ରାଜସ୍ଥାନ: କିଏ ହେବେ ମୁଖ୍ୟମନ୍ତ୍ରୀ

Spread the love

() ମାତ୍ର ଦୁଇଟି ରାଜ୍ୟରେ ଶାସନ କ୍ଷମତାରେ ସୀମିତ ରହିଯାଇଥିବା କଂଗ୍ରେସ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ସୁଦୃଢ଼ କରି ନୂଆ ଅଧ୍ୟକ୍ଷ ବାଛିବାକୁ ଯାଉଛି। ସେପଟେ କନ୍ୟାକୁମାରୀରୁ କଶ୍ମୀର ଯାଏ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରାକୁ ବି ଅକୁଣ୍ଠ ସମର୍ଥନ ମିଳୁଥିବା ଦାବି କରୁଛି ଦଳ। କିନ୍ତୁ ରାଜସ୍ଥାନ ରାଜନୀତିରେ କଂଗ୍ରେସ ଭିତରେ କ୍ଷମତା ପାଇଁ ନିଜ ନିଜ ଭିତରେ ଲଢ଼େଇ ଉଗ୍ର ରୂପ ନେଲାଣି। ଗେହଲଟ-ପାଇଲଟ ଗୋଷ୍ଠୀ ଛକାପଞ୍ଝା ଭିତରେ ବିରୋଧୀ ଶିବିରକୁ ବି କହିବାକୁ ମଉକା ମିଳିଛି।

ରାଜସ୍ଥାନରୁ ଖାଲି ହାତରେ ଦିଲ୍ଲୀ ଫେରିଛନ୍ତି ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକେନ୍। ରାଜସ୍ଥାନ ରାଜନୀତିକ ସଂକଟକୁ ନେଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଛନ୍ତି। ବିଧାୟକଙ୍କ ସମୂହ ଇସ୍ତଫା, ସଙ୍କଟକୁ ଟାଳିବାକୁ ସୋନିଆ ଏହି ଦୁଇ ପର୍ଯ୍ୟବେକ୍ଷକଙ୍କୁ ପଠାଇବା ସତ୍ତ୍ୱେ ସମସ୍ତଙ୍କ ଅସହଯୋଗ ଆଦି ସୂଚାଇଥିଲା, ସଙ୍କଟ ଉଗ୍ରରୂପ ନେଇଛି। କାରଣ ଦୁଇ ପର୍ଯ୍ୟବେକ୍ଷକ ଚାହୁଁଥିଲେ, ଗୋଟିଏ ଧାଡ଼ିରେ ପ୍ରସ୍ତାବ ପାରିତ କରି ଲିଖିତ ଭାବେ କିଏ ହେବେ ସିଏମ, ସେ ନେଇ ରିପୋର୍ଟ ଦିଅନ୍ତୁ। କିନ୍ତୁ ଏହାକୁ ଗେହଲଟ ସମର୍ଥକ ବିରୋଧ କରିଥିଲେ। ରବିବାର ଗେହଲଟଙ୍କ ବାସଭବନରେ ବିଧାୟକ ଦଳ ବୈଠକରେ ପାଇଲଟ, ତାଙ୍କ ଅନୁଗତ ବିଧାୟକ ଓ ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବି ସମାଧାନ ବାହାରିନଥିଲା। ବରଂ ନୂଆ ସଙ୍କଟକୁ ଛିଡ଼ା କରିଦେଇଛି। ୯୦ରୁ ଅଧିକ ବିଧାୟକଙ୍କ ସମୂହ ଇସ୍ତଫା ଏହାର ପ୍ରତିଫଳନ। ପରିସ୍ଥିତି ଅସମ୍ଭାଳ ହେଲାଣି। ଗେହଲଟ ଗୋଷ୍ଠୀ ଏକପ୍ରକାର ଚିନ୍ତା ବଢ଼ାଇଦେଇଛନ୍ତି। ଏମାନଙ୍କ ବିଦ୍ରୋହ ସରକାରକୁ ଓ ଦଳକୁ ଅକଳରେ ପକାଇଦେଇଛି। ଏମିତିରେ ସୋନିଆ ହିଁ ଏଆଇସିସି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ପରମ୍ପରା ରହିଆସିଛି। କିନ୍ତୁ ପାଇଲଟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ଥିବାରୁ ଏହି ପରମ୍ପରାକୁ ବି ଭାଙ୍ଗିବାକୁ ପଛାଇଲେନି ଗେହଲଟ ଗୋଷ୍ଠୀ ବୋଲି କୁହାଯାଉଛି। କାରଣ ସେମାନଙ୍କ ଯୁକ୍ତି ହେଉଛି କି, ଏକଦା ବିଜେପି ସହ ହାତ ମିଳାଇ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ପାଇଲଟଙ୍କୁ କୌଣସିମତେ ସିଏମ ଚୌକି ଦିଆନଯାଉ। ୨୦୨୦ରେ ସରକାର ବିରୋଧରେ ବିଦ୍ରୋହ କରିଥିବା ପାଇଲଟ ଓ ତାଙ୍କର ୧୮ ସମର୍ଥକ ବିଧାୟକଙ୍କ ଭିତରୁ କେହି ବି ଯେମିତି ମୁଖ୍ୟମନ୍ତ୍ରୀ ହେବେନି, ସେ ନେଇ ପ୍ରସ୍ତାବ ପାରିତ ହୋଇଛି। ସରକାରର ପତନ ପାଇଁ ପ୍ରୟାସ କରିଥିବା କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଦେବୁନି ବୋଲି ଜିଦ୍ ଧରିଛନ୍ତି ଗେହଲଟ ଗୋଷ୍ଠୀ। ବରଂ ଗେହଲଟ କ୍ୟାମ୍ପର କେହି ଜଣେ ଏହି ଆସନରେ ବସନ୍ତୁ। ବାଚସ୍ପତି ସିପି ଜୋଷୀଙ୍କ ନାଁ ଗେହଲଟ ସୁପାରିଶ କରିଥିବାରୁ ସେ ବି ବସିଲେ ଚଳିବ ବୋଲି କହୁଛନ୍ତି ଏହି ଗୋଷ୍ଠୀ। ଆଉ ପାଇଲଟ ଗୋଷ୍ଠୀର କହିବା କଥା, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ବି ମାନିବାକୁ ଅରାଜି ସଦସ୍ୟଙ୍କ ମତିଗତି ବେଶ୍ ଠଉରାଇହେଉଛି। କ୍ଷମତା ଲାଗି ଏମାନେ ଯେ କୌଣସି ସ୍ତରକୁ ବି ଯାଇପାରନ୍ତି।

ସେପଟେ ଚତୁର ଗେହଲଟ ବି ନିଜକୁ ନିରାପଦ ଜୋନରେ ରଖି ଗୋଟି ଖେଳିଛନ୍ତି। ତାଙ୍କ ହାତରେ କିଛି ନାହିଁ କହି କଂଗ୍ରେସ ନେତୃବୃନ୍ଦଙ୍କୁ ଫୋନରେ ଜଣାଇସାରିଛନ୍ତି ଗେହଲଟ। ସେପଟେ ପାଇଲଟଙ୍କ ସମର୍ଥକ ବି ସତ୍ୟମେବ ଜୟତେ, ନୂଆ ଯୁଗର ପ୍ରସ୍ତୁତି କହି ପାଇଲଟଙ୍କ ବଡ଼ ବଡ଼ ହୋର୍ଡିଂ ଯୋଧପୁରର ବିଭିନ୍ନ ସ୍ଥାନରେ ମାରିସାରିଲେଣି। ପାଇଲଟ ବି ମୁହଁ ଖୋଲିଛନ୍ତି। ସେ ଦିଲ୍ଲୀ ଯିବେନି। ହାଇକମାଣ୍ଡ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତ୍ତି ଜଣାନ୍ତୁ। ଆଉ ଗେହଲଟ-ପାଇଲଟ ଗୋଷ୍ଠୀ ବିବାଦକୁ ନେଇ ବିଜେପି କହିଛି, ଭାରତ ଯୋଡ଼ ଯାତ୍ରାରେ ଏହି ଅଧ୍ୟାୟ ନୂଆ ଏଣ୍ଟରଟେନମେଣ୍ଟ କରିବ। କଂଗ୍ରେସ ଭିତରେ କନ୍ଦଳରୁ ସ୍ପଷ୍ଟ କି, କ୍ଷମତା ପାଇଁ ଏମାନେ ପାଗଳ। ଲୋକଙ୍କର ସେବା ପାଇଁ ନୁହେଁ। କଂଗ୍ରେସର ନା ଅଛି ନୀତି ନା ଅଛି ନେତା।

ତେବେ ଏମିତି ବିଦ୍ରୋହରୁ ହାଇକମାଣ୍ଡ ଗେହଲଟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବାର ସମ୍ଭାବନା ବି ରହିଛି। ଯଦିଓ ବିଧାୟକମାନଙ୍କ ଏଭଳି ଆଚରଣକୁ ନେଇ ଦୁଃଖପ୍ରକାଶ କରିସାରିଛନ୍ତି ପର୍ଯ୍ୟବେକ୍ଷକଙ୍କ ଆଗରେ ଗେହଲଟ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *