ନୂଆଦିଲ୍ଲୀ: ଶୁକ୍ରବାର ସଂସଦର ଶୀତ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଲୋକସଭାରେ ଗୃହର ବାଚସ୍ପତି ଓମ ବିର୍ଲା ଓ ରାଜ୍ୟ ସଭା ବାଚସ୍ପତି ଜଗଦୀପ ଧନଖଡ ଗୃହ ସମାପ୍ତି ଘୋଷଣା କରିଛନ୍ତି। ପୂର୍ବରୁ ଶୀତ ଅଧିବେଶନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାର ପ୍ରସ୍ତାବ ଥିଲା। ଚଳିତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇଥିଲା । ବୁଧବାର ପର୍ଯ୍ୟନ୍ତ ଲୋକସଭାର ଉତ୍ପାଦକତା ୯୭ ପ୍ରତିଶତ ଥିବା ବେଳେ ରାଜ୍ୟସଭାର ଥିଲା ଶତ ପ୍ରତିଶତ।
ରାଜ୍ୟସଭାରେ ସଭାପତି ଧନଖଡ ଗୃହ ସମାପ୍ତିର ଘୋଷଣା ସହ ସଦସ୍ୟମାନଙ୍କୁ ଖ୍ରୀଷ୍ଟମାସ, ପୋଙ୍ଗଲ, ଲୋହରୀ ଓ ଅନ୍ୟ ପର୍ବପର୍ବାଣୀ ପାଇଁ ଶୁଭେଚ୍ଛା ଜଣାଇବା ସହ ଦେଶରେ ବୃଦ୍ଧି ପାଉଥିବା କୋଭିଡକୁ ଦେଖି ଆବଶ୍ୟକ ସଚେତନତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଅଗଷ୍ଟ ହାଉସର ଅଧ୍ୟକ୍ଷତା କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରିଥିବା କହିଛନ୍ତି।
ଲୋକସଭା ସାଂସଦ ଓମବିର୍ଲା କହିଛନ୍ତି, ସଂସଦର ଶୀତ ଅଧିବେଶନ କାଳରେ ଲୋକସଭାରେ ମୋଟ ୧୩ଟି କାର୍ଯ୍ୟ ଦିବସ ରହିଥିଲା, ଯାହା ୬୮ଘଣ୍ଟା ୪୨ମିନିଟ ଚାଲିଥିଲା। ଓମ ବିର୍ଲା କହିଛନ୍ତି କି ବର୍ଷ ୨୦୨୨-୨୩ ପାଇଁ ଅନୁଦାନକୁ ନେଇ ସପ୍ଲିମେଣ୍ଟାରୀ ଦାବିର ପ୍ରଥମ ବ୍ୟାଚ, ବର୍ଷ ୨୦୧୯-୨୦ର ଅତିରିକ୍ତ ଅନୁଦାନର ଦାବିଗୁଡିକ ଉପରେ ୧୦ ଘଣ୍ଟା ୫୩ ମିନିଟ ଚର୍ଚ୍ଚା ହୋଇଥିଲା। ଏହି କାଳରେ ୯ ସରକାରୀ ବିଲ ସ୍ଥାପିତ କରାଗଲା। ମୋଟ ୭ ବିଲ ପାରିତ ହୋଇଥିଲା। ଚଳିତ ଲୋକସଭାରେ ସାଂସଦମାନେ ଲୋକ ମହତ୍ବର ୩୭୪ ମାମଲା ଉଠାଇଥିବା ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି।
ସେପହିପରି ରାଜ୍ୟ ସଭାରେ ମୋଟ ୧୩ଟି କାର୍ଯ୍ୟ ଦିବସରେ ୬୪ ଘଣ୍ଟା ୫୦ ମିନିଟ ଚାଲିଥିଲା, ଯାହା ପୂର୍ବରୁ ୬୩ ଘଣ୍ଟା ୨୬ ମିନିଟ ପାଇଁ ନିର୍ଦ୍ଧାରଣ କରାଯାଇଛି। ଏହି ଅଧିବେଶନରେ ସଂସଦର ଉତ୍ପାଦକତା ୧୦୨ ପ୍ରତିଶତ ରହିଥିଲା। ଏହି ଅଧିବେଶନରେ ୩୧ ବେସରକାରୀ ବିଲ ଦାୟର ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now