ମୋଦିଙ୍କ ବିକଳ୍ପ କିଏ?

Spread the love

() ମୋଦିଙ୍କୁ ହଟାଇବାକୁ ହେବ। ତେବେ ଏହା କେମିତି ସାକାର ହେବ। ରଣନୀତିକୁ କିଏ ଲିଡ୍ କରିବ। ମୋଦିଙ୍କ ବିକଳ୍ପ କିଏ? ବିରୋଧୀ ଏକଜୁଟ ହୋଇପାରିବେ ତ? ମିଳିତ ବିରୋଧୀ ଦଳର ନେତା ତାହେଲେ କିଏ? ଏମିତି ତମାମ ପ୍ରଶ୍ନ ଘେରରେ ମୋଦି ବିରୋଧୀ ତମାମ ଦଳର ଏକତା ଓ ରଣନୀତି।

ଗଲା ତିନି ମାସ ତଳେ ଏହାର ମୂଳଦୁଆ ପକାଇଥିଲେ କେସିଆର। ଆଉ ବିଭିନ୍ନ ରାଜ୍ୟବୁଲି ଏକାଠି ହେବାର ସମର୍ଥନ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ପଦ ଲାଗି ନୀତିଶ ପ୍ରସ୍ତୁତ କି? କାରଣ ବିହାରରେ ବିଜେପିର ହାତ ଛାଡ଼ି ମହାଗଠବନ୍ଧନ ସହ ମେଣ୍ଟ କରି ସରକାରର ନେତୃତ୍ୱ ନେଉଥିବା ନୀତିଶଙ୍କୁ ଯେତେବେଳେ ପଚରାଯାଇଥିଲା ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ କି? ସେତେବେଳେ ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ମୋହ ନାହିଁ ବୋଲି କହିଥିଲେ ନୀତିଶ। ସେ କେବଳ ସମଭାବାପନ୍ନ ଦଳକୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି। ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ନା ଆଉ କିଏ? ନୀତିଶ କୁମାର ଓ କେସିଆରଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀରେ ସାମ୍ୱାଦିକଙ୍କ ଏଭଳି ପ୍ରଶ୍ନ ଶୁଣି ଉତ୍ତର ଦେବାକୁ ପ୍ରସ୍ତୁତ ହେଉଥିବା କେସିଆରଙ୍କୁ  ହାତଯୋଡ଼ି ଚାଲନ୍ତୁ କହି ନୀତିଶ ଡାକିଥିଲେ। କିନ୍ତୁ କେସିଆର ଉଠିନଥିଲେ। ପାଲଟା ନୀତିଶଙ୍କୁ ବସିବାକୁ କହି ଯେଉଁ ନାଁ ପାଟିରେ ଧରିଥିଲେ, ସେ ହେଉଛନ୍ତି ନୀତିଶ। ନୀତିଶ ଦେଶର ଜଣେ ବରିଷ୍ଠ ନେତା ଓ ସଫଳ ନେତା। ବିରୋଧୀ ଦଳ ମିଳିତ ଭାବେ ବସି ନିଷ୍ପତ୍ତି ନେବେ ବୋଲି କହିଥିଲେ କେସିଆର୍।

ବିହାର ବିଧାନସଭାରେ ବି ବିହାରର ବିକାଶ ଲାଗି ଆରଜେଡି ଓ ଜେଡିୟୁ ଏକାଠି ହୋଇଛନ୍ତି ବୋଲି କହିଥିଲେ ନୀତିଶ। ବିଜେପିର ହାତ ଛାଡ଼ିଥିବାରୁ ଦେଶ ତମାମ ନେତା ତାଙ୍କୁ କଲ୍ କରି ଅଭିନନ୍ଦନ କରିଥିଲେ ଏଭଳି ନିଷ୍ପତ୍ତି ଲାଗି। ସେଥିଲାଗି ୨୪ରେ ସେ ସମସ୍ତ ଦଳ ଓ ତାଙ୍କର ନେତାଙ୍କୁ ଏକାଠି ଲଢିବାକୁ ହେବ ବୋଲି କହିଥିଲେ ନୀତିଶ। କେବଳ ବିହାର କାହିଁକି, ପ୍ରାୟ ରାଜ୍ୟ କେନ୍ଦ୍ର ଅବହେଳାର ଶୀକାର। କାମ ଅପେକ୍ଷା ନିଜ ପ୍ରଚାର ପ୍ରସାରରେ ଅଧିକ ବ୍ୟସ୍ତ କେନ୍ଦ୍ର ସରକାର। ଆଉ ଏହାଠୁ ପାଦେ ଆଗୁଆ ଯାଇ କ୍ୟାବିନେଟ ମନ୍ତ୍ରୀ ତେଜପ୍ରତାପ ଯାଦବ କହିଥିଲେ କି, ସେ ତାଙ୍କର କକା। ଲାଲକିଲ୍ଲାରେ ନୀତିଶ ପତାକା ଉତ୍ତୋଳନ କରିବେ। ସେଥିଲାଗି ତାଙ୍କୁ ସମର୍ଥନ କରିବୁ।

ମିଳିତ ସାମ୍ୱାଦିକ ସମ୍ମିଳନୀରେ ନୀତିଶଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ସିଧା ଅଫର୍ ଯାଚିଥିଲେ କେସିଆର।  ତେବେ ଉଭୟ ନେତାଙ୍କ ସାକ୍ଷାତ ଓ ଭାରତକୁ ବିଜେପି ମୁକ୍ତ କରିବାର ଆହ୍ୱାନ ଦିବାସ୍ୱପ୍ନ ବୋଲି କାଉଣ୍ଟର କରିଥିଲା ବିଜେପି। ସୁଶୀଲ ମୋଦି କହିଥିଲେ, କେସିଆର ନୀତିଶଙ୍କୁ ପିଏମ ପ୍ରାର୍ଥୀ କରିବାକୁ ଅଫର୍ ଦେଉଥିଲେ ସୁଦ୍ଧା ନିଜେ କେସିଆର ନୀତିଶଙ୍କୁ ଏକଦା ସମର୍ଥନ କରୁନଥିଲେ। ୨୦୨୩ ବେଳକୁ କେସିଆର ନିଜ ମୁଖ୍ୟମନ୍ତ୍ରୀ ଆସନ ଆଗ ବଞ୍ଚାନ୍ତୁ। ୨୪ରେ ଉଭୟ ନୀତିଶ ଓ କେସିଆର ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ନିଜ ଆସନ ଅସୁରକ୍ଷିତ। ସେମାନେ ପୁଣି ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିବା ହାସ୍ୟାସ୍ପଦ।

ବିଜେପି ଓ ମୋଦି ମୁକ୍ତ ଭାରତ ଗଠନ ଲାଗି ବିରୋଧୀ କହୁଛନ୍ତି। ହେଲେ ଗଲା ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ଭିତରେ କ୍ରସଭୋଟିଂ ବି ବିରୋଧୀ ଏକତାରେ ଫାଟକୁ ଦର୍ଶାଇଥିଲା। ଏପରିକି ଜଗଦୀପ ଧନକଡଙ୍କ କଟ୍ଟର ବିରୋଧୀ ମମତା ବାନାର୍ଜୀ ବି ମତଦାନରୁ ଦଳକୁ ଦୂରେଇ ରଖିଥିଲେ। ଏଭଳି ସ୍ଥିତିରେ ମେନ୍ ଫ୍ରଣ୍ଟର ପରିକଳ୍ପନାକୁ ସାକାର କରିବା କେତେଦୂର ସହଜ, ଦେଖିବାର କଥା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *