ ଅପ୍‌ ବୋଲି ସଂସଦରେ ଯେଭଳି ଭେଙ୍କିଆ ଧାର୍ଯ୍ୟ ସମୟରୁ ଅଧିକ କହିଲେ ଏଭଳି କହି ବନ୍ଦ କରିଦେଉଥିଲେ। ତାହା ମନରେ ଏତେ ଜୋରରେ ରହିଯାଇଛି କି, ୫୦ ମିନିଟର୍ କ୍ଲାସ କଲେ ବି କାଳେ ଅଧିକ ସମୟ ଗଡ଼ିଯାଇନି ତ ବୋଲି ଘଣ୍ଟାକୁ ଦେଖିଥାଆନ୍ତି ସେ। କିନ୍ତୁ ଭେଙ୍କିଆଙ୍କୁ ଅପିଲ୍ କରିଥିଲେ କି, ଡାଇନିଂ ଟେବୁଲରେ କେବେ ବସିକି ନ କହି ଦିଅନ୍ତୁ, ସମୟ ସରିଗଲା। ଆଉ ଗୃହ ୧୨ଟା ଯାଏ ମୁଲତବୀ।

ସେପଟେ ଆପ୍ ର ରାଘବ ଚଢ଼ା କିଭଳି ସମୟାନୁବର୍ତ୍ତିତାର ପାଠ ପଢିଥିଲେ ଭେଙ୍କିଆଙ୍କଠୁ, ତାହାର ନଜିର ଦେଇ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ତାଙ୍କ ନେତା କେଜରିଓ୍ୱାଲଙ୍କ ସହ ଭେଙ୍କିଆଙ୍କ କେମିତି ସମାନତା ରହିଛି, ନଜିର ରଖିଥିଲେ। ହେଲେ ଭେଙ୍କିଆ ରାଘବଙ୍କୁ ପଚାରିଥିଲେ ଓ ମତ ଦେଇଥିଲେ କି, ପ୍ରେମ ଥରେ ହୁଏ। ପ୍ରଥମ ପ୍ରେମ ହିଁ ପ୍ରେମ। ଆଉ ଏ କ୍ଷେତ୍ରରେ ବେଶୀ ଅନୁଭବୀ ନୁହେଁ କହି ରାଘବଙ୍କ ପ୍ରତ୍ୟୁତ୍ତର ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିଲା ଗୃହରେ। ଆଉ କଂଗ୍ରେସର ଜୟରାମ ରମେଶ କୋପରେଟ୍ କଲେ ଅପରେଟ୍ କରିହେବ ବୋଲି ବାରମ୍ୱାର ଅପିଲ୍ କରିଆସୁଥିବା ଭେଙ୍କିଆଙ୍କ ଉକ୍ତିକୁ ଉଦ୍ଧାର କରି ଏବେ ଟାଇମ ଅଫ୍ ସେପାରେସନ କଥା କହି ଭାବବିହ୍ୱଳ ହୋଇଯାଇଥିଲେ।

ସେପଟେ ମାତୃଭାଷାରେ ଯିଏ କହିଲେ ବି ତାଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଭେଙ୍କିଆଙ୍କ ଭାବାବେଗକୁ ସମ୍ମାନ ଦେଇ ସଂସଦରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ମତ୍ସ୍ୟସମ୍ପଦ ମନ୍ତ୍ରୀ , ସିପିଆଇ(ଏମ)ର ବିକାଶ ଭଟ୍ଟାଚାର୍ଯ୍ୟ, ରାଜ୍ୟସଭାରେ ନେତା ପିୟୁଷ ଗୋଏଲ ପ୍ରମୁଖ ମାତୃଭାଷାରେ କହିଥିଲେ। ବିଦାୟକାଳୀନ ସମ୍ୱର୍ଦ୍ଧନାରେ ଭେଙ୍କିଆଙ୍କ ପ୍ରତି ଥିବା ଭୟ, ସମ୍ମାନ ଓ ଭଲ ପାଇବାର ମିଶ୍ରିତ ମନ୍ତବ୍ୟ ସୂଚାଉଥିଲା କି, ସତରେ ଭେଙ୍କିଆ ସ୍ୱତନ୍ତ୍ର। ତାଙ୍କର ବ୍ୟକ୍ତିତ୍ୱ ନିଆରା।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *